ଅବ୍ୟବସ୍ଥାରେ ଅସ୍ଥାୟୀ ବସଷ୍ଟାଣ୍ଡ : ବସଷ୍ଟାଣ୍ଡ ମଧ୍ୟକୁ ଯାଉନି ଗାଡ଼ି, ଯାତ୍ରୀ ହନ୍ତସନ୍ତ

53

ହିଞ୍ଜିଳିକାଟୁ, ୧୫ା୧୦ (ଶେଷଦେବ ସାହୁ): ସହରକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ତଥା ଯାତ୍ରୀ ମାନଙ୍କ ସୁବିଧା ପ୍ରଦାନ ଲକ୍ଷ୍ୟରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁରେ ୩.୨୧ କୋଟି ଟଙ୍କା ବ୍ୟୟରେ ଏକ ବସ ଟର୍ମିନାଲ ନିର୍ମାଣ ସକାଶେ ଗତ ଏପ୍ରିଲ ୪ ୨୦୧୭ ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗ୍ରସ୍ତ ସମୟରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ବସ ଟର୍ମିନାଲ ନିର୍ମାଣ ପାଇଁ ପୌର ପରିଷଦର ନିଜସ୍ୱ ଆୟ ୭୪ ଲକ୍ଷ ଟଙ୍କା ରହିଛି । ରାସ୍ତା ଓ କୋଠାବାଡ଼ି ଗ୍ରାମ ଡ଼ିଭିଜନ – ୧ ପକ୍ଷରୁ ଏହାର ଟେଣ୍ଡର କରାଯାଇଛି । ବ୍ରହ୍ମପୁର ଉନ୍ନୟନ କର୍ତୁପକ୍ଷ (ବିଡ଼ିଏ) କାର୍ଯ୍ୟ ପାଇଁ ବୈଷୟିକ ସହାୟତା ପ୍ରଦାନ କରିବା ସକାଶେ ସ୍ଥରିକୃତ ହୋଇଥିଲା । ଗତ ୨୦୧୭ ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚୁକ୍ତି ହୋଇଥିଲା । ଚୁକ୍ତି ଅବଧି ଶେଷ ହେବାର ପ୍ରାୟ ୧ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ବସ ଟର୍ମିନାଲ କାର୍ଯ୍ୟ ଶତକଡ଼ା ୭୦ ଭାଗ ସରିନାହିଁ । ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ସମେତ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଏସଡ଼ିଓ, ସହକାରୀ ଯନ୍ତ୍ରୀ ବାରମ୍ବାର ଘଟଣା ସ୍ଥଳ ପରିଦର୍ଶନ କରି ଫେରୁଥିଲେ ମଧ୍ୟ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଦେଖାଦେଉଛି । ଅନ୍ୟ ପକ୍ଷରେ ବସ ଟର୍ମିନାଲ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମକୁ ଅସ୍ଥାୟୀ ବସଷ୍ଟାଣ୍ଡ ଭାବେ କାର୍ଯ୍ୟକାରୀ କରାଯାଉଛି । ପରିତାପର ବିଷୟ ହିଂଜିଳିକାଟୁ ସହର ମଧ୍ୟକୁ ପ୍ରତ୍ୟେହ ୫୦୦ରୁ ଉଦ୍ଧ୍ୱର୍ ଯାତ୍ରୀବାହୀ ବସ ଆସୁଥିବା ବେଳେ ଯାତ୍ରୀ ମାନଙ୍କ ସକାଶେ କୌଣସି ପ୍ରକାର ସୁବିଧା ସୁଯୋଗ ନଥିବା ଯୋଗୁଁ ବହୁ ସମୟରେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି ।ପ୍ରକାଶ ଥାଉକି, ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଂଜିଳିକାଟୁ ସହରକୁ ଗତ ୧୮.୧୧.୨୦୧୭ ତାରିଖରେ ପୌର ପରିଷଦର ମାନ୍ୟତା ମିଳିଥିଲା । ହିଂଜିଳିକାଟୁ ସହରକୁ ପୌର ପରିଷଦର ମାନ୍ୟତା ମିଳିଥିଲେ ମଧ୍ୟ ପୌରପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଏବଂ ମନମୁଖୀ ଶାସନ ଯୋଗୁଁ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ଯାତ୍ରୀ ମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଅସ୍ଥାୟୀ ବସଷ୍ଟାଣ୍ଡ ପରିସର ବର୍ଷ ପରେ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଉକ୍ତ ଖାଲଖମାରେ ବର୍ଷ ପାଣି ଜମି ରହିବା ସହ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ପିଇବା ପାଣି ତ ଦୂରର କଥା ଦୀର୍ଘ ଦିନ ଧରି ଶୌଚାଳୟରେ ତାଲା ଝୁଲୁଛି । ଦୁରଦୂରାନ୍ତରରୁ ଆସି ହିଂଜିଳିକାଟୁ ବସଷ୍ଟାଣ୍ଡରେ ଓହ୍ଲାଉଥିବା ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସଷ୍ଟାଣ୍ଡ ପରିସରରେ ଯାତ୍ରୀମାନେ ମୌଳିକ ସୁବିଧା ଅଭାବରୁ ବସଷ୍ଟାଣ୍ଡ ଭିତରକୁ ନଯାଇ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବସକୁ ଅପେକ୍ଷା କରି ରହୁଥିବାର ଦେଖିବାକୁ ମିଳୁଛି । ଏପରିକି ଯାତ୍ରୀବାହୀ ବସ ଗୁଡ଼ିକୁ ବସଷ୍ଟାଣ୍ଡ ମଧ୍ୟକୁ ପ୍ରବେଶ ନକରି ଜାତୀୟ ରାଜପଥ ଉପରେ ହିଁ ପାର୍କିଂ କରି ଯାତ୍ରୀ ମାନଙ୍କୁ ବସରୁ ଓହ୍ଲାଉଛନ୍ତି ଓ ଚଢାଉଛନ୍ତି । ଫଳରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ବହୁ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଜୁନ ୨୦୧୭ ରେ ଆରମ୍ଭ ହେବା ପରେ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମକୁ ଅସ୍ଥାୟୀ ବସଷ୍ଟାଣ୍ଡ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ଉକ୍ତ ସମୟରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଓ ଶୌଚାଳୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ପ୍ରଦାନ କରାଯାଇଥିଲା । ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ପିଇବା ପାଣି ଟୋପାଏ ପାଇବା ପାଇଁ ଯାତ୍ରୀ ମାନେ ଡ଼ହଳ ବିକଳ ହେଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଗତ ୨ ମାସ ଧରି ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ନିର୍ମାଣ ହୋଇଥିବା ୨ ଟି ଶୌଚାଳୟରେ ତାଳା ଝୁଲୁଛି । ପୁରୁଷ ଯାତ୍ରୀ ମାନେ ବସଷ୍ଟାଣ୍ଡ ପରିସରରେ ଲଜ୍ୟାହୀନ ଭାବେ ପରିଶ୍ରା କରୁଥିବା ବେଳ ମହିଳା ଯାତ୍ରୀଙ୍କ ଅବସ୍ଥା କହିଲେ ନସରେ । ଅସ୍ଥାୟୀ ବସଷ୍ଟାଣ୍ଡ ପରିସର ମଧ୍ୟକୁ ଗାଡ଼ି ଗୁଡ଼ିକ ନେବା ଦ୍ୱାରା ଖାଲଖମା ମଧ୍ୟରେ ଗାଡ଼ି ଚକା ପଡ଼ି ବହୁ ସମୟରେ ଗାଡ଼ିର ବହୁ ଯନ୍ତ୍ରାଂଶ ଭାଙ୍ଗି ଯାଉଥିବାରୁ ଗାଡ଼ି ଚାଳକ ମାନେ ବସଷ୍ଟାଣ୍ଡ ମଧ୍ୟକୁ ଗାଡ଼ି ନେବାକୁ ଅମଙ୍ଗ ହେଉଥିବା ନେଇ ବହୁ ଗାଡ଼ି ଚାଳକ ଅଭିଯୋଗ କରିଛନ୍ତି । ଘଟଣା ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଂଜନ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଶୌଚାଳୟରେ ତାଲା ଝୁଲିବା ଘଟଣା ବିଷୟରେ ସେ ଅବଗତ ନୁହନ୍ତି , ପାନୀୟ ଜଳ ଯୋଗାଣ ଏବଂ ବସଷ୍ଟାଣ୍ଡ ପରିସରରେ ରହିଥିବା ଖାଲଖମାକୁ ମାଟି ବିଛାଯାଇ ଯଥାଶୀଘ୍ର ସମତୁଲ କରାଯିବ ।

ADVERTISEMENT