ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଲେ ଗଂଜାମ ଜିଲ୍ଲାପାଳ

30

ହିଂଜିଳିକାଟୁ,o୬/o୯(ଶେଷଦେବ ସାହୁ) : ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ହିଂଜିଳିକାଟୁ ବ୍ଳକର ବହୁ ଗ୍ରାମ ଜଳବନ୍ଦୀ ହୋଇ ରହିଥିବା ବେଳେ ଶୁକ୍ରବାର ସାମାନ୍ୟ ଆଶ୍ୱସ୍ତି ମିଳିଛି । ଶୁକ୍ରବାର ଦିନ ତମାମ ଝିପିଝିପି ବର୍ଷା ଲାଗି ରହିଛି । ଲଗାଣ ବର୍ଷା ପ୍ରଭାବରେ ହିଂଜିଳି ବ୍ଳକର ବୁରୁପୋଡ଼ା, ସିକିରି, ରାଳବ, ବାଳକୃଷ୍ଣପୁର, ଖରିଡ଼ା, ଆଲପୁର, ଖଣ୍ଡରା, ଚାନ୍ଦୁଲି, ଗିରିଆ ପ୍ରଭୃତି ନଦୀ ଉପକୂଳବର୍ତି ଅଂଚଳ ଗୁଡ଼ିକର ଚାଷ ଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ପଡ଼ିଛି । ଶୁକ୍ରବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଂଜିଳି ଗ୍ରସ୍ତ କରି ବୁରୁପୋଡ଼ା, ନୁଆଁ ବୁରୁପୋଡ଼ା, ବାଳକୃଷ୍ଣପୁର ଗ୍ରମରେ ପଂହଚି କ୍ଷତିଗ୍ରସ୍ତ ଚାଷ ଜମି ଓ ପରିବା ଫସଲ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ବାଳକୃଷ୍ଣପୁର ଗ୍ରାମ ନିକଟରେ ଥିବା କେନାଳକୁ ବର୍ଷାଋତୁ ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ମରାମତି କରାନଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାନଯିବା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମିରେ ବଢିପାଣି ଜମି ରହିବା ସହ ଗରୀବ ଚଷାର ବର୍ଷକର ଭାତ ହାଣ୍ଡି ଉଜୁଡ଼ି ଯିବାକୁ ବସିଛି ବୋଲି ବାଳକୃଷ୍ଣପୁର ଗ୍ରାମବାସୀ ଗଂଜାମ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ବାଳକୃଷ୍ଣପୁର ଗ୍ରାମ ପରିଦର୍ଶନ ପରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ବୁରୁପୋଡ଼ା ଓ ନୁଆଁ ବୁରୁପୋଡ଼ା ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ଚାଷ ଜମି ଓ ପରିବା ଫସଲ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷଜମି ଓ ପରିବା ଫସଲ ମଧ୍ୟରୁ ପାଣି ନିଷ୍କାସନ ହୋଇ ନପାରିବା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଓ ପରିବା ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଗଂଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ରାଜସ୍ୱ ବିଭାଗ ଓ କୃଷି ବିଭାଗୀୟ ଅଧିକାରୀ ମାନେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଛି ବୋଲି ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ କହିଥିଲେ । ପାଣିପାଗ ବିଭାଗ ପକ୍ଷରୁ ଗଂଜାମ ଜିଲ୍ଲାରେ ବର୍ଷା ଲାଗି ରହିବାର ସୂଚନା ମିଳିବା ପରେ ନଦୀ ଉପକୂଳ ବର୍ତି ଅଂଚଳର ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଜନସାଧାରଣ ନିଜ ନିକଟରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁୁ ହିଂଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ପାତ୍ର କହିଛନ୍ତି । ଗଂଜାମ ଜିଲ୍ଲାପାଳ କୁଲାଙ୍ଗେଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବୁରୁପୋଡ଼ା ସରଂପଚ ଉମା ଶଙ୍କର ସାବତ, ପୁଟିଆପଦର ସରଂପଚ ମାଧୁରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT