ମନର କଥା ୨.୦ (ତ୍ରୟୋଦଶ ଅଧ୍ୟାୟ); ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ କି ବାତ’

21

• ଲଦ୍ଦାଖରେ ଯେଉଁ ବୀର ଯବାନମାନେ ଶହୀଦ ହୋଇଛନ୍ତି ସେମାନଙ୍କ ନିକଟରେ ଦେଶ କୃତଜ୍ଞ ଓ ନତମସ୍ତକ : ପ୍ରଧାନମନ୍ତ୍ରୀ
• ସାର୍ବଭୌମତ୍ୱ ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଓ ସଂକଳ୍ପବଦ୍ଧତାକୁ ସାରା ବିଶ୍ୱ ଦେଖିଲା : ପ୍ରଧାନମନ୍ତ୍ରୀ
• ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶେଇ ଉଚିତ ଜବାବ ଦେବା ବି ଜାଣେ
• ଆମର ବୀର ସୈନିକମାନେ ଦେଖାଇ ଦେଇଛନ୍ତି ଯେ ସେମାନେ ଭାରତମାତାର ଗୌରବକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ : ନରେଦ୍ର ମୋଦୀ
• ଅନଲକ ପର୍ଯ୍ୟାୟରେ ସତର୍କ ଓ ସଚେତନ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
• ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
• କୋଇଲା, ମହାକାଶ ଓ କୃଷି କ୍ଷେତ୍ରକୁ ଅନଲକ କରିବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର

ନୂଆଦିଲ୍ଲୀ,୨୮-୦୬-୨୦୨୦: ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ୨୦୨୦ ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ । ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, ମାନବ ଜାତି ପାଇଁ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତା’ଉପରେ କିଛି ଅଧିକ ଆଲୋଚନା ହୋଇଥିବା ସ୍ୱାଭାବିକ । କିନ୍ତୁ ଆଜିକାଲି ମୁଁ ଦେଖୁଛି ଗୋଟିଏ କଥାକୁ ନେଇ ଲୋକଙ୍କ ମଧ୍ୟରେ ନିରନ୍ତର ଚର୍ଚ୍ଚା ହେଉଛି ଯେ ଏ ବର୍ଷଟି କେବେ ସରିବ!! କେହି କାହାକୁ ଫୋନ କଲେ ମଧ୍ୟ କଥାବାର୍ତ୍ତା ଏଇଥିରୁ ହିଁ ଆରମ୍ଭ ହେଉଛି ଯେ, ଏ ବର୍ଷଟା ଜଲଦି ବିତୁନି କାହିଁକି? କେହି ଲେଖୁଛି, ବନ୍ଧୁମାନଙ୍କ ସହ କଥା ହେଉଛି, ତ କହୁଛି, ଏ ବର୍ଷଟି ଭଲ ନୁହେଁ, କିଏ କହୁଛି ୨୦୨୦ ବର୍ଷଟି ଶୁଭ ନୁହେଁ । ବାସ୍, ଲୋକ କେବଳ ଏତିକି ଚାହୁଁଛନ୍ତି ଯେ ଏ ବର୍ଷଟି ଯେମିତି ହେଉ ଶୀଘ୍ର ସରିଯାଉ ।

