ଛତୁଆ ପ୍ରସ୍ତୁତିକାରୀ ଏସଏଚଜି ର ଚୁକ୍ତି ବାତିଲ : ସିଡ଼ିପିଓଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ସ୍ୱୟଂ ସହାୟିକା ଗୋଷ୍ଠୀ

13

ବୈପାରିଗୁଡା,o୯/o୯(ଏଜେନସି) : ଛତୁଆ ପ୍ରସ୍ତୁତି ଏବଂ ଯୋଗାଣରେ ଅନିୟମିତତା ରିପୋର୍ଟ ପାଇବା ପରେ ଜିଲ୍ଲା ପ୍ରଶାସନ ବୈପାରିଗୁଡା ପୂଜା ସ୍ୱୟଂ ସହାୟିକା ଗୋଷ୍ଠୀର ଚୁକ୍ତି ବାତିଲ କରିବା ସହିତ ଦାୟିତ୍ୱରୁ ଅନ୍ତର କରିଛି । ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରକୁ ଉକ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଛତୁଆ ପ୍ରସ୍ତୁତି କରିବା ସହ ଯୋଗେଇ ଦେଉଥିଲା । ଗତ ମାସ ୧୯ତାରିଖରେ ଜୟପୁର ଆଇଟିଡ଼ିଏର ପିଏ ଏଠାକୁ ପରିଦର୍ଶନରେ ଆସିଥିବା ବେଳେ ଉକ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ର ଅସ୍ୱାସ୍ଥ୍ୟକର ପରିବେଶରେ ଚାଲୁଥିବା,ପ୍ୟାକେଡ଼ରେ ନିର୍ଦ୍ଧାରିତ ଓଜନ ଠାରୁ କମ ଛତୁଆ ରହିବା,ସିସିଟିଭି ଅଥବା ଅଗ୍ନି ନିରୋଧୀ ବ୍ୟବସ୍ଥା ନ ଥିବା ରିପୋର୍ଟରେ ଦର୍ଶାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରୁ ମିଳିଥିବା ପତ୍ରରେ ଉଲ୍ଲେଖ ରହିଛି । ସରକାରୀ ଗାଇଡ଼ଲାଇନ ଖିଲାପ କରୁଥିବା କାରଣରୁ ସେମାନଙ୍କ ଚୁକ୍ତି ନାମାକୁ ରଦ୍ଧ କରାଯିବା ସହ ଅନ୍ୟ ଏକ ଗୋଷ୍ଠୀକୁ ଉକ୍ତ ଦାୟୀତ୍ୱ ନ୍ୟସ୍ତ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୌଣସି ଏକ କାରଣରୁ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଅନୁପସ୍ଥିତ ଥିବା ବେଳେ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଉକ୍ତ ନିର୍ଦ୍ଦେଶ ପତ୍ର ସହ ସିଡ଼ିପିଓଙ୍କ ଅନ୍ୟ ଏକ ପତ୍ର କାନ୍ଥରେ ଲଗା ଯାଇଛି । ଅପରପକ୍ଷେ ଉକ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ବ୍ଳକ ସିଡ଼ିପିଓଙ୍କ ନାମରେ ପାଲଟା ଅଭିଯୋଗ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ଏଗ୍ରିମେଣ୍ଟ ନବୀକରଣ ପାଇଁ ବୈପାରିଗୁଡା ସିଡ଼ିପିଓ ସେମାନଙ୍କ ଠାରୁ ୫୦ହଜାର ଟଙ୍କା ମାଗିଥିଲେ ।ସ୍ବୟଂ ସହାୟିକା ଗୋଷ୍ଠୀ ଦେଇ ନ ପରିବାରୁ ଆକ୍ରୋଶମୂଳକ ଭାବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଅଲ ଇଣ୍ଡିଆ ଅଙ୍ଗନବାଡି ଲେଡିଜ ୱାରକର୍ସ ବୈପାରିଗୁଡା ଶାଖାର ସମ୍ପାଦିକା ଶ୍ରୀମତୀ ସ୍ବର୍ଣ୍ଣଲତା ପଣ୍ଡା ମଧ୍ୟ ବୈପାରିଗୁଡା ସିଡ଼ିପିଓ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଥିବା ବେଳେ କେତେକ ଅଙ୍ଗନବାଡି କର୍ମୀ ସିଡ଼ିପିଓଙ୍କ ସପକ୍ଷରେ ରହିଛନ୍ତି । ଏ ସବୁ ବିଷୟକୁ ନେଇ ବୈପାରିଗୁଡା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିବା ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟରେ ଉପରିସ୍ଥ ଅଧିକାରୀ ଘଟଣାର ସଠିକ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ADVERTISEMENT