ଘର କାନ୍ଥ ଭୁଷୁଡି ଏକ ଶିଶୁ ମୃତ , ୪ ଗୁରୁତର

7

ଦିଗପହଣ୍ଡି:୨୬/୧୦(ସୁନୀଲ କୁମାର ସାହୁ ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ ସିଏଚ୍. ଟିକରପଡା ପଞ୍ଚାୟତର ବଜ୍ରଗୁମ୍ମା ଗ୍ରାମରେ ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଘରର କାନ୍ଥ ଭୁଷୁଡି ଯାଇଥିବା ଜଣାପଡିଛି । ଏଥିରେ ସତ୍ୟ ନାୟକ ନାମକ ଜଣେ ୧୦ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କ ମଧ୍ୟରେ ମୃତ ଶିଶୁର ମାଆ ବନି ନାୟକ (୨୨) , ଜେଜେମା ରାସ ନାୟକ (୭୦) , ପିତା ସନ୍ତୋଷ ନାୟକ(୨୭) ଓ ଭଉଣୀ ପ୍ରିୟା ନାୟକ (୫) ବୋଲି ଜଣାପଡିଛି । ଖବରନୁଯାୟୀ , ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ଘରର କାନ୍ଥ ବର୍ଷା ପାଣିରେ ଓଦା ହୋଇ ରହିଥିଲା । ଗତ ଶୁକ୍ରବାର ରାତିରେ ପରିବାରର ସମସ୍ତ ସଦସ୍ୟ ଖାଇସାରି ଶୋଇ ପଡିଥିଲେ । ରାତି ପ୍ରାୟ ୩ ଟାରେ ହଠାତ୍ କାନ୍ଥ ଭୁଷୁଡି ପଡିବାରୁ ଘର କାନ୍ଥ ଭିତରେ ଚାପି ହୋଇ ରହିଯାଇଥିଲେ । ଶଦ୍ଦର ତିବ୍ରତା ଏତେ ଥିଲାଯେ , ଆଖପାଖ ପଡୋଶୀଙ୍କ ନିଦ ଭାଙ୍ଗିବା ସହ ସମସ୍ତ ଗ୍ରାମବାସୀ ମିଶି ଭଙ୍ଗା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଓ ବିଡ଼ିଓ ହଳଧର ଶବର ଏବଂ ରାଜସ୍ବ ନୀରିକ୍ଷକ ପହଞ୍ଚି ସ୍ଥିତି ପରଖିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ବେଳେ ବନି ଓ ରାସ ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ADVERTISEMENT