୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା

13

ଭୁବନେଶ୍ୱର,୩୧/୮(କୁନା ପ୍ରଧାନ) : ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହୋଇଥିବା ଆଇସିୟୁଗୁଡ଼ିକୁ ଏହା ଜରିଆରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହ ‌ସଂଯୋଗ କରାଯାଇପାରିବ। ସି-ଡାକ୍ ଓ ଡିସିଏଲ୍ ସଫ୍‌ଟୱେୟାର ଦ୍ବାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁକୁ ସଂଯୋଗ କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ‌ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରୁ ଏହି ସୂଚନା ମିଳିଛି। ସୂଚନା ଅନୁସାରେ, କଳାହାଣ୍ଡି, ପୁରୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା, ବାରିପଦା, ବାଲେଶ୍ବର ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସଂଯୋଗ କରାଯିବ। ଏହି ଆଇସିୟୁଗୁଡ଼ିକ ଏସ୍‌ସିବି ମେଡିକାଲ କଲେଜର ଟେଲିମେଡିସିନ୍ କେନ୍ଦ୍ର ସହ ସଂଯୋଗ ହେବ। ଫଳରେ ଜିଲ୍ଲାସ୍ତରୀୟ ଆଇସିୟୁରେ ଚିକିତ୍ସିତ ଗୁରୁତର ରୋଗୀମାନଙ୍କ ଚିକିତ୍ସା ଓ ରେଫରାଲରେ କୌଣସି ସମସ୍ୟା ଉପୁଜିବ ନାହିଁ। ରେଫରାଲ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ରୋଗୀମାନଙ୍କ ଚିକିତ୍ସା ସ୍ଥାନରେ ହିଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ହୋଇପାରିବ।

ADVERTISEMENT