ଚିନି ଶିଳ୍ପରେ ଶ୍ରମିକ ଅଶାନ୍ତି ଦେଖା ଦେଇଛି

13

ଆସିକା,୧o/o୯(ଏଜେନସି ) : ଆସିକା ସମବାୟ ଚିନି ଶିଳ୍ପରେ ସୋମବାର ଅପରାହ୍ନରୁ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ଶ୍ରମିକମାନେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରାଉ କରିଛନ୍ତି । ସୋମବାର ଅପରାହ୍ନ ପ୍ରାୟ ୪ଟାରେ କାରଖାନାରୁ ଏକ ଟ୍ରକ ଯୋଗେ ରଦି କାର୍ଟୁନ ଯାଉଥିଲା । କିନ୍ତୁ ସେହି ଟ୍ରକରେ ରଦି କାର୍ଟୁନ ସହ ଭଲ କାର୍ଟୁନ ଥିବା ଜଣାପଡିବା ପରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଶ୍ରମିକମାନେ ରଦି କାର୍ଟୁନ ଥିବା ଟ୍ରକକୁ କାରଖାନା ଭିତରେ ରଖି ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ । ବହୁମୂଲ୍ୟର ଜିନିଷକୁ କମ୍‌ ଦରରେ ବିଲ୍‌ କରି କାରଖାନାକୁ ହରିଲୁଟ୍‌ କରାଯାଉଥିବା ଅଭିଯୋଗ କରିଥିଲେ । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଶ୍ରମିକମାନେ ଅଡି ବସିଛନ୍ତି । କାରଖାନାରୁ ରୀତିମତ ଏଭଳି ମୂଲ୍ୟବାନ ସାମଗ୍ରୀ ବାହାରକୁ ଚାଲି ଯାଉଥିବା ଅଭିଯୋଗ କରାଯାଇଛି । ଖବର ଲେଖା ହେବା ଯାଏ ଅଶାନ୍ତି ଲାଗି ରହିଥିଲା । ଶ୍ରମିକ ଓ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଘଟଣା ସମ୍ପର୍କରେ ପରିଚାଳନା ନିର୍ଦ୍ଦେଶକଙ୍କୁ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ପଚାରିବାରୁ ଶ୍ରମିକଙ୍କ ସହ ଆଲୋଚନା ଚାଲିଥିବା ସେ ପ୍ରକାଶ କରିଛନ୍ତି ।

ADVERTISEMENT