ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଓଡ଼ିଶାର ଦୁଇଜଣ ଛାତ୍ରଛାତ୍ରୀ ଦେଖିବେ

35

ଭୁବନେଶ୍ୱର,୦୧/୦୯(କୁନାପ୍ରଧାନ) : ଆସନ୍ତା ୭ତାରିଖ ରାତି ଗୋଟାଏ ୫୫ମିନିଟରେ ‘ଚନ୍ଦ୍ରଯାନ ୨’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୬୦ଜଣ ଛାତ୍ରଛାତ୍ରୀଙ୍କ ସହିତ ଦେଖିବେ । ଏଥିରେ ଓଡ଼ିଶାର ୨ଜଣ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଝାରସୁଗୁଡା ଏମସିଏଲର ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସରନ୍ୟା ନନ୍ଦା ରହିଛନ୍ତି।ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଛାତ୍ରଛାତ୍ରୀମାନେ ଇସ୍ରୋର ବେଙ୍ଗାଲୁରୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଅଗଷ୍ଟ ୧୦ରୁ ୨୫ତାରିଖ ମଧ୍ୟରେ ଦେଶରେ ଏକାଧିକ ପର୍ଯ୍ୟାୟ ବିଶିଷ୍ଟ ବିଜ୍ଞାନ କୁଇଜ ଅନଲାଇନରେ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ୧୦ମିନିଟ ମଧ୍ୟରେ ୨୦ଟି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା । ଏଥିରେ ୬୦ଜଣ ଛାତ୍ରଛାତ୍ରୀ ସଫଳ ହୋଇଥିଲେ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାର ସୁଯୋଗ ମିଳିଛି। ସେହି ଦିନକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ADVERTISEMENT