ଅତ୍ୟାଧୁନିକ ହଳଦିଆପଦର ବସ୍ ଷ୍ଟାଣ୍ଡ ଅକ୍ଟୋବର ୨ରୁ କାର୍ଯ୍ୟକ୍ଷମ

15

ବ୍ରହ୍ମପୁର ,ଡ଼ି.ଏଚ,୨୬/୯ ,(ସୁଦାମ ମହାରଣା ): ବହୁ ପ୍ରତିକ୍ଷିତ ହଳଦିଆଦର ବସଷ୍ଟାଣ୍ଡଟି ଅକଟୋବର ୨ ତାରିଖ ଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବା ନେଇ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ସୂଚନା ଦେଇଛନ୍ତି । ଏହି ବସଷ୍ଟାଣ୍ଡକୁ କେବଳ ରାଜ୍ୟ ଏବଂ ରାଜ୍ୟ ବାହାର osrts ସରକାରୀ ବସ ଗୁଡିକ ଯାତାୟାତ କରିବ । ବସ ଗୁଡିକ ଯେଉଁ ରୁଟରେ ଗଲେ ମଧ୍ୟ ହଳଦିଆପଦର ବସଷ୍ଟାଣ୍ଡ ସ୍ପର୍ଶ କରିବାକୁ ବାଧ୍ୟ ବର୍ତମାନ ସ୍ଥିତିରେ କୌଣସି ଘରୋଇ ବସକୁ ଏହି ବସ ଷ୍ଟାଣ୍ଡକୁ ଆସିବାକୁ ବାଧ୍ୟ କରାଯାଇ ନାହିଁ । ପୂର୍ବରୁ ବ୍ରହ୍ମପୁର ସହର ମଧ୍ୟରେ ଯେକୌଣସି ସ୍ଥାନରେ ବସ ଷ୍ଟପ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲେ , ତାହା ଉପରେ ବର୍ତ୍ତମାନ ଅଙ୍କୁଶ ଲଗାଇ ଦିଆଯାଇଛି । ବର୍ତ୍ତମାନ ବ୍ରହ୍ମପୁର ସହରରେ ଚାରୋଟି ସ୍ଥାନରେ ବସ ଷ୍ଟପେଜ ପାଇଁ ସ୍ଥିର କରାଯାଇଅଛି । ୧.ହରଡ଼ଖଣ୍ଡି ଛକ (ଧୋବବନ୍ଧ ଚକ ), ୨.କର୍ପୋରେସନ ରୋଡ ୩.ଇଂଜିନୀଅରିଙ୍ଗ ଛକ ୪.ଏମ କେ ସି ଜି ମେଡିକାଲ ଛକରେ ବସ ଷ୍ଟପେଜ କରିବା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବସ ରହିବ ନାହିଁ । ଯଦି ଏହାକୁ ଅବମାନନା କରନ୍ତି ,ତେବେ ସଂପୃକ୍ତ ବସକୁ ଜରୀମାନା ଦେବାକୁ ପଡିବ । ବ୍ରହ୍ମପୁର ସହରରେ ଏବେ ୨୩ଟି ସ୍ଥାନରେ ଶହେ ଗୋଟି କେମେରା ଲାଗିଛି । ସେଥିରେ ବସ ଗୁଡିକର ଗତିବିଧିକୁ ତଦାରଖ କରି ସିଧାସଳଖ ବସ ମାଲିକଙ୍କ ନିକଟକୁ ପରିବହନ ବିଭାଗ ପକ୍ଷରୁ ଏକ ଜରିମାନା ପତ୍ର ପହଞ୍ଚିବ । ପୂର୍ବରୁ ସହରର ୫ଟି ସ୍ଥାନରେ ଅତ୍ୟଧୁନିକ ଧରଣର ସି.ସି.ଟି.ଭି ଲାଗିଛି, ସେଥିରେ ଯାନବାହନ ଚଳା ଚଳ ବେଳେ ନାଲି ରଙ୍ଗ ଲାଇଟ,ନମ୍ବର ପ୍ଲେଟ,ଦ୍ରୁତ ଗତି ଚାଳନା ଆଦି ଉପରେ କେମେରା ତଦାରଖ କରୁଛି । ଏଥିରେ ଘରୋଇ ବସ ମାଲିକ ସଂଘର ସମ୍ପାଦକ ସନ୍ତୋଷ କୁମାର ପତି ହସ୍ତକ୍ଷେପ କରି ସିଟି ହସ୍ପିଟାଲ ଛକ ଏବଂ ଗେଟବଜ଼ାର ଛକ ଅତ୍ୟଧିକ ବସ ଗୁଡିକ ଷ୍ଟପେଜ ବାବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଏଥିରେ ରାଜି ହୋଇନଥିବା ସ୍ଥଳେ ଏହି ନିୟମକୁ ୧୫ଦିନ କାର୍ଯ୍ୟକାରୀ କରିବା ପରେ ଲୋକଙ୍କର ଯଦି ସମ୍ପୂର୍ଣ ଅସୁବିଧା ହେଉଛି ତେବେ ଏହାକୁ ବିଚାର କରାଯିବ ବୋଲି କହିଥିଲେ । ଶ୍ରୀ ପତି ଆହୁରି ଏକ ଅଭିଯୋଗ କରିଥିଲେ ଯେ , କେବଳ ଘରୋଇ ବସ ପାଇଁ ଏହି ନିୟମ ନା ସିଟି ବସ ପାଇଁ ଏହି ନିୟମ ଲାଗୁ ଅଛି । ସେ କହିଥିଲେ ସିଟି ବସ ଗୁଡିକରେ ଜିପିଏସ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପେରମିଟ ଅନୁସାରେ ଷ୍ଟପେଜ କରିବେ , ସେଥିରେ ଯଦି ସେମାନେ ଅବମାନନା କରନ୍ତି ତେବେ ସେମାନଙ୍କୁ ମଧ୍ୟ ଜରିମାନା ଦେବାକୁ ପଡିବ । ଏଥି ସହ ହଳଦିଆପଦର ଏବଂ ଛତ୍ରପୁର ଠାରେ ଦୁଇ ଗୋଟି ଅଣ୍ଡର ପାସ୍ ର ବ୍ୟବସ୍ଥା କରାଯିବ । ସଡକ ନିରାପତା ଆଇନକୁ ମାନିବାକୁ ହେବ ଚଳିତ ବର୍ଷ ଜାନୁଆରୀ ମାସରେ ଦୁର୍ଘଟଣାରେ ୮୦ଜଣକ ମୁର୍ତ୍ୟୁ ହୋଇଥିବା ବେଳେ ଗଲା ମାସରେ ଏହାକୁ କଡାକଡି ପାଳନ କରାଯିବାରୁ କେବଳ ୨୦ଜଣଙ୍କର ମୁର୍ତ୍ୟୁ ହୋଇଛି । ତୁରନ୍ତ ଛତ୍ରପୁର ନୂତନ ବସଷ୍ଟାଣ୍ଡଟି ମଧ୍ୟ କାର୍ଯ୍ୟକ୍ଷମ ହେଵ । ଗୋପାଳପୁର ,ହିଞ୍ଜିଲି ଏବଂ ଆସ୍କା ଭଳି ସହର ଗୁଡିକରେ ଆସନ୍ତା ଦିନରେ ଟ୍ରାଫିକ ନିୟମକୁ କଡା କଡୀ କରାଯିବା ସହ ବସ ଷ୍ଟପେଜକୁ ସୀମିତ କରାଯିବ । ବ୍ରହ୍ମପୁର ସହରର ଡ୍ରେନ ଏବଂ ଟ୍ରାଫିକ ସମସ୍ୟା ନେଇ ଅବରୋଧ କରିଥିବା ଅଞ୍ଚଳ ଗୁଡିକୁ ଉଛେଦର ବ୍ୟବସ୍ତା ହେବ । ବ୍ରହ୍ମପୁର ବସଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ଏକ କୋଟି ଟଙ୍କାର ଟେଣ୍ଡର ବାହାର କରାଯାଇଛି । ସେଠାରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ତା କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନେର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି । ଏହି ବୈଠକରେ ବି.ଡ଼ି.ଏ ସଚିବ ସମ୍ବିତ କୁମାର ରାଉତ , ଆର .ଟି.ଓ ସଂଜୟ କୁମାର ବିଶ୍ୱାଳ ,ଏନ.ଏଚ.ଆଇ.ଏ. କର୍ତୃପକ୍ଷ ଏବଂ ଘରୋଇ ବସ ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ADVERTISEMENT