ପୂଜା ସମୟରେ ଆନ୍ଦୋଳନ କରିବା ଯୋଗୁଁ ଏକାଥରକେ ଛଟେଇ ହେଲେ ୪୮ହଜାର କର୍ମଚାରୀ !

ତେଲେଙ୍ଗାନା, ୮/୧୦(ଏଜେନ୍ସି) : ତେଲେଙ୍ଗାନା ସରକାରୀ କର୍ମଚାରୀର ମାନ୍ୟତା ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ କେସିଆର ବହିଷ୍କାର କରିଛନ୍ତି । ସରକାରୀ କର୍ମଚାରୀର ମାନ୍ୟତା ଦାବି କରି ଆନ୍ଦୋଳନକୁ ଓହ୍ଳାଇଥିବା ତେଲେଙ୍ଗାନା ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନର କର୍ମଚାରୀଙ୍କ ବିରୋଧରେ କେସିଆର ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାର ଉଦାହରଣ ବୋଧହୁଏ ଆଗରୁ କେବେ ଦେଖିବାକୁ ମିଳିନଥିଲା । ପୂଜା ସମୟରେ ସବୁ କର୍ମଚାରୀ ଏକାଥରକେ ଆନ୍ଦୋଳନକୁ ଓହ୍ଳାଇବା ଅକ୍ଷମଣୀୟ ଅପରାଧ ବୋଲି କହି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୪୮ହଜାର କର୍ମଚାରୀଙ୍କୁ ଛଟେଇ କରିଦେଇଛନ୍ତି । ତେଲେଙ୍ଗାନା ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନର କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିଥିଲେ, ଯାହା ଫଳରେ ପୁରା ରାଜ୍ୟରେ ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି କର୍ପୋରେସନର ପ୍ରାୟ ୫୦ ହଜାର କର୍ମଚାରୀ ଆନ୍ଦୋଳନକୁ ଓହ୍ଳାଇଯିବା ଫଳରେ ସରକାରଙ୍କୁ ୧ହଜାର ୨ଶହ କୋଟି ଟଙ୍କାର କ୍ଷତି ହୋଇଛି ଏବଂ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନର ଋଣ ବୋଝ ୫ହଜାର କୋଟିକୁ ପହଂଚିଯାଇଛି ।
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଶନିବାର ସଂଧ୍ୟା ୬ଟା ପର୍ଯ୍ୟନ୍ତ ସାରିବାକୁ ଡେଡଲାଇନ ଦେଇଥିଲେ ତେଲେଙ୍ଗାନା ସରକାର । କିନ୍ତୁ ଏହି ସମୟ ସୀମା ଭିତରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିବାକୁ ମନାକରିଦେଇଥିଲେ । ଏହାପରେ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏପରିକି ବହିଷ୍କୃତ କର୍ମଚାରୀଙ୍କ ସହ କୌଣସି ଆଲୋଚନା ମଧ୍ୟ କରିବାକୁ ମନା କରିଦେଇଛନ୍ତି କେସିଆର ।

ADVERTISEMENT