ବନ୍ଧୁଗଣ, ବେଳେବେଳେ ମୁଁ ଭାବେ ଯେ, ଏମିତି କାହିଁକି ହେଉଛି । ହୁଏତ ଏଭଳି କଥାବାର୍ତ୍ତାର କିଛି କାରଣ ମଧ୍ୟ ଥାଇପାରେ । ୬-୭ ମାସ ଆଗରୁ ଆମେ ବି କ’ଣ ଜାଣିଥିଲୁ ଯେ, କରୋନା ଭଳି ବିପତ୍ତି ଆସିବ ଆଉ ତା’ ବିରୁଦ୍ଧରେ ଏ ସଂଗ୍ରାମ ଏତେ ଦୀର୍ଘଦିନ ଧରି ଚାଲିବ? ଏହି ବିପତ୍ତି ତ ଚାଲିଛି । ତା’ଉପରେ ପୁଣି ଦିନକୁ ଦିନ ଦେଶ ଆଗରେ ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଚାଲିଛି । ଏହି କିଛିଦିନ ତଳେ, ଦେଶର ପୂର୍ବ ଉପକୂଳରେ ଅମ୍ଫନ ବାତ୍ୟା ଆସିଲା । ସେପଟେ ପଶ୍ଚିମ ଉପକୂଳରେ ନିଃସର୍ଗ ବାତ୍ୟା ଆସିଲା । ଅନେକ ରାଜ୍ୟରେ ଆମର ଚାଷୀ ଭାଇଭଉଣୀମାନେ ପଙ୍ଗପାଳ ଦଳର ଆକ୍ରମଣକୁ ନେଇ ବିବ୍ରତ ଅଛନ୍ତି । ଆଉ ପୁଣି ଦେଶର ଅନେକ ଅଂଚଳରେ ଛୋଟ ଛୋଟ ଭୂମିକମ୍ପ ଥମିବାର ନାଁ ଧରୁନି । ଆଉ ଏସବୁ ଭିତରେ ଆମର କିଛି ପଡ଼ୋଶୀଙ୍କ ଦ୍ୱାରା ଯାହା ଚାଲିଛି, ଦେଶ ସେସବୁ ସମସ୍ୟାକୁ ମଧ୍ୟ ସାମନା କରୁଛି । ବାସ୍ତବରେ, ଏକାଥରକେ ଏତେ ଗୁଡ଼ିଏ ସମସ୍ୟା! ଏଭଳି ସଂକଟ କ୍ୱଚିତ ଦେଖିବାକୁ ମିଳେ । ପରିସ୍ଥିତି ଏଭଳି ହୋଇଛି ଯେ, କିଛି ଛୋଟ ଛୋଟ ଘଟଣା ଘଟିଲେ ମଧ୍ୟ ଲୋକେ ସେଗୁଡ଼ିକୁ ଏହାସହିତ ଯୋଡ଼ି କରି ଦେଖୁଛନ୍ତି ।

ବନ୍ଧୁଗଣ, କଠିନ ପରିସ୍ଥିତି ଆସେ, ବିପତ୍ତି ଆସେ, କିନ୍ତୁ ପ୍ରଶ୍ନ ହେଲା ଯେ, କ’ଣ ଏଇ ବିପତ୍ତିଗୁଡ଼ିକ କାରଣରୁ ଆମେ ୨୦୨୦ ବର୍ଷଟିକୁ ଅଶୁଭ ବୋଲି ଧରିନେବା? ପ୍ରଥମ ୬ ମାସ ଯେମିତି କଟିଲା ତା’ଯୋଗୁଁ କ’ଣ ମାନିନେବା ଯେ, ଏ ସମ୍ପୂର୍ଣ୍ଣ ବର୍ଷଟି ଏମିତି ଖରାପ, ଏଭଳି ଭାବିବା କ’ଣ ଉଚିତ ହେବ? ନା – ମୋର ପ୍ରିୟ ଦେଶବାସୀଗଣ, ମୋଟେ ନୁହେଁ କୌଣସି ବର୍ଷ ମଧ୍ୟରେ ଗୋଟିଏ ସମସ୍ୟା ଆସୁ କିମ୍ବା ପଚାଶଟି ସମସ୍ୟା ଆସୁ ସଂଖ୍ୟା କମ୍-ବେଶୀ ହେଲେ ସେ ବର୍ଷଟି ଅଶୁଭ ହୋଇଯାଏନି । ଭାରତର ଇତିହାସ ହିଁ ଏଭଳି ବିପତ୍ତି ଏବଂ ଆହ୍ୱାନଗୁଡ଼ିକ ଉପରେ ବିଜୟଲାଭ କରି ଆହୁରି ଶକ୍ତିଶାଳୀ ହେବାର ରହିଛି । ଶହ ଶହ ବର୍ଷଧରି ବିଭିନ୍ନ ଆକ୍ରମଣକାରୀମାନେ ଭାରତ ଉପରେ ଆକ୍ରମଣ କରିଛନ୍ତି, ଦେଶକୁ ବିପଦରେ ପକାଇଛନ୍ତି, ଲୋକେ ଭାବୁଥିଲେ ଯେ, ଭାରତର ମୂଳଭିତ୍ତି ନଷ୍ଟ ହୋଇଯିବ । ଭାରତର ସଂସ୍କୃତି ହିଁ ଲୋପ ପାଇଯିବ । କିନ୍ତୁ ଏସବୁ ବିପତ୍ତି ଯୋଗୁଁ ଭାରତ ଆହୁରି ଭବ୍ୟ ହୋଇ ପ୍ରଗତିଶୀଳ ହୋଇଛି ।

