ପୁରୀ ସୁରକ୍ଷା ମଞ୍ଚ- ପ୍ରଶାସନ ବୈଠକ ବିଫଳ: ଜିଲାପାଳ କହିଲେ ‘ବ୍ୟବସାୟିକ କୋଠା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ’

13

ପୁରୀ,o୪/o୯(ଏଜେନସି) : ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ନେଇ ସୁରକ୍ଷା ମଞ୍ଚ ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ନେଇ ପ୍ରତିନିଧି ଦଳର ଦାବିକୁ ଜିଲାପାଳ ଅଗ୍ରାହ୍ୟ କରିଛନ୍ତି। ଏନେଇ ପ୍ରତିକ୍ରିୟା ଦେଇ ଜିଲାପାଳ ବଳଓ୍ବନ୍ତ ସିଂହ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ଆଦି ଉପରେ ଗୁରୁତ୍ୱ ଦେଉଛୁ। ଉଚ୍ଛେଦ ନେଇ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି। ଦେବଦେବୀଙ୍କ ଗାଦିଘର, ବିଜେସ୍ଥଳୀ ଆଦିର ସୁରକ୍ଷା କରାଯିବ। ହେଲେ ମଠ ପରିସରରେ ଥିବା ବ୍ୟବସାୟିକ କୋଠାଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ଜାରି ରହିବ। ଅପରପକ୍ଷେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଲେ କମିଟି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ। ଏପରିକି ବୁଲଡୋଜର୍‌ ଆଗରେ ଧାରଣା ଦିଆଯିବ। ଯଦି ଆବଶ୍ୟକ ପଡେ ତେବେ ଏ ସଙ୍କ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ର୍ନିମାଣ ଉଚ୍ଛେଦ ଲାଗି ଯେଉଁ ନିଷ୍ପତ୍ତି ହୋଇଛି ତା’ର ବ୍ଲୁ -ପ୍ରିଣ୍ଟ ବିଷୟରେ ଜଣାଇବା ପାଇଁ କମିଟି ଜିଲାପାଳଙ୍କୁ ଅବଗତ କରାଇଥିଲା। ଏହି ଅଞ୍ଚଳ ମଧ୍ୟରେ କାହିଁକି ଉଚ୍ଛେଦ କରାଯାଉଛି, ଉଚ୍ଛେଦ ପରେ ଉକ୍ତ ଜାଗାରେ କ’ଣ କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଜଣାଇବା ପାଇଁ ସେମାନେ ଦାବି ରଖିଥିଲେ। ମଠ ମନ୍ଦିର ସଂସ୍କୃତିର ସୁରକ୍ଷା ସହିତ ଶ୍ରୀମନ୍ଦିର ବିକାଶ ପାଇଁ ନିଷ୍ପତ୍ତି ନିଆଯାଉ ବୋଲି କମିଟି ପକ୍ଷରୁ ଦାବି କରାଯାଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲାପାଳଙ୍କ ସହ ଏହି ଆଲୋଚନା କରାଯାଇଥିଲା।

ADVERTISEMENT