ନୂଆ ମୋଟର ଯାନ ଆଇନ :ଅଟୋ ଚାଳକଙ୍କୁ ୫୨ହଜାର ଜରିମାନା

20

ଭୁବନେଶ୍ୱର,o୪/o୯(କୁନା ପ୍ରଧାନ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଟୋ ଚାଳକଙ୍କ ଉପରେ ଲାଗିଛି ୫୨ହଜାର ଟଙ୍କାର ଜରିମାନା। ଚାଳକଜଣଙ୍କ ହେଲେ ହରିବନ୍ଧୁ କହଁର। ସେ ସ୍ଥାନୀୟ ବଡ଼ଗଡ଼ ଅଞ୍ଚଳରେ ରହୁଥିବା ବେଳେ ଘର ନୟାଗଡ଼ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବୁଧବାର ଆଚାର୍ଯ୍ୟ ବିହାର ଛକରେ ଚେକିଂ ଚାଲିଥିଲା। ଏହି ସମୟରେ ହରିବନ୍ଧୁ ପୋଲିସ ହାତରେ ଧରା ପଡ଼ିଥିଲେ। ପ୍ରଥମେ ଟ୍ରାଫିକ ନିୟମ ଭାଙ୍ଗି ଥିବାରୁ ତାଙ୍କୁ ୫୦୦ ଟଙ୍କା ଫାଇନ୍‌ କରାଯାଇଥିଲା। ପରେ ମଦ ପିଇ ଗାଡ଼ି ଚଳାଉଥିବାରୁ ୧୦ହଜାର ଟଙ୍କା, ବୈଧ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଗାଡ଼ି ଚଳାଉଥିବାରୁ ୫ହଜାର, ଅନଧିକୃତ ଭାବେ ଗାଡ଼ି ଚଳାଉଥିବାରୁ ୫ହଜାର, ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ୧୦ହଜାର, ବିନା ରେଜିଷ୍ଟ୍ରେଶନରେ ଗାଡ଼ି ଚଳାଉଥିବାରୁ ୫ହଜାର, ବିନା ପରମିଟ୍‌ରେ ବୁଲୁଥିବାରୁ ୧୦ହଜାର, ଇନ୍‌ସୁରାନ୍ସ ନ ଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଥିଲା। ତେବେ ଆର୍‌ଟିଓ ଅଫିସରୁ ୪୭ହଜାର ୫ଶହ ଟଙ୍କା ଫାଇନ୍‌ କଟାଯାଇଥିବା ବେଳେ ପୋଲିସ ପକ୍ଷରୁ ୫ହଜାର ଟଙ୍କା ଜରିମାନା କରାଯାଇ ମୋଟ ୫୨ହଜାର ୫ଶହ ଟଙ୍କାର ଚାଲାଣ କଟାଯାଇଛି। ସେ ଏହା ପୈଠ ନକଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ADVERTISEMENT