ବନ୍ଧୁଗଣ, ଆମର ଏଠି କୁହାଯାଇଛି ଯେ – ସୃଜନ ଶାଶ୍ୱତ, ସୃଜନ ନିରନ୍ତର । ଗୋଟିଏ ଗୀତର କିଛି ଧାଡ଼ି ମୋର ମନେପଡ଼ୁଛି ।

କଳ କଳ ହୋଇ ଯାଉଛି ବହି, କହୁଛି କ’ଣ ଏ ଗଙ୍ଗାର ଧାରା?

ଯୁଗ ଯୁଗ ଧରି ଆସିଛି ବହି, ଆମରି ଏ ପୂଣ୍ୟପ୍ରବାହ ପରା ।

ସେହି ଗୀତରେ ଆଗକୁ ଅଛି –

ପାରିବାକି ରୋକି ତାକୁ, ଯିବା ଲୋକ ତ ଚାଲିଯିବେ

ଗୋଡ଼ିପଥର ଅସ୍ତିତ୍ୱ କ’ଣ ଯେ, ସେମାନେ ପୁଣି ବାଧା ଦେବେ?

ଏକ ପକ୍ଷରେ ଯେଉଁଠି ଭାରତ ଆଗରେ ବଡ଼ ବଡ଼ ସମସ୍ୟାମାନ ଦେଖାଦେଇଛି, ଅପରପକ୍ଷରେ ସେ ବାଧାଗୁଡ଼ିକୁ ଦୂରକରି ଅନେକ ନୂତନ କାର୍ୟ୍ୟ ବି ହୋଇଛି । ନୂତନ ସାହିତ୍ୟ ସୃଷ୍ଟି ହୋଇଛି । ନୂତନ ଗବେଷଣା, ନୂଆ ସିଦ୍ଧାନ୍ତ ସୃଷ୍ଟି ହୋଇଛି । ସଙ୍କଟଜନକ ପରିସ୍ଥିତି ମଧ୍ୟରେ ବି ପ୍ରତ୍ୟେକ କ୍ଷେତ୍ରରେ ସୃଜନ ପ୍ରକ୍ରିୟା ଅବ୍ୟାହତ ରହିଛି ଏବଂ ଆମ ସଂସ୍କୃତି ପୁଷ୍ପିତ-ପଲ୍ଲବିତ ହୋଇଚାଲିଛି । ଦେଶ ଆଗକୁ ଆଗକୁ ବଢ଼ିଚାଲିଛି । ଭାରତ ସର୍ବଦା ସମସ୍ୟାକୁ ସଫଳତାର ସୋପାନରେ ପରିବର୍ତ୍ତିତ କରିଛି । ଏହି ଚିନ୍ତାଧାରା ସହ, ଆମକୁ ଆଜି ମଧ୍ୟ ସମସ୍ୟା ମଧ୍ୟରେ ଆଗକୁ ବଢ଼ିବାର ଅଛି । ଆପଣମାନେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବେ । ୧୩୦ କୋଟି ଦେଶବାସୀ ଆଗକୁ ବଢ଼ିବେ । ତା’ହେଲେ ଏହି ବର୍ଷ ହିଁ ଦେଶ ପାଇଁ ଉତ୍କର୍ଷ ସ୍ଥାପନ କରିବାର ବର୍ଷ ଭାବରେ ପ୍ରମାଣିତ ହେବ । ଏହି ବର୍ଷରେ ହିଁ ଦେଶ ନୂତନ ଲକ୍ଷ୍ୟପ୍ରାପ୍ତ କରିବ, ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ । ୧୩୦ କୋଟି ଦେଶବାସୀଙ୍କ ଶକ୍ତି ଉପରେ, ଆପଣ ସମସ୍ତଙ୍କ ଉପରେ, ଏହି ଦେଶର ମହାନ ପରମ୍ପରା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।

