ସହରରେ ନାହିଁ ପାର୍କିଂ ଜୋନ ବେଆଇନ ପାର୍କିଂ ଫି ଆଦାୟ, ବଢୁଛି ଜନଅସନ୍ତୋଷ

15

ହିଞ୍ଜିଳିକାଟୁ, ୨୩ା୧୦ (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଞ୍ଜିଳିକାଟୁ ସହର ପରିଚିତ । ସ୍ଥାନୀୟ ପୌରାଂଚଳରେ କୌଣସି ସ୍ଥାନରେ ପାର୍କିଂ ଜୋନ ନାହିଁ । ପୌରାଂଚଳର ଆୟତନ ଓ ଜନସଂଖ୍ୟା ତୁଳନାରେ ଗାଡ଼ି ମୋଟର ସଂଖ୍ୟା ଯଥେଷ୍ଟ ଅଧିକ । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ଥିବାରୁ ପ୍ରତ୍ୟେହ ସ୍ଥାନୀୟ ସହରକୁ ନିକଟସ୍ଥ ଶେରଗଡ଼, କଙ୍କୋରଡ଼ା, ପିତଳ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଗ୍ରାମାଂଚଳର ଛୋଟବଡ଼ ବ୍ୟବସାୟୀ ବାଣିଜ କାରବାର କରିବା ପାଇଁ ହିଂଜିଳିକାଟୁ ସହରକୁ ଆସିଥାନ୍ତି । ଏପରିକି ହିଂଜିଳିକାଟୁ ବ୍ଳକ ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଶାସନଆମ୍ବଗାଁ ଖରିଡ଼ା, ଆଲପୁର ଆଦି ଅଂଚଳରୁ ପ୍ରଚୁର ପନିପରିବା ଫସଲ ଆମଦାନୀ କରାଯାଇ ବ୍ରହ୍ମପୁର, ଛତ୍ରପୁର, ଆସିକା, ପୁରୁଷୋତମପୁର, କବିସୂର୍ଯ୍ୟନଗର, ଶେରଗଡ଼, ସୋରଡ଼ା, ଭଂଜନଗର ସମେତ ଗଂଜାମ ଜିଲ୍ଲା ଓ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରଯାଇଥାଏ । ଭୋରରୁ ନିକଟସ୍ଥ ଗ୍ରାମାଂଚଳର ପରିବା ଚାଷୀ ମାନେ ମୋପେଡ଼, ବାଇକ, ରିକ୍ସା, ଅଟୋ, ମିନିଟ୍ରକ ସହାୟତାରେ ସ୍ଥାନୀୟ ହୋଲସେଲ ପରିବା ବଜାରକୁ ବିକ୍ରି କରିବା ପାଇଁ ଆଣିଥାନ୍ତି । ଗଂଜାମ ଜିଲ୍ଲାାର ବିଭିନ୍ନ ଅଂଚଳରୁ ବ୍ୟବସାୟୀ ମାନେ ପନିପରିବା କ୍ରୟ କରି ନିଜ ଅଂଚଳରେ ବିକ୍ରି କରିବା ଉଦେ୍ଧ୍ୟଶରେ ଆସିଥିବା ବେପାରୀ ମାନେ ମଧ୍ୟ ସେମାନଙ୍କ ଗାଡ଼ି ମୋଟର ଆସୁଥିବାରୁ ଭୋର ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗାଡ଼ି ମୋଟର ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଉଛି । ସହରର କୌଣସି ସ୍ଥାନରେ ପାର୍କି ସ୍ଥାନ ନଥିବାରୁ ବ୍ୟବସାୟୀ ମାନେ ସେମାନଙ୍କ ଗାଡ଼ି ମୋଟର ପୌରାଂଚଳ ପରିବା ବଜାର ନିକଟସ୍ଥ ଆହାର କେନ୍ଦ୍ର ସମ୍ମୁଖ ଭାଗ ଏବଂ ମଧୁବାବୁ କମ୍ପେ୍ଳକ୍ସ ନିକଟରେ ପାର୍କିଂ କରିଥାନ୍ତି । ଏପରିକି ବହୁ ୬ ଓ ୧୦ ଚକିଆ ଟ୍ରକ ଗୁଡ଼ିକ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବେଆଇନ ଭାବେ ପାର୍କିଂ କରିଥାନ୍ତି । ଯଦ୍ୱାରା ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସହରର କିଛି ବ୍ୟକ୍ତି ବିଶେଷ, ସ୍ଥାନୀୟ ପୌରପରିଷଦ କର୍ମଚାରୀଙ୍କ ସହ ଅସାଧୁ ମେଂଟ କରି ଜୋର ଜବରଦସ୍ତ ମୋଟା ଅଙ୍କର ପାର୍କିଂ ଫି ଆଦାୟ କରୁଥିବାର ଦେଖିବାକୁ ମିଳୁଛି । ୨ ଚକିଆ ଯାନ ଠାରୁ ୩୦ ଟଙ୍କା, ୩ ଚକିଆ ଯାନ ଠାରୁ ୫୦ ଟଙ୍କା ଏବଂ ୬ ଚକିଆ କିମ୍ବା ତା ଠାରୁ ଉଦ୍ଧ୍ୱର୍ ଗାଡ଼ି ମୋଟର ଠାରୁ ୬୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବେଆଇନ ଭାବେ ପାର୍କି ଫି ଆଦାୟ କରାଯାଉଥିବାର ଜଣାପଡ଼ିଛି । ବେଆଇନ ଭାବେ ପାର୍କିଂଫି ଆଦାୟ କରାଯାଉଥିବାରୁ ଦିନକୁ ଦିନ ଜନଅସନ୍ତୋଷ ବଢିବାରେ ଲାଗିଛି । ଏଥିପ୍ରତି ପୌରପ୍ରଶାସନ ଦୃଷ୍ଟିପ୍ରଦାନ କରି ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।

ADVERTISEMENT