ସିଟି ହସ୍ପିଟାଲ୍‌ରେ ଅଚାନକ ପହଞ୍ଚିଲେ ଜିଲାପାଳ: ଦୁଇ ଔଷଧ ଦୋକାନ ବନ୍ଦ

5

ବ୍ରହ୍ମପୁର,୧୦/୧୦(ଗୁରୁପ୍ରସାଦ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠୁ ବରିଷ୍ଠ ପ୍ରଶାସକମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଛନ୍ତି। ଏହି କ୍ରମରେ ବୁଧବାର ଅପରାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚି ଥିଲେ। ରୋଗୀଙ୍କୁ କିଭଳି ସ୍ବାସ୍ଥ୍ୟ ସୁବିଧା ମିଳିପାରୁଛି, ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଅସାଧୁ ଡାକ୍ତରମାନେ କିଭଳି ଭାବେ ଘରୋଇ ଔଷଧ ଦୋକାନକୁ ବ୍ୟବସାୟିକ ଫାଇଦା କରାଇବା ପାଇଁ ଚଢ଼ାଦରର ଔଷଧ ଲେଖୁଛନ୍ତି, ତାହା ଦୃଷ୍ଟିକୁ ଆସିଥିଲା। ଚିକିତ୍ସାଳୟ ପରିସରରେ ଥିବା ଦୁଇଟି ଔଷଧ ଦୋକାନରେ ପହଞ୍ଚି ଉଭୟକୁ ବନ୍ଦ କରିଥିଲେ । ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳକୁ ଜିଲାପାଳ କୁଲାଙ୍ଗେ ସିଟି ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ଗୋଟିଏ ପରେ ଗୋଟିଏ ୱାର୍ଡ଼ ବୁଲିଥିଲେ।ତାଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏବଂ ସିଟି ହସ୍‌ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଡା. ପି.କୁର୍ମେୟାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ଜିଲାପାଳ କୁଲାଙ୍ଗେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଧରିଥିଲେ। ବିଶେଷକରି ଘରୋଇ ଔଷଧ ଦୋକାନଗୁଡ଼ିକ ଯେଭଳି ଭାବେ ରୋଗୀଙ୍କୁ ଶୋଷଣ କରୁଛନ୍ତି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ରୋଗୀ ଆଉଟ୍‌ଡୋର୍‌ରୁ ପ୍ରେସ୍‌କ୍ରିପସନ୍‌ ନେଇ ବାହାରକୁ ବାହାରିବା କ୍ଷଣି ଘରୋଇ ଔଷଧ ଦୋକାନର ଦଲାଲ୍‌ମାନେ ସେମାନଙ୍କୁ ଟାଣି ନେଉଛନ୍ତି। ଗ୍ରାମାଞ୍ଚଳ ଏବଂ ଗରିବ ରୋଗୀଙ୍କୁ ଚଢ଼ା ଦରରେ ଔଷଧ ବିକ୍ରି କରୁଛନ୍ତି। ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକିର ପରିସ୍ଥିତି ଦେଖାଦେଉଛି ।

ADVERTISEMENT