ହିଂଜିଳିକାଟୁରେ କନକଦୁର୍ଗାଙ୍କ ଶାରଦୀୟ ଷୋଡ଼ଶ ଦିବସୀୟ ପୂଜାତ୍ସୋବ

22

ହିଂଜିଳିକାଟୁ, ୨୪/୯(ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ହିଂଜିଳି ସ୍ଥିତ ମା’ କନକଦୁର୍ଗାଙ୍କ ଶାରଦୀୟ ଷୋଡ଼ଶ ଦିବସୀୟ ପୂଜାତ୍ସୋବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଏଥି ସକାଶେ ସ୍ଥାନୀୟ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତ ଶ୍ୟାମଳାଇ ପୀଠ ଚଳଚଂଚଳ ହୋଇ ଉଠିଛି । ମା’ କନକଦୁର୍ଗା ଓ ମା’ ଶ୍ୟାମଳାଇ ପୀଠରେ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ମନ୍ଦିର ସିଂହଦ୍ୱାର, ମନ୍ଦିର ବେଢା ଓ ମନ୍ଦିର ଚର୍ତୁପ୍ୱାଶ୍ୱର୍ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ରବିବାର ଠାରୁ ଦଶହରା ପର୍ଯ୍ୟନ୍ତ ମା’ ବିଭିନ୍ନ ବେଶରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେବେ । ରବିବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ପରେ ପୂଜା ଆରମ୍ଭ ହୋଇଥିଲା । ସୋମବାର ଠାରୁ ପ୍ରତ୍ୟେହ ଭୋର ସକାଳ ୪ ଟାରେ ମାର୍ଜଣା, ସାଢେ ୪ ଟାରେ ମଙ୍ଗଳ ଆଳତି, ସାଢେ ୫ ଟାରେ କାଠି ଆଳତି, ପୂର୍ବାହ୍ନ ୧୧ ଟାରେ ଅନ୍ନଭୋଗ, ଅପରାହ୍ନ ୧ ଟାରେ ସିଂଙ୍ଗାର ପରେ ପହଡ଼ ଓ ସନ୍ଧ୍ୟା ୭ ଟାରେ ସନ୍ଦ୍ୟା ଆଳତି ଓ ୮ ଟାରେ ଚଣ୍ଡିପାଠ, ରାତି ୯ ଟାରେ ରାଜଭୋଗ, ମଧ୍ୟରାତିରେ ଆଳତି ପରେ ପହଡ଼ ହେବ ବୋଲି ମନ୍ଦିର ପୂଜା ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ସକାଶେ ମନ୍ଦିର ପରିସରରେ ଭକ୍ତଙ୍କ ବେଶ ଭିଡ଼ ଜମିଛି ।

ADVERTISEMENT