ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବିଭାଗର ନିର୍ଦ୍ଧେଶକୁ ଅଣଦେଖା : ଛାତ୍ର ଛାତ୍ରୀଙ୍କୁ ମିଳିଲାନି ପୋଷାକ

25

ହିଂଜିଳିକାଟୁ,୦୧/୦୯ (ଶେଷଦେବ ସାହୁ): ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ମାଗଣାରେ ପୋଷାକ, ଜୋତା ଓ ମୋଜା ପ୍ରଦାନ ସକାଶେ ରାଜ୍ୟ ସରକାରଙ୍କ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବିଭାଗର ଚିଠି ସଂଖ୍ୟା- ୪୯୮୭/୧୬.୦୭.୨୦୧୯ ଓ ୮୭୨୯/୧୬.୦୯.୨୦୧୮ ଏବଂ ଗଂଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଚିଠି ସଂଖ୍ୟା – ୩୦୧୧/୦୫.୦୮.୨୦୧୯ କୁ ବର୍ତମାନ ସୁଦ୍ଧା ହିଂଜିଳିକାଟୁ ବ୍ଳକରେ ସଫଳତାର ସହ କାର୍ଯ୍ୟକାରୀ ହୋଇନଥିବା ଯୋଗୁଁ ସାଧାରଣରେ ଶିକ୍ଷାବିଭାଗ କର୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ (୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ)ଅଧ୍ୟୟନରତ ସମସସ୍ତ ବାଳିକା, ଅନୁସୂଚିତ ଜାି/ ଜନଜାତି ଓ ଦାରିଦ୍ର୍ୟ ସିମାରେଖା ତଳେ ଥିବା ପରିବାରର ସମସ୍ତ ବାଳକ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡ଼ିକର ଛାତ୍ରବାସରେ ରହୁଥିବା ଅନ୍ତେବାସୀ ଓ ବାହାରେ ରହି ସେହି ବିଦ୍ୟାଳୟ(ଡେ଼-ସ୍କଲାର)ରେ ପଢୁଥିବା ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ମାଗଣା ପୋଷାକ ଓ ଜୋତା ବିତରଣ ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ମାନଙ୍କ ସକାଶେ ଜଣକ ପିଛା ୪୦୦ ଟଙ୍କା ମୂଲ୍ୟରେ ହଳେ ୟୁନିଫର୍ମ ଏବଂ ଜଣକ ପିଛା ୨୦୦ ଟଙ୍କା ମୂଲ୍ୟରେ ଏକ ହଳ ଜୋତା ଓ ଦୁଇ ହଳ ମୋଜା ବଂଟନ କରିବା ଲାଗି ସରକାରୀ ସ୍ତରରେ ନିଷ୍ପତି ନିଆଯାଇଥିଲା । ତେବେ ହିଂଜିଳିକାଟୁ ଗୋଷ୍ଟି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଶତାଧିକ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ବର୍ତମାନ ସୁଦ୍ଧା ସରକାର ମାଗଣାରେ ଯୋଗାଇ ଦେବାକୁ ଥିବା ପୋଷାକ, ଜୋତା ଓ ମୋଜା ମିଳିନଥିବା ଜଣାପଡ଼ିଛି । ଯାହା ଫଳରେ ରାଜ୍ୟ ସରକାରଙ୍କ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବିଭାଗର ନିର୍ଦ୍ଧେଶକୁ ଅଣଦେଖା କରାଯାଉଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ପରିସ୍ଥିତିରେ କିିଛି ଶିକ୍ଷାର୍ଥୀ ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ମହତ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ଦିଗରେ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ହିଂଜିଳିକାଟୁ ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।

ADVERTISEMENT