ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୧୯ ଅନୁଷ୍ଟିତ

48

ବୋରିଗୁମ୍ମା,୨୬/୧୦(ଦୟାନିଧି ପଟନାୟକ) : ବୋରିଗୁମ୍ମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ବର୍ଷ ର ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ –୨୦୧୯ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୯ ଟା ରେ ସୁରଭି ମହୋତ୍ସବ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ମାଝୀ, ଭଗବାନ ମାଝୀ ଉଦଘାଟନ କରିଥିଲେ । ମୂଖ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବ୍ଲକ ର ୧୭ ଗୋଟି କ୍ଲଷ୍ଟରର ପ୍ରାୟ ୩୯୧ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତା ମଧ୍ୟରେ ବକୃତା, ପ୍ରବନ୍ଧ, ନୃତ୍ୟ, ଗୀତ,କ୍ୟୁଜ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ପ୍ରତିଯୋଗିତା ପରେ ଅପରାହ୍ନରେ ଉଦଯାପନି ଉତ୍ସବ ହୋଇଥିଲା। ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ତହସିଲଦାର ଶ୍ରୀ ଯୋଗେନ୍ଦ୍ର ମାଝୀ ଯୋଗ ଦେଇଥିଲେ। ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ସମସ୍ତଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ଏହି ପ୍ରତିଭାକୁ ସୁରଭି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥାଏ ବୋଲି ଶ୍ରୀ ମାଝୀ କହିଥିଲେ। ଗୋଷ୍ଠି ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଅଵସର ପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ସରୋଜିନୀ ଦଣ୍ଡସେନା ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ସୁରଭି ହେଉଛି ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ। ଲିକାୟିତ ପ୍ରତିଭାକୁ ଖୋଜି ବାହାର କରିବା ସୁରଭିର ଏକ ମାତ୍ର ଉଦେଶ୍ୟ ବୋଲି ମୁଖ୍ୟ ବକ୍ତା ଶ୍ରୀମତୀ ଦଣ୍ଡସେନା କହିଥିଲେ। ଚଳିତ ବର୍ଷ ସୁରଭିର ମୂଖ୍ୟ ନାରା ଥିଲା ପରିବେଶ ସୁରକ୍ଷା , ଜୀବନ ରକ୍ଷା। ସମ୍ମାନିତ ଅତିଥି ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୀରାବାଇ ବେହେରା ଯୋଗ ଦେଇଥିଲେ। ସେ କହିଥିଲେ ଯେ ପ୍ରତିଯୋଗିତାରେ ଭାଗ ନେଇ ହାରିବା ଜିତିବା ବଡ଼ କଥା ନୁହେଁ। ବରଂ ପ୍ରତିଯୋଗିତାରେ ଭାଗ ନେଇ ପ୍ରତିଭାକୁ ପ୍ରଦର୍ଶିତ କରିବା ସବୁଠୁ ବଡ଼ କାର୍ଯ୍ୟ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ବୋରିଗୁମ୍ମା ସରପଞ୍ଚ ଚନ୍ଦ୍ରିକା ଯାନୀ ଯୋଗ ଦେଇଥିଲେ। ପରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ। ଅନ୍ୟତମ ଅତିଥି ରୂପେ ଶିକ୍ଷକ ବେଣୁଧର ପଣ୍ଡା, ବିଜୟ କୁମାର ଷଡଙ୍ଗୀ, ସୁରେନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ। ମଞ୍ଚକୁ ବରିଷ୍ଠ ଶିକ୍ଷକ ସୁରେଶ କୁମାର ରାଉତ ପରିଚାଳନା କରିଥିଲେ। ବ୍ଲକର ସମସ୍ତ ସି ଆର ସି ସି ସହଯୋଗ କରିଥିବା ବେଳେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପରିଚାଳନା କରିଥିଲେ। ଶେଷରେ ଗୋଷ୍ଠି ସହ ଅଧିକାରୀ ତଥା ଆବାହକ ଶତ୍ରୁଘ୍ନ ଖଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ADVERTISEMENT