କାର୍ତିକ ଦ୍ୱିତୀୟ ସୋମବାର: ଶୈବପୀଠରେ ଭକ୍ତଙ୍କ ଭିଡ଼

21

ହିଞ୍ଜିଳିକାଟୁ, ୨୧ା୧୦ (ଶେଷଦେବ ସାହୁ) : ପବିତ୍ର କାର୍ତିକ ମାସ ଦ୍ୱିତୀୟ ସେମାବାର ଅବସରରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାର୍ଚ୍ଚନା ସକାଶେ ଅନୁମତି ଦିଆଯାଇଥିଲା । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଂଜିଳିର ସ୍ୱପ୍ନେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶିବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁ ବୁରୁପୋଡ଼ାର ମୁଦୁକେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର ସମେତ ନିକଟବର୍ତି ସାରୁ, ମକରଝୋଳ, ସମରଝୋଳ, ପୋଚିଲିମା, କଂଚୁରୁ, ଦୁର୍ବନ୍ଧ, ସିକିରି, ରାଳବ, ଶାସନଆମ୍ବଗାଁ, ନନ୍ଦିକ, ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ପ୍ରମୁଖ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ବହୁ ଭକ୍ତ ଶୈବପୀଠ ପରିସରରେ ହବିଷାନ୍ନ ବ୍ୟଂଜନ ପ୍ରସ୍ତୁତ କରି ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବକ ମାନଙ୍କ ପକ୍ଷରୁ ବ୍ୟାପକ ସୁବନ୍ଦବସ୍ତ ଗ୍ରହଣ କରାଯାଇଥିଲା । ଅନ୍ୟପକ୍ଷରେ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସୁସଜ୍ଜିତ କରାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ଏହି ଦୁଲର୍ଭ ବେଶ ଦର୍ଶନ ସକାଶେ ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା ।

ADVERTISEMENT