ହିଂଜିଳିରେ ଜବର ଦଖଲ ଉଛେଦ

14

ହିଂଜିଳିକାଟୁ,o୬/o୯ (ଶେଷଦେବ ସାହୁ) : ହିଂଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ଗାୟତ୍ରୀ ନଗର ୪ର୍ଥ ଲାଇନରେ ସରକାରୀ ସ୍ଥାନରେ ଜବର ଦଖଲ ଘର କରିଥିବା ୨ ଘରକୁ ପୌର କର୍ତୁପକ୍ଷ ଉଛେଦ କରିଛନ୍ତି । ପରିଷଦର ୧୬ ନଂ ୱାଡର଼୍ର ଗାୟତ୍ରୀ ନଗର ସାହି ବସ୍ତିରେ ରାସ୍ତା ଓ ନାଳ କାମ ଚାଲିଥିବା ବେଳେ ରାସ୍ତା ଉପରେ ଘର କରିଥିବା ଦୁଇ ପରିବାରକୁ ଭାଙ୍ଗିବା ପାଇଁ କୁହାଯାଇଥିଲା । ହେଲେ ପରିବାର ଲୋକେ ଘର ନଭାଙ୍ଗିବା ଯୋଗୁଁ ଗତ ୨୫ ଦିନ ଧରି ରାସ୍ତା ଓ ନାଳ କାମ ବନ୍ଦ ରହିଥିଲା । ଏଥି ସକାଶେ ସଂପୃକ୍ତ ସାହି ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ବୁଧବାର ସଂପୃକ୍ତ ସାହି ବାସିନ୍ଦା ପୌର କାର୍ଯ୍ୟାଳୟକୁ ଆସି ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । ଆଲୋଚନା ପରେ ପୌର ପରିଷଦର ନିର୍ବାହୀ ଅଧିକାରୀ ପଣ୍ଡା ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସଂପୃକ୍ତ ସାହି ବସ୍ତିର ରାସ୍ତା ଉପରେ ବେଆଇନ ଭାବେ ଜବର ଦଖଲ କରି ଘର କରିଥିବା ୨ ବ୍ୟକ୍ତି ଲକ୍ଷ୍ମଣ ପଟ୍ଟନାୟକ ଓ ଗୋକୁଳାନନ୍ଦ ସାହୁଙ୍କ ଘରକୁ ଉଛେଦ କରିବା ସକାଶେ ନିର୍ଦ୍ଧେଶ ଦେଇଥିଲେ । ନିର୍ଦ୍ଧେଶ ପାଇବା ପରେ ସଂପୃକ୍ତ ସାହି ବସ୍ତିର ରାସ୍ତା ଉପରେ ବେଆଇନ ଭାବେ ଜବର ଦଖଲ କରି ଘର କରିଥିବା ୨ ବ୍ୟକ୍ତିଙ୍କ ଘର ସମ୍ମୁଖ ଭାଗକୁ ଭଙ୍ଗା ଯାଇଥିଲା । ଜବର ଦଖଲ ଉଛେଦ ସମୟରେ ପୌର ପରିଷଦର ନିର୍ବାହୀ ଅଧିକାରୀ ପଣ୍ଡାଙ୍କ ସହ କନିଷ୍ଟ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ପୌର ପରିଷଦର ଅନ୍ୟାନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ADVERTISEMENT