ବାଃ.. .. ..ବାଃ ରେ ଟ୍ରାଫିକ ନିୟମ ବିନା ପରମିଟ ଫିଟନେସରେ ଚାଲୁଛି ଯାତ୍ରୀ ପରିବହନ ଗାଡ଼ି, ପରିବହନ ବିଭାଗର ଦୃଷ୍ଟି ପଡ଼ିବ କେବେ..?

22

ହିଞ୍ଜିଳିକାଟୁ, ୨୩ା୧୦ (ଶେଷଦେବ ସାହୁ): ଚଳିତ ସେପ୍ଟେମ୍ବର ମାସ ଠାରୁ ଓଡ଼ିଶା ସରକାରଙ୍କ ନୂଆଁ ଟ୍ରାଫିକ ନିୟମ ବେଶ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ୨ ଚକିଆ ଯାନ ଠାରୁ ଆରମ୍ଭ କରି ବଡ଼ ବଡ଼ ଗାଡ଼ି ମୋଟର ପାଇଁ ବହୁ ନିୟମ ପ୍ରଚଳନ କରାଯାଇଛି । ଗାଡ଼ି ଚାଳକଙ୍କ ବୈଧ ଗାଡ଼ି ଚାଳନା ପ୍ରମାଣପତ୍ର ସାଙ୍ଗକୁ ଇନସୁରାନ୍ସ, ପ୍ରଦ୍ୟୁଷଣ ପ୍ରମାଣପତ୍ର ଏପରିକି ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଚାଳକ ମାନଙ୍କୁ ବ୍ରେଥ ଏନାଲାଇଜର ସହାୟତାରେ ପରୀକ୍ଷା କରି ମୋଟା ଅଙ୍କର ଜରିମାନା କଟାଯାଉଥିବାର ନଜିର ରହିଛି । ହେଲେ ହିଂଜିଳିକାଟୁ ସହରରେ ସତେଯେପରି ଏସବୁ ନିୟମକୁ ଫୁ କରିଦିଆଯାଇଛି । ପ୍ରତ୍ୟେହ ହିଂଜିଳିକାଟୁ ଠାରୁ ଶେରଗଡ଼, କଙ୍କୋରଡ଼ା, ପିତଳ, ବ୍ରାହ୍ମଣଛାଇ ଅଂଚଳକୁ ବହୁ ଟ୍ରେକର, ଜିପ, ମିନିବସ ଯୋଗେ ଯାତ୍ରୀ ପରିବହନ କରାଯାଇଥାଏ । ବହୁ ଯାତ୍ରୀ ପରିବହନକାରୀ ଗାଡ଼ି ମୋଟରରେ ଡ଼ିଜେଲ ପରିବର୍ତେ କିରୋସିନିକୁ ଇନ୍ଧନ ଭାବେ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି । ଏପରିକି ବହୁ ଗାଡ଼ିର ଫିଟନେସ, ଇନସୁରାନ୍ସ ଓ ପରମିଟ ନଥାଇ ଏବଂ ଆବଶ୍ୟକ ଠାରୁ ଅଧିକ ପରିମାଣରେ ଯାତ୍ରୀ ପରିବହନ କରୁଥିବାର ଦେଖିବାକୁ ମିଳୁଛି । ବହୁ ସମୟରେ ଆବଶ୍ୟକ ଠାରୁ ଅତ୍ୟଧିକ ଯାତ୍ରୀ ପରିବହନ କରି ଗାଡ଼ି ଗୁଡ଼ିକ ଯାତାୟତ କରୁଥିବା ବେଳେ ଛୋଟବଡ଼ ଦୂର୍ଘଟଣା ଘଟୁଥିବାର ନଜିର ରହିଛି । ଏ ଦିଗରେ ଆଂଚଳିକ ପରିବହନ ଅଧିକାରୀ ଦୃଷ୍ଟି ପ୍ରଦାନ କରି ବିନା ପରମିଟ, ଇନସୁରାନ୍ସ ଓ ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକ ପ୍ରତି ଆଇନାନୂଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

ADVERTISEMENT