ଦୀପାବଳି ଆଉ ୨ ଦିନ ରହିଲା ଲଘୁ ଚାପ ବର୍ଷା, ଆଶଙ୍କାରେ ବାଣ ବ୍ୟବସାୟୀ

27

ହିିଞ୍ଜିଳିକାଟୁ, ୨୪ା୧୦(ଶେଷଦେବ ସାହୁ): ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର ୨ ଦିନ ବାକି ରହିଲା । ବିଳମ୍ବରେ ମିଳିଛି ବାଣ ବ୍ୟବସାୟୀଙ୍କୁ ବିକ୍ରି କରିବାର ଅନୁମତି । ଏପଟେ ବିଳମ୍ବ ଓ ସେପଟେ ଲଘୁଚାପଜନିତ ବର୍ଷା । ଲାଭ ପାଇଁ ଚାହିଁ ରହିଥିବା ବାଣ ବ୍ୟବସାୟୀ ଏବେ ଆଶଙ୍କାରେ ରହିଛନ୍ତି । ପ୍ରତିବର୍ଷ ସହର ପ୍ରାନ୍ତର ଉଠାଜଳସେଚନ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ବାଣ ବଜାର ଖୋଲିଥାଏ । ଦୀପାବଳିର ପ୍ରାୟ ଏକ ସପ୍ତାହ ପୂର୍ବରୁ ପ୍ରଶାସନ ନିକଟରୁ ଅନୁମତି ଆଣି ବାଣ ବ୍ୟବସାୟୀ ସେମାନଙ୍କ ଷ୍ଟଲ ଖୋଲି ବିକ୍ରି କରିଥାନ୍ତି । ଏଠାକାର ବାଣ ବ୍ୟବସାୟୀ ମାନେ ବ୍ରହ୍ମପୁର ସମେତ ଆସିକା ନଳବଂଟା ଏବଂ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ରକମର ବାଣ କିଣି ବିକ୍ରି କରିଥାନ୍ତି । ନିକଟସ୍ଥ ଜିଲ୍ଲାରୁ ବାଣ କିଣି ନିଜ ଷ୍ଟଲରେ ସଜାଇ ବିକ୍ରି କରିବାକୁ ପ୍ରାୟ ୨ ଦିନ ସମୟ ଲାଗିଥାଏ । ଆଖପାଖ ଅଂଚଳର ଖୁଚୁରା ବ୍ୟବସାୟୀ ମାନେ ହିଂଜିଳିକାଟୁ ସହରରୁ ବିଭିନ୍ନ ରକମର ବାଣ ନେଇ ଗ୍ରାମାଂଚଳରେ ବିକ୍ରି କରିଥାନ୍ତି । ଚଳିତ ବର୍ଷ ପ୍ରାୟ ୨୦/୨୫ ଦିନ ପୂର୍ବରୁ ବ୍ୟବସାୟୀ ମାନେ ବାଣ ବିକ୍ରି ପାଇଁ ଅନୁମତି ପତ୍ର ଆବେଦନ କରିଥିଲେ ମଧ୍ୟ ବୁଧବାର ସେମାନଙ୍କୁ ଅନୁମତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ବାଣ ବ୍ୟବସାୟୀ ମାନେ ଗୁରୁବାର ଠାରୁ ବାଣ ବିକ୍ରି କରିବା ପାଇଁ ସଜବାଜ ହେଉଥିବା ବେଳେ ଲଘୁଚାପ ବର୍ଷା ଦାଉ ସାଜିଥିଲା । ଫଳରେ ସେମାନଙ୍କୁ ଗୋଟିଏ ଦିନର ବେପାର ହାତରୁ ଖସିଯାଇଛି । ଆଉ ମାତ୍ର ୨ ଦିନ ମଝିରେ ଥିବା ବେଳେ ବାଣ ପଡ଼ିଆ ଷ୍ଟଲରେ କେବେ ଓ କିପରି ବାଣ ସଜାଇ ବିକ୍ରି ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ବାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଚଳିତ ବର୍ଷ ବାଣ ବ୍ୟବସାୟ ହୋଇପାରିବ କି ନାହିଁ ବୋଲି ସ୍ଥାନୀୟ ଅଂଚଳର ବାଣ ବ୍ୟବସାୟୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗତବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ବାଣ ବ୍ୟବସାୟ ହୋଇଥିବା ବେଳେ ସେହି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ସେମାନେ ବ୍ରହ୍ମପୁର, ନଳବଂଟା ସମେତ ନିକଟସ୍ଥ ଜିଲ୍ଲାର ହୋଲସେଲ ବାଣ ବ୍ୟବସାୟୀଙ୍କୁ ଅଡର଼୍ର କରିସାରିଛନ୍ତି । ଯଦି ବର୍ଷା ହୁଏ ତେବେ ଆଶାନୁଯାୟୀ ବ୍ୟବସାୟ ହେବ ନାହିଁ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ପ୍ରଶାସନ ସପ୍ତାହେ ପୂର୍ବରୁ ବାଣ ବିକ୍ରି ସକାଶେ ଲାଇସେନ୍ସ ପ୍ରଦାନ କରିଥାନ୍ତେ ତେବେ ସେମାନେ ବିକ୍ରି ଆରମ୍ଭ କରିସାରିଥାନ୍ତେ ବୋଲି ବ୍ୟବସାୟୀ ମାନେ କହିଛନ୍ତି । ବ୍ରହ୍ମପୁର ସମେତ ଆସିକା ପୁଲିସ ପକ୍ଷରୁ ଚଢାଉ କରି କୋଟ କୋଟି ଟଙ୍କାର ବାଣ ସିଜ୍ କରିବା ପରେ ଚଳିତ ବର୍ଷ ବାଣର ଦର ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଅଂଚଳର ବାଣ ବ୍ୟବସାୟୀ ମାନେ ଆଶଙ୍କା କରିଛନ୍ତି । ଦରବୃଦ୍ଧି ସାଙ୍ଗକୁ ଲଗାଣ ବର୍ଷା ବାଣ ବ୍ୟବସାୟକୁ ମାନ୍ଦା କରିବା ସହ ନିଶ୍ଚିତ ଭାବେ କ୍ଷତି ସହିବାକୁ ପଡ଼ିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

ADVERTISEMENT