ଲଗାଣ ବର୍ଷାରେ ବେହାଲ୍ ବ୍ରହ୍ମପୁର ହନ୍ତସନ୍ତ ହେଉଛନ୍ତି ବ୍ରହ୍ମପୁରବାସୀ

10

ବ୍ରହ୍ମପୁର,୨୪/୧୦(ସାହେବ ନାୟକ) : ସହରର ବିଭିନ୍ନ ସ୍ଥାନେ ଏବେ ଜଳବନ୍ଦୀ ଅବସ୍ଥାରେ । ଲୋକଙ୍କ ଦୁଃଖ କହିଲେ ନ ସରେ । ସହରର ତଳିଆ ଅଞ୍ଚଳ ରୁପେ ମାନ୍ୟତା ପାଇଥିବା ଗଜପତି ନଗର, ନିଳାଚଳ ନଗର,ଲାଞ୍ଜିପଲ୍ଳୀର ଚନ୍ଦନ ନଗର, ଚାଣକ୍ୟ ନଗର, ଖୋଡାସିଙ୍ଗିର କଳିଙ୍ଗ ନଗର, ପ୍ରେମ ନଗର, ଗାନ୍ଧୀ ନଗର ମୁଖ୍ୟରାସ୍ତା ଓ ଆସ୍କାରୋଡର ଅନେକ ଅଞ୍ଚଳ ସମେତ ଆହୁରି ଅନେକ ସ୍ଥାନର ଜନସାଧାରଣ ଏବେ ପାଣିଘେରରେ ହନ୍ତସନ୍ତ ହେଉଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାଘାଟର ମରାମତି, ନିର୍ମାଣ, ଉନ୍ନତିକରଣ, ନାଳନର୍ଦ୍ଧମା ସଫେଇ ଓ ନିର୍ମାଣ ନେଇ ବିଭିନ୍ନ ପ୍ରକଳ୍ପ ନାମରେ ସରକାର କରି ଚାଲିଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ । ହେଲେ ବାସ୍ତବିକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଓଲଟା ଚିତ୍ର । ତେବେ ଲୋକଙ୍କ ଦୁଃଖକୁ ବଢାଇ ଦେଇଛି ଜାନିବିଲି ପ୍ରକଳ୍ପର ନିର୍ମାଣ କାମ । ଲୋକଙ୍କୁ ପାଣି ଯୋଗାଇବା ନାମରେ ଯେଉଁ ରାସ୍ତାଘାଟ, ସାହିବସ୍ତି ଖୋଳି ବିଭିନ୍ନ ସ୍ଥାନରେ ଖାଲଢିପ ଏବଂ ଗର୍ତ ସୃଷ୍ଟି କରଛନ୍ତି , ତାହା ଏବେ ବର୍ଷାଜଳରେ ଭର୍ତ୍ତି ହେବା ଯୋଗୁଁ ପଥଚାରୀଙ୍କ ଠାରୁ ଆରମ୍ଭ କରି ଗାଡିଚାଳକ ସମସ୍ତଙ୍କ ପାଇଁ ଏବେ ସମସ୍ୟା ପାଲଟିବା ସହିତ ଛୋଟବଡ ଦୁର୍ଘଟଣା ମାନ ଘଟିବାର ଆଶଙ୍କା ରହିଛି । ଏହା ବ୍ୟତିତ ଭାରିଯାନ ଗୁଡିକ ସେହି ରାସ୍ତା ଦେଇ ଯିବା ଆସିବା କରିବା ଯୋଗୁଁ ଚକା ଦବି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ।

ADVERTISEMENT