ମୋର ପ୍ରିୟ ଦେଶବାସୀଗଣ, ସମସ୍ୟା ଯେତେ ବଡ଼ ହେଉ ପଛେ ଭାରତର ସଂସ୍କାର, ନିଃସ୍ୱାର୍ଥ ସେବା ପାଇଁ ପ୍ରେରଣା ଯୋଗାଇଥାଏ । କଠିନ ପରିସ୍ଥିତିରେ ଭାରତ ଯେଉଁଭଳି ବିଶ୍ୱବାସୀଙ୍କୁ ସହାୟତା ଯୋଗାଇଲା ତାହା ଆଜି ଶାନ୍ତି ଏବଂ ପ୍ରଗତିରେ ଭାରତର ଭୂମିକାକୁ ଆହୁରି ସୁଦୃଢ଼ କରିଛି । ଏଭଳି ସମୟରେ ସାରା ପୃଥିବୀ ଭାରତର ବିଶ୍ୱ-ବନ୍ଧୁତ୍ୱ ଭାବକୁ ମଧ୍ୟ ଅନୁଭବ କଲା । ତା’ସହିତ ନିଜର ସାର୍ବଭୌମତ୍ୱ ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଏବଂ ସଂକଳ୍ପବଦ୍ଧତାକୁ ମଧ୍ୟ ବିଶ୍ୱ ଦେଖିଲା । ଲଦ୍ଦାଖରେ ଭାରତର ଭୂମି ଉପରେ କୁଦୃଷ୍ଟି ନିକ୍ଷେପକାରୀଙ୍କୁ କଡ଼ା ଜବାବ ମିଳିଲା । ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶେଇ ଉଚିତ ଜବାବ ଦେବା ବି ଜାଣେ । ଆମର ବୀର ସୈନିକମାନେ ଦେଖାଇ ଦେଇଛନ୍ତି ଯେ ସେମାନେ ଭାରତମାତାର ଗୌରବକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ ।

