ବାଣ କାରଖାନାରେ ବିସ୍ଫୋରଣ, ୨୩ ମୃତ

10

ପଂଜାବ,o୫/o୯( ଏଜେନସି) : ପଂଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ବଟାଲାରେ ଏକ ବାଣ କାରଖାନାରେ ଭୟା‌ବହ ବିସ୍ଫୋରଣ ଯୋଗୁଁ ୨୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଅପରାହ୍ନ ୪ଟା ବେଳେ ହୋଇଥିବା ଏହି ବିସ୍ଫୋରଣରେ ସମଗ୍ର କାରଖାନା ଧ୍ବସ୍ତ ହୋଇଯାଇଛି ଏବଂ ଧ୍ବଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ କାବୁ କରିବାକୁ ପ୍ରାୟ ୪ ଘଣ୍ଟା ଲାଗି ଯାଇଥିଲା। ଗୁରୁଦାସପୁର ଏବଂ ଅମୃତସରରୁ ଅଗ୍ନିଶମ ବିଭାଗର ୧୨ଟି ଟିମ୍‌ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ମୁତାବକ ବିସ୍ଫୋରଣରେ ସମଗ୍ର ଅଂଚଳ ଥରି ଉଠିଥିଲା ଏବଂ ଆଖପାଖର ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଭୟଙ୍କର ଧୂଆଁରେ କିଛି ଦେଖାଯାଇ ନଥିଲା। ଧୂଆଁ ଯୋଗୁଁ ଉଦ୍ଧାରକାରୀ ଦଳକୁ ବି‌ସ୍ଫୋରଣସ୍ଥଳରେ ପହଞ୍ଚିବାରେ ସମସ୍ୟା ଉପୁଜିଥିଲା। ଆସନ୍ତାକାଲି ଏକ ବିବାହ ଉତ୍ସବ ପାଇଁ ଏହି କାରଖାନାରେ ସ୍ବତନ୍ତ୍ର ଭାବେ ବାଣ ତିଆରି ଚାଲିଥିବା ବେଳେ ଅଚାନକ ନିଆଁ ଲାଗିଯିବାରୁ ଭୟାନକ ବିସ୍ଫୋରଣ ହୋଇଥିଲା। ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଏବଂ ସ୍ଥାନୀୟ ପ୍ରଶାସନର ଟିମ୍‌ ନିୟୋଜିତ ଅଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ଗୁର୍‌ଦାସପୁର ସାଂସଦ ସନ୍ନି ଦେଓଲ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ADVERTISEMENT