ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ମୁକାବିଲା ନେଇ ମୋଦୀଙ୍କୁ ମନ୍ତ୍ର ‌ଦେଲେ ମନମୋହନ

10

ନୂଆଦିଲ୍ଲୀ,୧୩/o୯(ରବି ଦାସ ) : ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ମୁକାବିଲା ନେଇ କେନ୍ଦ୍ର ସରକାର ଯେଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ତାହାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ-୨ ସରକାରଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ, ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଉଦ୍ୟମ ନ କରି ଦେଶ ସାମ୍ନା କରୁଥିବା ଆର୍ଥିକ ଆହ୍ବାନଗୁଡ଼ିକର କିଭଳି ମୁକାବିଲା କରିହେବ ସେଥିପ୍ରତି ଧ୍ୟାନ ଦିଅ। ଏକ ଇଂରାଜୀ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ମନମୋହନ କହିଛନ୍ତି ଯେ, ଦେଶ ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି ସରକାର ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। କିନ୍ତୁ ଅଧିକ ଦିନ ଏହାକୁ ଆମେ ଅସ୍ବୀକାର କରିପାରିବା ନାହିଁ। ମାନ୍ଦାବସ୍ଥା ମୁକାବିଲା ଦିଗରେ ପୂର୍ବରୁ ବହୁ ସମୟ ଅପଚୟ ହୋଇଗଲାଣି। କେବଳ ରାଜନୈତିକ ଦୃଷ୍ଟିକୁ ଧ୍ୟାନରେ ରଖି ‌ବିଭିନ୍ନ କ୍ଷେତ୍ରକୁ ଅଲଗା ଅଲଗା ପ୍ରୋତ୍ସାହନ କିମ୍ବା ପ୍ୟାକେଜ ପ୍ରଦାନ କରିବା ବ୍ୟର୍ଥ ଯିବ। ବିମୁଦ୍ରୀକରଣ ଭଳି ଐତିହାସିକ ଭୁଲ କରିବା ବଦଳରେ ସରକାରଙ୍କୁ ଅର୍ଥନୀତିରେ ଢାଞ୍ଚାଗତ ସଂସ୍କାର ଆଣିବା ଲାଗି ଦୃଷ୍ଟି ଦେବାକୁ ପଡ଼ିବ। ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଗଲାଣି ବୋଲି ମନମୋହନ କହିଛନ୍ତି।

ADVERTISEMENT