ବନ୍ଧୁଗଣ, ଲଦ୍ଦାଖରେ ଆମର ଯେଉଁ ବୀର ଯବାନମାନେ ଶହୀଦ ହୋଇଛନ୍ତି ସେମାନଙ୍କ ବୀରତ୍ୱକୁ ସାରା ଦେଶ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମସ୍ତ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ସେମାନଙ୍କ ଆଗରେ ନତମସ୍ତକ । ଏହି ବନ୍ଧୁମାନଙ୍କ ପରିବାର ଭଳି ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇବାର ପୀଡ଼ାକୁ ମଧ୍ୟ ଅନୁଭବ କରୁଛି । ନିଜର ବୀର-ସୁପୁତ୍ରଙ୍କ ବଳିଦାନକୁ ନେଇ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଯେଉଁ ଗୌରବ ଭାବନା ରହିଛି, ଦେଶ ପାଇଁ ଯେଉଁ ଉତ୍ସାହ ରହିଛି – ତାହାହିଁ ତ ଦେଶର ଶକ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁମାନଙ୍କ ପୁତ୍ର ଶହୀଦ ହୋଇଛନ୍ତି, ସେହି ପିତା-ମାତା, ନିଜର ଅନ୍ୟ ପୁଅମାନଙ୍କୁ ଘରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେନାବାହିନୀକୁ ପଠାଇବା ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି । ବିହାରର ବାସିନ୍ଦା ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ କଥା ତ କାନରେ ପ୍ରତିଧ୍ୱନିତ ହେଉଛି । ସେ କହୁଥିଲେ, ନିଜର ନାତିକୁ ବି ଦେଶର ସୁରକ୍ଷା ପାଇଁ ସେନାବାହିନୀକୁ ପଠାଇବେ । ସମସ୍ତ ଶହୀଦ ପରିବାରରେ ଏଭଳି ସାହସ ଭରିରହିଛି । ବାସ୍ତବରେ, ଏହି ପରିବାରଗୁଡ଼ିକର ତ୍ୟାଗ ପୂଜନୀୟ । ଭାରତମାତାର ସୁରକ୍ଷାର ଯେଉଁ ସଂକଳ୍ପକୁ ନେଇ ଆମର ଯବାନମାନେ ବଳିଦାନ ଦେଇଛନ୍ତି, ସେହି ସଂକଳ୍ପକୁ ଆମକୁ ମଧ୍ୟ ଜୀବନର ଲକ୍ଷ୍ୟ ରୂପେ ଗ୍ରହଣ କରିବାକୁ ହେବ । ପ୍ରତ୍ୟେକ ଦେଶବାସୀକୁ ଗ୍ରହଣ କରିବାକୁ ହେବ । ଆମର ସମସ୍ତ ପ୍ରଚେଷ୍ଟା ଏହି ଦିଗରେ ହେବା ଦରକାର । ଯାହାଦ୍ୱାରା ନିଜର ସୀମାକୁ ସୁରକ୍ଷିତ କରିବାରେ ଦେଶର ଶକ୍ତି ବୃଦ୍ଧିହେବ, ଦେଶ ଆହୁରି ଅଧିକ ସକ୍ଷମ ହେବ, ଆତ୍ମନିର୍ଭର ହେବ । ତାହାହେବ ଆମ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆସାମରୁ ରଜନୀ ଜୀ ମୋତେ ଲେଖିଛନ୍ତି ଲଦ୍ଦାଖର ପୂର୍ବଭାଗରେ ଯାହାକିଛି ଘଟିଲା ତାକୁଦେଖି ସେ ଗୋଟିଏ ସଂକଳ୍ପ ଗ୍ରହଣ କରିଛନ୍ତି – ସେ ସଂକଳ୍ପଟି ହେଲା ଯେ, ସେ କେବଳ ସ୍ଥାନୀୟ ଜିନିଷ ହିଁ କିଣିବେ । କେବଳ ସେତିକି ନୁହେଁ ଲୋକାଲ ପାଇଁ ଭୋକାଲ ମଧ୍ୟ ହେବେ । ଦେଶର କୋଣ-ଅନୁକୋଣରୁ ଏହିଭଳି ବାର୍ତ୍ତାମାନ ମୋ ପାଖକୁ ଆସିବାରେ ଲାଗିଛି । ବହୁତ ଲୋକ ମୋତେ ଚିଠିଲେଖି ଜଣାଉଛନ୍ତି ଯେ, ସେମାନେ ଏହି କାମ ଆରମ୍ଭ କରିଦେଲେଣି । ସେହିଭଳି ତାମିଲନାଡୁର ମଦୁରାଇରୁ ମୋହନ ରାମମୂର୍ତ୍ତିଜୀ ଲେଖିଛନ୍ତି ଯେ, ସେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଦେଖିବାକୁ ଚାହୁଁଛନ୍ତି ।

