ହିଂଜିଳି ବ୍ଳକରେ ଗାଇ,ବଳଦ ଶତାଧିକ ଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ଚାଷୀ ହତାଶ

19

ହିଂଜିଳିକାଟୁ, ୨୩/୯(ଶେଷଦେବ ସାହୁ): ହିଂଜିଳିକାଟୁ ଅଂଚଳରେ ଚାଷୀ ମାନଙ୍କ ସାହା ଭରସା ପାଲଟିଥିବା ଗାଇ ବଳଦ ଆଦି ଗୋରୁଙ୍କୁ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ପ୍ରାଣୀ ଚିକିତ୍ସକ ମାନେ ମଧ୍ୟ ଏହି ରୋଗକୁ ଚିହ୍ନଟ କରିବା ଦିଗରେ ବିଫଳ ହେଉଥିବା ଚାଷୀ ମାନେ ଜଣାଇଛନ୍ତି । ଫଳରେ ଗାଇ ବଳଦ ଏହି ରୋଗରେ ପଡ଼ି ରୋଗିଣା ହୋଇପଡ଼ୁଛନ୍ତି ବୋଲି ଚାଷୀ ମାନଙ୍କ ସୁତ୍ରରୁ ଜଣାପଡ଼ିଛି । ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମରେ ଏବେ ଗାଇ ବଳଦ ମାନଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଜଣାପଡ଼ିଛି । ଏହି ରୋଗ ହେବା ଫଳରେ ଗାଇ ବଳଦ ମାନଙ୍କ ଦେହରେ ବଡ଼ ବଡ଼ ଫୋଟକା ସୃଷ୍ଟି ହେଉଛି ଓ କିଛି ଦିନ ଗଲାପରେ ଏହା ଫାଟି ଯାଉଛି । ଫୋଟକା ଗୁଡ଼ିକ ଫାଟିଯିବା ଫଳରେ ଗାଇ ବଳଦ ମାନଙ୍କ ଦେହ ସାରା ଘା’ ସୃଷ୍ଟି ହେବା ସହ ଚମଡ଼ା ମଧ୍ୟ ଉଠି ଯାଉଛି । ଏଥି ସହିତ ଗୋଡ଼ରେ ମଧ୍ୟ ଘା’ ସୃଷ୍ଟି ହେଉଥିବାରୁ ଗାଇ ବଳଦ ଗୁଡ଼ିକ ଠିକ୍ ଭାବରେ ଚାଲିପାରୁ ନାହାନ୍ତି । ଏହି ଚର୍ମବିଣ୍ଡି ରୋଗର ଚିକିତ୍ସା ପାଇଁ ଚାଷୀ ମାନେ ପ୍ରାଣୀ ଚିକିତ୍ସକଙ୍କ ପାଖକୁ ଯାଇ ନିରାଶ ହେବା ପରେ ଏବେ ଚାଷୀ ମାନେ ଚେରମୂଳି ଔଷଧ ଉପରେ ନିର୍ଭର କରୁଛନ୍ତି । ବର୍ଷା ପରେ ମଶମୋଛି ବଂଶ ବୃଦ୍ଧି ହୋଇଥିବାରୁ ଗାଇ ବଳଦ ମାନଙ୍କ ଏହି ଘା’ ଗୁଡ଼ିକରେ ବସୁଥିବାରୁ ସଂକ୍ରମଣ ଅଧିକ ହେଉଥିବା ଦେଖିବାକୁ ମିଳିଛି । ତେବେ ଚାଷୀ ମାନେ ବଳଦ ସାହାର୍ଯ୍ୟରେ ଚାଷ କାମ କରିବା ସହିତ ଧାନ ଅମଳ ପାଇଁ ବେଙ୍ଗଳା କରିଥାନ୍ତି । ସେହିପରି ଚାଷୀ ମାନେ ଗାଇ ଠାରୁ କ୍ଷୀର ଓ ଗୋବର ପାଇ ଅଧିକ ଅର୍ଥ ଉପାର୍ଜନ କରିଥାନ୍ତି । କିନ୍ତୁ ବର୍ତମାନ ଏହି ଗାଇ ବଳଦ ମାନଙ୍କୁ ଏପରି ରୋଗ ହେଉଛି ଯାହା ଚିକିତ୍ସା ହୋଇପାରୁ ନଥିବାରୁ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହିଂଜିଳିକଟୁ ବ୍ଳକର ୨୧ ଟି ପଂଚାୟତର ବିଭିନ୍ନ ଗ୍ରାମରେ ରହିଥିବବା ଗାଇ ବଳଦ ମାନଙ୍କ ଦେହରେ ଏଭଳି ରୋଗ ସୃଷ୍ଟି ହେଉଥିବା ଜଣାପଡ଼ିଛି । ଏ ନେଇ ହିଂଜିଳିକାଟୁ ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା । ଅନ୍ୟପକ୍ଷରେ ବଳଦ ମାନଙ୍କ ପାଇଁ ଚାରଣ ଭୂମିର ଅଭାବ ରହିଥିବା ଯୋଗୁଁ ଚାଷୀ ମାନେ ବହୁ କଷ୍ଟରେ ଗାଇ ବଳଦ ମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରି ଘରେ ବାନ୍ଧି ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ADVERTISEMENT