ପିଆଜ କିଲୋ ୪୫ ଟଙ୍କା : କନ୍ଦାଉଛି ପିଆଜ ଦର

37

ହିଂଜିଳିକାଟୁ, ୨୧ା୯ (ଶେଷଦେବ ସାହୁ): ପିଆଜ ଦର କମିବାରେ ନାଁ ଧରୁନି । ମାସକ ତଳେ ପିଆଜ ଦର କିଲୋ ପିଛା ୨୫ ଟଙ୍କା ଥିବା ବେଳେ ଏବେ ଏହା ୪୫ ଟଙ୍କାରେ ପଂହଚିଲାଣି । ଗତ ୩ ଦିନ ହେଲା ହୋଲସେଲ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ଯଦ୍ୱାରା ଖାଉଟି ଚିନ୍ତାରେ ପଡ଼ିଛନ୍ତି । ଶନିବାର ହୋଲସେଲ ପିଆଜ ଦର ବୃଦ୍ଧି ପାଇଥିବାରୁ ଖୁଚୁରା ଦର ବୃଦ୍ଧି ପାଇବା ଆଶଙ୍କା ରହିଛି । ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ସ୍ଥାନୀୟ ବଜାରକୁ ପିଆଜ ଆସୁଛି । କିଛି ସପ୍ତାହ ହେଲା ପର୍ଯ୍ୟାପ୍ତ ପରିମାଣରେ ପିଆଜ ଆସୁନଥିବାରୁ ଦର ବୃଦ୍ଧି ଘଟିଛି । ପ୍ରତି ସପ୍ତାହରେ ପୂର୍ବରୁ ୧୦ ରୁ ୧୫ ଟ୍ରକ ପିଆଜ ସ୍ଥାନୀୟ ପରିବା ବଜାରକୁ ଆସୁଥିବା ବେଳେ ଚଳିତ ସପ୍ତାହରେ ମାତ୍ର ୪ ଟ୍ରକ ପିଆଜ ଆସି ପଂହଚିଛି । ସ୍ଥାନୀୟ ପରିବା ବଜାରରେ ଖୁଚୁରା ପିଆଜ ଦର ୪୦ ରୁ ୪୫ ଟଙ୍କା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଠେଲା ଗାଡ଼ିରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ କିଲୋ ପିଛା ୪୫ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ବିଭିନ୍ନ ସାହି ବସ୍ତିରେ ରହିଥିବା କିରାଣୀ ଦୋକାନ ଗୁଡ଼ିକରେ କିଲୋ ପିଛା ୪୬ ରୁ ୪୮ ଟଙ୍କାରେ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି । ଦର ବୃଦ୍ଧି ଯୋଗୁଁ ପିଆଜ ବିକ୍ରି ମଧ୍ୟ ବହୁ ମାତ୍ରରେ ପ୍ରଭାବିତ ହୋଇଛି । ପୂର୍ବରୁ ହୋଲସେଲ ପିଆଜ ଦର ୩୬ ଟଙ୍କା ରହିଥିବା ବେଳେ ବର୍ତମାନ ୪୦ ଟଙ୍କାରେ ପଂହଚିଛି । ଲୋକେ ଯେଉଁଠି ପୂର୍ବରୁ ୧ କିଲୋ ପିଆଜ କିଣି ନେଉଥିଲେ ବର୍ତମାନ ୨୫୦ ଗ୍ରାମରେ ସୀମିତ ରହୁଛନ୍ତି । ପିଆଜଦର ବୃଦ୍ଧି ଯୋଗୁଁ ଗରି ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ସମେତ ଫାଷ୍ଟଫୁଡ଼ ଏବଂ ଠେଲାରେ ଗୁପୁଚୁପ୍, ଚାଟ୍ ବିକ୍ରି କରୁଥିବା ବ୍ୟସାୟୀ ମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଫାଷ୍ଟଫୁଡ଼ ଦୋକାନୀ ଏବଂ ଠେଲାରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ପୂର୍ବରୁ ଦୈନିକ ୨୦ରୁ ୨୫ କିଲୋ ପିଆଜ କିଣୁଥିବା ବେଳେ ବର୍ତମାନ ଦୈନିକ ୮ରୁ ୧୦ କିଲୋ କିଣୁଥିବା ଜଣାପଡ଼ିଛି । ବ୍ୟବସାୟୀଙ୍କ କହିବାନୁସାରେ ନୂଆ ପିଆଜ ବଜାରକୁ ନଆସିବା ପର୍ଯ୍ୟନ୍ତ ଦର କମିବା ଆଶ କମ୍ । ନଭେମ୍ବର ମାସ ସୁଦ୍ଧା ନୁଆ ପିଆଜ ଆସିବା ଆଶା ରହିଛି ।

ADVERTISEMENT