ଆସାମ ରାଇଫଲରେ କାର୍ଯ୍ୟରତ ପ୍ରବୀର କୁମାର ନାୟକଙ୍କ ମୃତ୍ୟୁ

ଯାଜପୁର,୮/୧୦(ଏଜେନ୍ସି) : ଯାଜପୁର କଚେରୀ ଗାଁର ସହିଦ ପ୍ରବୀର କୁମାର ନାୟକ ଆସାମ ରାଇଫଲରେ କାର୍ଯ୍ୟରତ ଥିଲେ । ମାତ୍ର ୩୮ ବର୍ଷ ବୟସରେ ସେ ହୃଦଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ମରଶରୀରକୁ ଉପଯୁକ୍ତ ସମ୍ନାମ ଦିଆଯାଇ ନଥିବାରୁ ପରିବାର ସଦସ୍ୟ କ୍ଷୋଭ ପ୍ରକାଶ କରିବା ସହ ଧାରଣାରେ ବସିଥିଲେ । ସୂଚନା ଅନୁସାରେ ଆଜି ସକାଳ ୧୦ରେ ଏୟାରପୋର୍ଟରେ ସହିଦ ପ୍ରବୀର କୁମାର ନାୟକଙ୍କ ମରଶରୀର ପହଞ୍ଚିଥିଲା । ହେଲେ ତାଙ୍କୁ ଗାର୍ଡ଼ ଅଫ୍ ଅନରୁ ଦିଆଯାଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ପରିବାର ଲୋକ । ଜାତୀୟ ପତାକା ପାର୍ଥିବ ଶରୀର ଉପରେ ପଡ଼ିଥିବା ସତ୍ୱେ କାହିଁକି ଗାର୍ଡ଼ ଅଫ୍ ଅନର୍ ଦିଆଗଲାନି ବୋଲି ପ୍ରଶ୍ନ କରିଥିଲେ । ଏହା ବ୍ୟତୀତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନକରି ସାଧାରଣ ଆମ୍ବୁଲାନ୍ସରେ ମରଶରୀର ନେବା ପାଇଁ କୁହାଯାଉଛି । ଆହୁରି ଦୁର୍ଭାଗ୍ୟର ବିଷୟ ଆମ୍ବୁଲାନ୍ସ ଖର୍ଚ୍ଚ ମଧ୍ୟ ସହିଦଙ୍କ ବିଧବା ପତ୍ନୀ ହିଁ ବହନ କରିବେ । ସହିଦଙ୍କ ମରଶରୀର ପ୍ରତି ଏପରି ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବା ସହ ଗାର୍ଡ଼ ଅଫ ଅନର୍ ନଦେବା ପର୍ଯ୍ୟନ୍ତ ଯବାନଙ୍କ ମରଶରୀରକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ ପରିବାର ସଦସ୍ୟ । ଅନ୍ୟପଟେ ଆସାମ ରାଇଫଲସର ପଦାଧିକାରୀ କହିଛନ୍ତି, ହୃଦଘାତରେ ପ୍ରବୀରଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ତାଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇନାହିଁ । କୌଣସି ରୋଗରେ ମୃତ୍ୟୁ ହେଲେ ଯବାନଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯିବାର ବ୍ୟବସ୍ଥା ନାହିଁ । ତେବେ ଏଇଠି ପ୍ରଶ୍ନ ଉଠୁଛି ୨୦ ବର୍ଷ ଦେଶସେବା କରିବା ପରେ ବି ଗାଁ ପର୍ଯ୍ୟନ୍ତ ମରଶରୀର ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ । ଦେଶ ମାତୃକା ପାଇଁ କାମ କରିବା ସତ୍ତ୍ବେ ମୃତ୍ୟୁ ପରେ ସହିଦଙ୍କୁ ଉପଯୁକ୍ତ ସମ୍ମାନ ମିଳୁନି ।

ADVERTISEMENT