କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ ପ୍ରଚଳନକୁ ନେଇ ଆସିକା ବିଜେପି ପକ୍ଷରୁ ବ୍ଲକ ଓ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

9

ଆସିକା,୨୮/୯(ଏଜେନ୍ସି ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର କ୍ରମାଗତ ଭାବେ ନିଜ ନାମରେ ପ୍ରଚଳନ କରି ରାଜ୍ୟବାସୀଙ୍କୁ ଭୁୟାଁ ବୁଲାଉଥିବା ଅଭିଯୋଗରେ ଆସିକା ବିଜେପି ପକ୍ଷରୁ ବ୍ଲକ ଓ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ କରାଯାଇଥିଲା । ଏହି ଅବସରରେ ଶତାଧିକ ବିଜେପି କର୍ମୀ ମାନଙ୍କୁ ନେଇ ଏକ ବାଇକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ । ସେଠାରେ ଏକ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା । ଏହି ସଭାରେ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ନାରୀ ନେତ୍ରୀ ଅନିତା ପ୍ରିୟଦର୍ଶନୀ ପଟ୍ଟନାୟକ, ଦୁର୍ଗାଚରଣ ପଟ୍ଟନାୟକ, ନାରାୟଣ ହୋତା, ବିପିନ ବିହାରୀ ପାଢୀ, ରବିନ୍ଦ୍ର ନାଥ ପୋଲାଇ, ସନ୍ତୋଷ କୁମାର ପୋଲାଇ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ଚର୍ଚ୍ଚି ପ୍ରମୁଖ ଯୋଗ ଦେଇ ଥିଲେ । ଅଭିଯୋଗ ଅନୁଯାୟୀ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କା ଘର ଗୁଡିକୁ ରାଜ୍ୟ ସରକାର ବିଜୁ ପକ୍କା ଘର ବା ମୋ ଆବାସ ଯୋଜନା ନାମରେ ପ୍ରଚଳନ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାଶ ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ । ସେହିଭଳି ମୋଦି ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ରାଜ୍ୟ ସରକାର ଏଠାରେ କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଳାଇ ବାହା ବାହା ନେଉଥିବା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ବିକ୍ଷୋଭ ସଭାରେ ଅଭିଯୋଗ କରିଥିଲେ । ଶେଷରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହାପରେ ଶତାଧିକ ବିଜେପି କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟରୁ ବାହାରି ଆସିକା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ୨୦୧୧ ଜନଗଣନା ଅନୁଯାୟୀ ଗ୍ରାମପଚାଂୟତ ନିର୍ବାହି ଅଧିକାରୀ ମାନେ ଗରିବ ହିତାଧିକାରୀ ମାନଙ୍କ ତାଲିକା ତଦାରଖ କରିବା କଥା କିନ୍ତୁ ଏହି ତାଲିକା ଦଳିୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀ ମାନଙ୍କୁ ବଂଚିତ କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ସମୃଦ୍ଧି ଯୋଜନାର ନାମକୁ ଏବଂ ଲୋଗକୁ ବଦଳାଇ ରାଜ୍ୟ ସରକାର ଏହା ତାଙ୍କର ଯୋଜନା ବୋଲି କହି ବିଜ୍ଞାପନରେ ପ୍ରକାଶ କରିଛନ୍ତି । ଏହି ହିନ ଚକ୍ରାନ୍ତ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ ରୁହନ୍ତୁ ଓ ଲୋକଙ୍କୁ ଭୁଲ ତଥ୍ୟ ନଦିଅନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ଏହି ମର୍ମରେ ରାଜ୍ୟପାଳଙ୍କ ଉଦ୍ଧେଷ୍ୟରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

ADVERTISEMENT