କେରଳର ସିରିୟଲ କିଲର୍‌ ଜଲି : ୧୪ ବର୍ଷରେ ୬ ହତ୍ୟା

20

ଥିରୁବନନ୍ତପୁରମ୍‌ ,୧୦/୧୦(ଏଜେନ୍ସି) : କେରଳର କୋଝିକୋଡ଼ରେ ସମ୍ପତ୍ତିକୁ ନେଇ ଜଣେ ମହିଳା ପରିବାରର ୬ ସଦସ୍ୟଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ହତ୍ୟା କରିବା ଘଟଣା ପ୍ରଘଟ ହେବାପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସିରିୟଲ କିଲର ଜଲି ଆମ୍ମା ଯୋଶେଫ୍‌ ୧୪ ବର୍ଷରେ ସ୍ବାମୀଙ୍କଠାରୁ ଆରମ୍ଭ କରି ଶାଶୂ, ଶ୍ବଶୂରଙ୍କ ସମେତ ମୋଟ ୬ ଜଣଙ୍କୁ ସେ ସାଇନାଏଡ ଦେଇ ମାରିଛି। ତାର ଟାର୍ଗେଟ୍‌ରେ ୨ ଜଣ ଶିଶୁ ମଧ୍ୟ ଥିଲେ। ସେମାନଙ୍କୁ ମଧ୍ୟ ସେ ସାଏନାଏଡ୍‌ ଦେଇ ମାରିବାକୁ ଚେଷ୍ଟା କରିଥିଲା। କିନ୍ତୁ ୨ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଲିର ସ୍ବାମୀ ରୟ ଥୋମାସ୍‌ଙ୍କ ମୃତ୍ୟୁର ୮ ବର୍ଷ ପରେ ପୁଲିସ ଗତ ୫ ତାରିଖରେ ଜଲି ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ଜଲି ଆଉ କେତେ ଜଣଙ୍କୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିବା ତଦନ୍ତରୁ ଜଣାପଡ଼ିଛି। ଜଲି ସମସ୍ତଙ୍କୁ ଖାଦ୍ୟରେ ସାଇନାଏଡ୍‌ ଦେଇ ମାରିଥିବା ସ୍ବୀକାର କରିଛି। ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଏମ୍‌ଏସ ମାଥ୍ୟୁ (୪୪) ଏବଂ ପ୍ରାଜୀ କୁମାର (୪୮) ଗିରଫ ହୋଇଛନ୍ତି। ମାଥ୍ୟୁ ଜଲିର ଜଣେ ଘନିଷ୍ଠ ସହଯୋଗୀ ଥିଲା। ପ୍ରାଜିକୁମାର ମାଥ୍ୟୁକୁ ସାଏନାଇଡ୍‌ ଯୋଗାଇ ଦେଉଥିଲା ଏବଂ ପରେ ମାଥ୍ୟୁ ଏହା ଜଲିକୁ ହସ୍ତାନ୍ତର କରୁଥିଲା। ଜଲିର ପ୍ରଥମ ସ୍ବାମୀ ରୟ ଥୋମାସ୍‌ଙ୍କ ଭାଇ ରଜୋ ଆମେରିକାରେ ରହୁଥିବା ବେଳେ ସେ ପରିବାରରେ ହେଉଥିବା ରହସ୍ୟଜନକ ମୃତ୍ୟୁ ନେଇ ପୁଲିସ‌ରେ ଅଭିଯୋଗ କରିଥିଲେ। ରଜୋଙ୍କ ଅଭିଯୋଗ ଆଧାରରେ ପୁଲିସ ଜଲିକୁ ଗିରଫ କରିଛି। ଉକ୍ତ ଘଟଣାର ଏବେ ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଯାଇଛି। ମାମଲା ବହୁତ ଜଟିଳ ଥିବାରୁ ଏସ୍‌ଆଇଟି ଏକ୍ଷେତ୍ରରେ ବିଦେଶୀ ଲ୍ୟାବ୍‌ର ସହଯୋଗ ନେଇପ‌ାରେ ବୋଲି କୁହାଯାଉଛି।

ADVERTISEMENT