ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ, ଗରିବ ରୋଗୀ ହେଉଛନ୍ତି ହନ୍ତସନ୍ତ

ରଙ୍ଗେଇଲୁଣ୍ଡା,୧୯/୯(କିରଣ ମିଶ୍ର ) : ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ନଜରରେ ରହିଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ସେବା ଓ ଜଳ ସଚେତନତା। ମାତ୍ର ଗ୍ରାମଞ୍ଚଳରେ ଦେଖିବାକୁ ମିଳୁଛି ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ। ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟରେ ରହିଛନ୍ତି କିଛି ନକଲି ଡାକ୍ତର ଓ କ୍ଲିନିକ। ଅତି ଚିନ୍ତାର ବିଷୟ ଏହିକି ଯେ ଏହି ନକଲି ଡାକ୍ତର ମାନେ ସରକାରୀ ନିୟମ ଖୋଲାଖୋଲି ଉଲ୍ଲଘନ କରିବାରେ ଲାଗିଛନ୍ତି। ଏମ.ବି.ବି.ଏସ ଡିଗ୍ରୀ ନହୋଇ ମଧ୍ୟ ନିଜେ କ୍ଲିନିକ କରି ତା ଆଗରେ ଡାକ୍ତର ସାଇନ ବୋର୍ଡ ଲଗାଇ ଗରିବ ଏବଂ ନିରକ୍ଷର ରୋଗୀଙ୍କ ଠାରୁ ପ୍ରଚୁର ପରିମାଣରେ ଅର୍ଥ ଆଦାୟ କରୁଛନ୍ତି। ଏହି ନକଲି ଡିଗ୍ରିଧାରୀ ଡାକ୍ତରମାନେ କୋଲକାତା ଏବଂ ଆନ୍ଦ୍ରାର କିଛି ଅନାମଧେୟ ସଂସ୍ଥାରୁ କିଛି ଜାଲି ପ୍ରମାଣପତ୍ର ଆଣି କ୍ଲିନିକ ଖୋଲୁଛନ୍ତି। ଅନ୍ୟ ଏକ ଚିନ୍ତାର ବିଷୟ ଏହିକି ଯେ ଉକ୍ତ କ୍ଲିନିକ ଗୁଡିକରେ ଅବୈଧ ଗର୍ଭପାତ ହେଉଛି। ସରକାରଙ୍କ ନିୟମ ଅନୁସାରେ ଅବୈଧ ଗର୍ଭପାତ ଏକ ଦଣ୍ଡନୀୟ ଅପରାଧ। ମାତ୍ର ଏମାନେ ଲୋଭରେ ଏହିପରି ହୀନ କାର୍ଯ୍ୟ କରୁଛନ୍ତି। ଯଦି ବ୍ରହ୍ମପୁରରୁ ୬କିମି ଦୂରତ୍ୱ କନିସିରେ ଏପରି ଅବସ୍ଥା ତେବେ ଦୁର୍ଗମ ଅଂଚଳରେ କିପରି ସ୍ୟାସ୍ଥ୍ୟସେବା ଚାଲିଥିବ ତାହା ସହଜେ ଅନୁମେୟ। ଏଣୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମାନେ ଏ ଦିଗରେ ତୁରନ୍ତ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରଶାସନ ନିକଟରେ ଦୃଡ଼ ଦାବି କରିଛନ୍ତି।

ADVERTISEMENT