କେବେ ସୁଧୁରିବ ବ୍ରହ୍ମପୁର ଟ୍ରାଫିକ୍ : ଆମ୍ବୁଲାନ୍ସକୁ ବି ମିଳୁନି ରାସ୍ତା

7

ବ୍ରହ୍ମପୁର ,୨୨/୧୦ (ଇ.ରଞ୍ଜନ ) : ଦକ୍ଷିଣ ଓଡ଼ିଶା ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁରରେ ଟ୍ରାଫିକ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଖାଲି ସ୍ଥାନେ ସ୍ଥାନେ ଚାରି/ପାଞ୍ଚଟି କ୍ୟାମେରା ଖଞ୍ଜି ଦେଲେ ଯେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରି ହେବ ଭାବି ଟ୍ରାଫିକ୍ ପୋଲିସ ଚୁପ୍ଚାପ୍ ଷ୍ଟପ୍ ବୋର୍ଡ ଧରି ଛିଡ଼ା ହୋଇଯାଉଛନ୍ତି । ଏଭଳି ସ୍ଥିତିରେ ଷ୍ଟେଟ୍ ବ୍ୟାଙ୍କ ଛକ, ସିଟିହସ୍ପିଟାଲ୍ ରୋଡ଼ ଠାରୁ ଗେଟ୍ ବଜାର ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିିଥିବା ସାଧାରଣରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ହୋଟେଲ ନନ୍ଦନ ପାଖରେ ଏଭଳି ଭାବେ ବାଇକ୍ , କାର୍ ରିକ୍ସା, ଠୋଲାଗାଡ଼ି, ଫଳବିକାଳୀଙ୍କ ଉଭୟ ପାଶ୍ୱର୍ରେ ଲମ୍ବା ଲାଇନ୍ ଥିଲେ ମଧ୍ୟ ସତେ ଯେମିତି ଟ୍ରାଫିକ୍ ପୋଲିସ ସାଟ୍ଲାଇଟ୍ ମାଧ୍ୟରେ ନିୟନ୍ତ୍ରଣ କଲା ଭଳି ମନେ ହେଉଛି । ଏଭଳି ସ୍ଥିତିରେ ସୋମବାର ଏକ ଆମ୍ବୁଲାନ୍ସ ୧୫ମିନିଟ୍ ଫଶିଯାଇଥିଲେ ମଧ୍ୟ କୌଣସି ଟ୍ରାଫିକ୍ ପୋଲିସଙ୍କ ସେଠାରେ ଦେଖା ମିଳିନଥିବାରୁ ଜନସାଧାରଣଙ୍କ ତୀବ୍ର ବିରୋଧ ସୃଷ୍ଟି ହୋଇଥିଲା । ଏଥିରେ ମଧ୍ୟ ସେଠାକାର କିଛି ଦୋକାନୀ ଅଟୋ ଚାଳକ ରୋଡ଼ ଉପରକୁ ଉଠିଆସି ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ଯୋଗୁଁ ଫଶି ଥିବା ଆମ୍ବୁଲାନ୍ସଟି ଦୀର୍ଘ ୧୫ ମିନିଟ୍ ପରେ ରାସ୍ତା ପାଇଥିଲା । ଏହାକୁ ନେଇ ସିଟ୍ହସ୍ପିଟାଲ୍ ରୋଡ଼ରେ ଜନସାଧାରଣଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହେବା ସହ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ADVERTISEMENT