ଇଚ୍ଛା ଆଗରେ ହାର୍ ମାନିଲା ଅଭାବ ! ଦିନେ ଚାଳକୁଡିଆରେ ରହୁଥିବା ପିଲା ଆଜି ବର୍ଜିନିୟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ

ମୁମ୍ବାଇ, ୮/୧୦( ଏଜେନ୍ସି) : ଇଚ୍ଛା ଆଗରେ ଅଭାବର ସ୍ଥାୟିତ୍ୱ ନଥାଏ । ଆପତ୍ତି ପଡିଲେ ହିଁ ମଣିଷ ସ୍ୱୟଂର ଆବିଷ୍କାର କରିଥାଏ । ଅଭାବ କାରଣରୁ ଜଣେ ଅଧାବାଟରୁ ହିଁ ହାର୍ ମାନୁଥିବା ବେଳେ କୁଡିଆରେ ରହୁଥିବା ଜୟକୁମାର ଯେ ଆଜିର ଦିନରେ ବୈଜ୍ଞାନିକ ହୋଇପାରିଛନ୍ତି ଏହା କାହାଣୀ ଭଳି ଲାଗୁଥିଲେ ବି ସତ । ଦିନେ ପୁଅର ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ମା’ଙ୍କୁ ହାତ ପତାଇବାକୁ ପଡୁଥିଲା । ଲୋକେ ଅଯଥାରେ ପାଠପଢାରେ ଟଙ୍କା ଖର୍ଚ୍ଚ ନ କରି ପୁଅକୁ ଡ୍ରାଇଭର୍ ଚାକିରୀ କରିବା ପାଇଁ ମା’କୁ ପରାମର୍ଶ ଦେଉଥିଲେ । କିନ୍ତୁ ଆଜିର ଦିନରେ ଜୟକୁମାର ଡ୍ରାଇଭର୍ ନହୋଇ ବୈଜ୍ଞାନିକ ହୋଇ ନିଜ ସ୍ୱପ୍ନକୁ ପୂରଣ କରି ଦେଖାଇଛନ୍ତି । ମାୟାନଗରୀ ମୁମ୍ବାଇର କୁଡିଆରେ ରହି ସ୍ୱର୍ଣ୍ଣିଳ ସ୍ୱପ୍ନ ଦେଖିଥିବା ଜୟକୁମାର ଏବେ ବର୍ଜିନିୟା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ । ଜୟକୁମାର ଇଲେକ୍ଟ୍ରିକାଲ୍ ଏବଂ କମ୍ପ୍ୟୁଟର ବିଜ୍ଞାନ ଇଞ୍ଜିନିୟରିଂ ବିଭାଗରେ ନାନୋ-ଟେକ୍ନୋଲଜି , ନାନୋ-ଆସିଲେଟର୍ସ , ନାନୋ-ସ୍କେଲ୍ ଡିଭାଇସ୍ ଆପ୍ଲିକେସନ୍ ଏବଂ ଆର୍କିଟେକ୍ଚରର ଅଧ୍ୟୟନ କରୁଛନ୍ତି । ଜୟକୁମାର ପିଲାଟି ଦିନରୁ ଅଭାବକୁ ପାଖରୁ ଦେଖିଛନ୍ତି । ସ୍ୱାମୀ ପରିତ୍ୟକ୍ତା ମା’ ନଳିନୀ ପିଲାଟି ଦିନରୁ ଜୟକୁମାରଙ୍କୁ ଅଭାବରେ ମଧ୍ୟ ପାଠ ପଢାଇ ଆସୁଥିଲେ । ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ କରିବାକୁ ତାଙ୍କୁ ପରଘରେ ବାସନ ମାଜିବାକୁ ପଡୁଥିଲା । ଏଭଳି ସ୍ଥିତିରେ ଘର ପାଖରେ ଥିବା ଏକ ମନ୍ଦିରର ଟ୍ରଷ୍ଟ୍ ପକ୍ଷରୁ ତାଙ୍କୁ ଖାଦ୍ୟସାମଗ୍ରୀ ଏବଂ ପୋଷାକ ଯୋଗାଇ ଦିଆଯାଉଥିଲା । ଆଜି ପର୍ଯ୍ୟନ୍ତ ବି ସେହି ପୁରୁଣା ପୋଷାକକୁ  ଜୟକୁମାର ଏବଂ ତାଙ୍କ ମା’ ପିନ୍ଧିଥାନ୍ତି । ବସ୍ତିର ଛୋଟିଆ ଘରେ ସେ ପରୀକ୍ଷା ପ୍ରସ୍ତୁତି କରୁଥିଲେ । ସାଙ୍ଗସାଥୀଙ୍କ ଘରେ ଅନ୍ତରୀକ୍ଷ ସହ ଜଡିତ ଥିବା ଶୋ’ ଏବଂ ଡିସ୍କଭରୀ ଚ୍ୟାନେଲ୍ ଦେଖି ତାଙ୍କ ମନରେ ବିଜ୍ଞାନକୁ ନେଇ ଜିଜ୍ଞାସା ସୃଷ୍ଟି ହୋଇଥିଲା । ସମାଜ ତ ଡ୍ରାଇଭର୍ ହେବା ପାଇଁ ବାଧ୍ୟ କରୁଥିଲା କିନ୍ତୁ ଯୋଦ୍ଧା ଭଳି ମା’ ପାଇଥିବା ଜୟକୁମାରଙ୍କୁ ମା’ଙ୍କ ତରଫରୁ ଆଗକୁ ପଢିବା ପାଇଁ ପ୍ରୋତ୍ସାହନ ମିଳୁଥିଲା । ନିଜର କଠୋର ପରିଶ୍ରମ ଏବଂ ଧର୍ଯ୍ୟ ,ନିଷ୍ଠାପରତା ଯୋଗୁଁ ଆଜି ସେ ବୈଜ୍ଞାନିକ ହୋଇପାରିଛନ୍ତି । ସମାଜ ପାଇଁ ଜୟକୁମାର ଏବଂ ତାଙ୍କ ମା’ ନଳିନୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ADVERTISEMENT