ରାଜ୍ୟସଭାରୁ ଇସ୍ତଫା ଦେବାକୁ ନିଜ ସାଂସଦମାନଙ୍କୁ କହିଲେ ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ,୦୮/୦୮(ଏଜେନସି ) : ରାଜ୍ୟସଭାରେ ଥିବା ତାଙ୍କର ଦୁଇ ଜଣ ସାଂସଦ ଇସ୍ତଫା ଦିଅନ୍ତୁ ବୋଲି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚାହୁଁଥିବା କଥା ଜଣାପଡ଼ିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଜଣେ ସହଯୋଗୀ କହିଛନ୍ତି । ଘରୁ ଅଣାଯାଇ ତାଙ୍କୁ ଗୋଟାଏ ଗେଷ୍ଟ୍‍ହାଉସ୍‌ରେ ବନ୍ଦୀ କରାଯିବା ସମୟରେ ସେ ବାର୍ତ୍ତା ପଠାଇଥିଲେ କି, ଇସ୍ତଫା ଦିଅ ନଚେତ ବହିଷ୍କାର ହେବ । ୨୦୧୮ ଯାଏଁ ବିଜେପି ସହ ମେଣ୍ଟ କରିଥିବା ପିପଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟିର ରାଜ୍ୟସଭାରେ ଦୁଇ ଜଣ ସଦସ୍ୟ ଅଛନ୍ତି । ଜୁନ୍‌ ୨୦୧୮ରେ ବିଜେପି ପିପଲ୍ସ ଡେମୋକ୍ରାଟିକ୍‌ ପାର୍ଟିରୁ ସମର୍ଥନ ପ୍ରତ୍ୟାହାର କରି ଆଣିଥିଲା । ସରକାର ଜମ୍ମୁ ଓ କଶ୍ମୀର ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିବା ପରେ ଦୁଇ ସଦସ୍ୟ ମିର୍‌ ଫୟାଜ୍‌ ଏବଂ ନାଜିର ଅହମଦ୍‌ ଲେଓ୍ଵ ସମ୍ବିଧାନର ପୁସ୍ତିକା ଚିରି ପକାଇଥିଲେ । ଫୟାଜ୍‌ କହିଥିଲେ ସେମାନେ ଇସ୍ତଫା ଦେବାକୁ ବିଚାର କରୁଥିଲେ, କିନ୍ତୁ ପିଡିପି ନେତୃତ୍ୱ ସହ ଯୋଗାଯୋଗ କରିବାକୁ ଚାହାଁନ୍ତି । ସେ କହିଲେ ଯେ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ଆମେ କାହା ସହ କଥାବାର୍ତ୍ତା କରିବାକୁ ସମର୍ଥ ହୋଇ ପାରୁନାହିଁ । ଆମେ ଆଲୋଚନା କରିବୁ, ଏବଂ ନିଷ୍ପତ୍ତି ନେବୁ।

ADVERTISEMENT