ସାମଜିକ ବାସନ୍ଦ ହେଲେ ପରିବାର

9

ହିଂଜିଳିକାଟୁ, ୩ା୧୦ (ଶେଷଦେବ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଗ୍ରାମ୍ୟ କମିଟି ନିଷ୍ପତିରେ ଗୋଟିଏ ପରିବାର ଦୁର୍ବିସହ ଜୀବନ କାଟୁଛନ୍ତି । ଝିଅର ବ୍ୟକ୍ତିଗତ ଜୀବନରେ ଦଖଲ କରି ଗ୍ରାମ୍ୟ କମିଟି ବାପ ମାଆଙ୍କ ଉପରେ ବାସନ୍ଦ ଭଳି ଚରମ ନିଷ୍ପତି ଶୁଣାଇଛନ୍ତି । ୫ହଜାର ୫ଶହ ଜରିମାନା କରିବା ସହ ଗାଁରେ ଧିଣ୍ଡରା ଦେଇ ସାମାଜିକ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଗତ ଜୁଲାଇ ମାସ ୪ତାରିଖରୁ ଗ୍ରାମର ନାଡ଼ି ଭଗବାନଙ୍କ ପରିବାରଙ୍କୁ ସାମାଜିକ ବାସନ୍ଦ ହୋଇଥିବାରୁ ପରିବାର ଲୋକେ ଅନ୍ୟତ୍ର ରହୁଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନ ଓ ନାଡ଼ି ରାଜଶ୍ୱରୀଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ମମତା ବଡ଼ଖଣ୍ଡି ଗ୍ରାମରେ ବିବାହ କରିଛନ୍ତି । ତେବେ କୋୖଣସି କାରଣରୁ ମମତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିବାରୁ ଗତ ୧୫ଜୁନରେ ଗାଁ କମିଟିରେ ବିଚାର ହୋଇଥିଲା । ଚାକିରୀ ଛାଡ଼ି ଗାଁରେ ରହିବାକୁ କମିଟି ମମତାଙ୍କୁ କହିଥିଲେ । ତେବେ ଏଥିରେ ମମତା ରାଜି ହୋଇ ନଥିଲେ । ୪ଜୁଲାଇରେ କମିଟି ଗାଁ’ରେ ଧେଣ୍ଡୁରା ଦେଇ ଭଗବାନଙ୍କ ପରିବାରଙ୍କୁ ବାସନ୍ଦ କରିଥିଲେ । ଏଥିନେଇ ଭଗବାନ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇ ନାହିଁ । ମୁଖ୍ୟମନ୍ତ୍ରୀ, ପୋଲିସ ଡ଼ିଜିପି, ଜିଲାପାଳ, ଗଞ୍ଜାମ ଏସପିଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ଦୀର୍ଘ ୧ମାସରୁ ଉର୍ଦ୍ଧ୍ୱ ହେବ ଚିଠିଦ୍ୱାରା ଅବଗତ କରାଯାଇଥିଲେ ମଧ୍ୟ କୋୖଣସି ସୁଫଳ ମିଳିନି । ଚଳିତ ବର୍ଷ ବାସନ୍ଦ ପରିବାରର ଚାଷ ଜମିକୁ କୋୖଣସି ମୂଲିଆ ନ ଆସିବାରୁ ବିଲ ପଡ଼ିଆ ପଡ଼ିଛି । ଉପରିସ୍ଥ ଅଧିକାରୀ ଘଟଣାର ସମାଧାନ ସହ ସେମାନଙ୍କ ଗ୍ରାମରେ ବଂଚିବାକୁ ଦେବାକୁ ନାଡ଼ି ଭଗବାନ ଓ ତାଙ୍କ ସ୍ତ୍ରୀ ନାଡ଼ି ରାଜେଶ୍ୱରୀ ନିବେଦନ କରିଛନ୍ତି । ଘଟଣାର ସମାଧାନ ପାଇଁ ଚେଷ୍ଟା କରୁଥିବା ଓ ସମାଧାନ ବାଟ ନ ଫିଟିଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି ।

ADVERTISEMENT