ଡିଏଲ୍‌, ଗାଡ଼ି କାଗଜପତ୍ର ସମସ୍ୟା ଦୂର ପାଇଁ ପଦକ୍ଷେପ : ୧୫ଦିନରେ ଡିଏଲ୍‌ ଆବେଦନ ପାଇଁ ୩୮ ହଜାର ସ୍ଲଟ୍‌ ବୁକ

7

ଭୁବନେଶ୍ୱର,୧୬/o୯(କୁନା ପ୍ରଧାନ ) : ପରିବହନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରବିବାର ଛୁଟିଦିନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରିଥିଲା। ଅଧିକ ଭିଡ଼ ହେଉଥିବା ଭୁବନେଶ୍ୱରର ଆର୍‌ଟିଓ-୧ ଓ ଆର୍‌ଟିଓ-୨ରେ ସୁରୁଖୁରୁରେ କାର୍ଯ୍ୟ ଚାଲିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର ପାଇଁ ଲୋକେ ଧାଡିରେ ରହିଥିଲେ। ପୂର୍ବରୁ ଆବେଦନ କରିଥିବା ଲୋକେ ଲର୍ନିଂ ଟେଷ୍ଟ ଦେଇଥିଲେ। ଅନ୍ୟଦିନ ଅପେକ୍ଷା ଭିଡ଼ କମ୍‌ ରହିଥିବାବେଳେ ଆରଟିଓ-୧କୁ ପ୍ରାୟ ଦୁଇ ହଜାର ଓ ଆର୍‌ଟିଓ-୨କୁ ୭ଶହ ଲୋକ ଆସିଥିଲେ। ତେବେ ଛୁଟିଦିନ ହୋଇଥିବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ କର୍ମଚାରୀ ଥିବା ଜଣାପଡ଼ିଛି। ଅନ୍ୟଦିନ ଭଳି ପୂର୍ବାହ୍ନ ୧୦ଟାରେ ଅଫିସ ଖୋଲିଥିଲା। ଅଧିକାରୀ ଓ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ପହଁଚି ଲୋକଙ୍କୁ ସେବା ଯୋଗାଇଦେଇଥିଲେ। ଆରମ୍ଭରେ ଟିକେ ଭିଡ଼ ରହିଥିଲା। ପରେ ଲୋକେ ଲାଇନ୍‌ରେ ଆସି ସୁରୁଖୁରୁରେ ନିଜର କାର୍ଯ୍ୟ ସାରିଥିଲେ। ଯେଉଁମାନେ ଫର୍ମ ଫିଲ୍‌ଅପ୍‌ ବା ଅନ୍ୟ କାଗଜପତ୍ର କିପରି କରିବେ ତାହା ସମ୍ପର୍କରେ ଜାଣିପାରୁ ନ ଥିଲେ ସେମାନଙ୍କୁ ସହଯୋଗ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ଆର୍‌ଟିଓ ଆଗରେ ରହିଥିବା ଦୁଇଟି ଅନ୍‌ଲାଇନ୍‌ ମେଶିନରୁ ଲୋକେ ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟ କାଗଜପତ୍ର ସମ୍ପର୍କରେ ସୂଚନା ପାଇପାରୁଥିଲେ।

ADVERTISEMENT