ବନ୍ଧୁଗଣ, ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର କେତେକ ଦେଶଠାରୁ ଅଗ୍ରଣୀ ଥିଲା । ଆମ ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା । ସେତେବେଳେ ଆମଠାରୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ବହୁ ଆଗରେ । ସ୍ୱାଧୀନତା ପ୍ରାପ୍ତି ପରେ ପ୍ରତିରକ୍ଷା କ୍ଷେତ୍ରରେ ଆମର ଯାହା ପ୍ରୟାସ କରିବା ଉଚିତ ଥିଲା, ଆମର ପୂର୍ବ ଅନୁଭୂତିରୁ ଯାହା ଲାଭ ଉଠାଇବାର ଥିଲା, ଆମେ ସେ ଲାଭ ଉଠାଇପାରିନାହୁଁ । କିନ୍ତୁ ଆଜି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ଅନବରତ ପ୍ରଚେଷ୍ଟା ଜାରି ରଖିଛି । ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ।

ବନ୍ଧୁଗଣ, କୌଣସି ଅଭିଯାନ, ଜନଭାଗିଦାରିତା ବିନା ସମ୍ପୂର୍ଣ୍ଣ ହୋଇପାରେନା, ସଫଳ ହୋଇପାରେନା । ତେଣୁ ଆତ୍ମନିର୍ଭର ଭାରତ ଦିଗରେ ଜଣେ ନାଗରିକ ହିସାବରେ ଆମ ସମସ୍ତଙ୍କ ସଂକଳ୍ପ, ସମର୍ପଣ ଏବଂ ସହଯୋଗ ନିହାତି ଆବଶ୍ୟକ ଏବଂ ଅନିବାର୍ୟ୍ୟ । ଆପଣ ଯଦି ଲୋକାଲ ଜିନିଷ କିଣିବେ, ଲୋକାଲ ପାଇଁ ଭୋକାଲ ହେବେ ତେବେ ଜାଣନ୍ତୁ ଯେ, ଆପଣ ଦେଶକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ଏକ ପ୍ରକାର ଦେଶସେବା । ଆପଣ ଯେକୌଣସି ବୃତ୍ତିରେ ଥାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜାଗାରେ ଦେଶସେବା ପାଇଁ ବହୁତ ସୁଯୋଗ ରହିଥାଏ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହାକିଛି କରାଯାଏ ତାହାହିଁ ଦେଶସେବା । ଆପଣଙ୍କର ଏହି ସେବା, ଦେଶକୁ କୌଣସି ନା କୌଣସି ଭାବରେ ସୁଦୃଢ଼ ମଧ୍ୟ କରେ, ଆଉ ଏକଥା ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଆମ ଦେଶ ଯେତେ ସୁଦୃଢ଼ ହେବ, ବିଶ୍ୱରେ ଶାନ୍ତିର ସମ୍ଭାବନା ମଧ୍ୟ ସେତେ ବହୁତ ହେବ । ଆମର ଏଠି କୁହାଯାଇଛି –

ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ ।

ଖଳସ୍ୟ ସାଧୋଃ ବିପରୀତମ୍ ଏତତ୍, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ ।

