ତହସିଲଦାରଙ୍କୁ ଗାଳିଗୁଲଜ ପ୍ରତିବାଦରେ ଆନ୍ଦୋଳନ

41

ଭଦ୍ରକ:୧୮/୧୦(ଡି.ଏଚ) : ପୁଲିସ ଉପସ୍ଥିତିରେ ଧାମନଗର ତହସିଲଦାରଙ୍କୁ ଗାଳିଗୁଲଜ ଓ ଅସଭ୍ୟ ବ୍ୟବହାର କଲେ ଦୁର୍ବୃତ୍ତ। କିନ୍ତୁ ଚୁପ୍‌ ରହିଲା ପୁଲିସ। ଗତକାଲି ରାତିର ଏ ଘଟଣାର ଭିଜୁଆଲ୍ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ୍‌ରେ ଭିଡିରେ ଧାମନଗର ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କୁ ଜଣେ ଯୁବକ ଗାଳିଗୁଲଜ୍ କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ୩୦ ସମୟରେ ଏହି ଯୁବକ ଜଣଙ୍କ ତହସିଲଦାରଙ୍କ ସରକାରୀ ବାସଭବନ ପାଖରେ ଗାଳିଗୁଲଜ କରିଥିଲେ। ଏହା ଶୁଣି ତହସିଲଦାର ବାହାରକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଯୁବକ ଜଣକ ନିଜକୁ ରାଜେଶ ମହାନ୍ତି ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ଧମକ ସହ ମନ ଇଚ୍ଛା ଗାଳି କରୁଥିବା ଦେଖିବାକୁ ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ଘଟଣା ପୁଲିସ ଉପସ୍ଥିତିରେ ଘଟିଥିଲା। ପୁଲିସ ଭ୍ୟାନ୍ ବି ପାଖରେ ଥିଲା। ଯୁବକ ଜଣକ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି କୁହାଯାଉଛି । ତେବେ ଏହି ଘଟଣା ପରେ ଆଜି ଯୁବକଙ୍କ ବିରୋଧରେ ଧାମନଗର ଥାନାରେ ଏତଲା ଦେଇଛନ୍ତି ତହସିଲଦାର। ସେପଟେ ଘଟଣାକୁ ନେଇ ବ୍ଲକ୍ କର୍ମଚାରୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଳିଗୁଲଜ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ୍ ଓ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ADVERTISEMENT