ଅର୍ଥାତ୍ ମନୁଷ୍ୟର ସ୍ୱଭାବ ଯଦି ଖଳ ହୋଇଥିବ, ତା’ହେଲେ ସେ ବିଦ୍ୟାର ପ୍ରୟୋଗ ବିବାଦ ପାଇଁ, ଧନର ପ୍ରୟୋଗ ଅହଙ୍କାର ପାଇଁ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାପାଇଁ କରିବ । କିନ୍ତୁ ସଜ୍ଜନର ବିଦ୍ୟା – ଜ୍ଞାନ ପାଇଁ, ଧନ – ସହାୟତା ପାଇଁ ଏବଂ ଶକ୍ତି – ରକ୍ଷାକରିବା ପାଇଁ ପ୍ରୟୋଗ ହୋଇଥାଏ । ଭାରତ ସର୍ବଦା ନିଜ ଶକ୍ତିକୁ ଏହି ଚିନ୍ତାଧାରା ସହ ପ୍ରୟୋଗ କରିଛି । ଭାରତର ସ୍ୱାଭିମାନ ଏବଂ ସାର୍ବଭୌମତ୍ୱର ରକ୍ଷା ହେଉଛି ଭାରତର ସଂକଳ୍ପ । ଭାରତର ଲକ୍ଷ୍ୟ ହେଉଛି ଆତ୍ମ-ନିର୍ଭର ଭାରତ । ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ମିତ୍ରତା । ଭାରତର ଭାବନା ହେଉଛି ବନ୍ଧୁତା । ଏହି ଆଦର୍ଶଗୁଡ଼ିକ ସହ ଆମେ ଆଗକୁ ବଢ଼ିଚାଲିବା ।

ମୋର ପ୍ରିୟ ଦେଶବାସୀଗଣ, କରୋନାର ଏହି ସଙ୍କଟ ସମୟରେ ଦେଶ ଲକଡାଉନରୁ ବାହାରି ଆସିଛି । ଆମେ ଏବେ ଅନଲକ ପର୍ୟ୍ୟାୟରେ, ଏହି ସମୟରେ ଦୁଇଟି କଥା ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିବ – କରୋନାକୁ ପରାଜିତ କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା, ଏହାକୁ ଶକ୍ତିଶାଳୀ କରିବା । ବନ୍ଧୁଗଣ, ଲକଡାଉନ ଅପେକ୍ଷା ଅନଲକ ସମୟରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଦାଉରୁ ରକ୍ଷା କରିବ । ଏକଥା ସବୁବେଳେ ମନେରଖନ୍ତୁ ଯେ, ଆପଣ ଯଦି ମାସ୍କ ନ ପିନ୍ଧୁଛନ୍ତି, ଦୁଇଗଜ ଦୂରତାର ନିୟମ ପାଳନ କରୁନାହାନ୍ତି, କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସାବଧାନତା ଅବଲମ୍ବନ କରୁନାହାଁନ୍ତି ତାହେଲେ ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି । ବିଶେଷକରି ଘରର ପିଲାଛୁଆ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ । ତେଣୁ ସମସ୍ତ ଦେଶବାସୀଙ୍କୁ ମୋର ନିବେଦନ ଆଉ ବାରମ୍ବାର ନିବେଦନ ଯେ ଆପଣ ବେପରୁଆ ମନୋଭାବ ପୋଷଣ କରନ୍ତୁନି । ନିଜର ଯତ୍ନ ନିଅନ୍ତୁ ଏବଂ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ ।

ବନ୍ଧୁଗଣ, ଅନଲକର ଏହି ସମୟରେ ଏଭଳି ବହୁତ କଥା ମଧ୍ୟ ଅନଲକ ହେଉଛି, ଯେଉଁଥିରେ ଭାରତ ଅନେକ ଦଶନ୍ଧି ଧରି ବାନ୍ଧି ହୋଇରହିଥିଲା । ବର୍ଷ ବର୍ଷ ଧରି ଆମର ଖଣିକ୍ଷେତ୍ର ଲକଡାଉନ ହୋଇରହିଥିଲା । ବାଣିଜ୍ୟିକ ନିଲାମକୁ ମଞ୍ଜୁରି ଦେବାର ମାତ୍ର ଗୋଟିଏ ନିଷ୍ପତ୍ତି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି । କିଛିଦିନ ତଳେ ମହାକାଶ କ୍ଷେତ୍ରରେ ମଧ୍ୟ ଐତିହାସିକ ସୁଧାର ଅଣାଯାଇଛି । ସେହି ସଂସ୍କାର ଫଳରେ ବହୁବର୍ଷ ଧରି ଲକଡାଉନରେ ବନ୍ଧା ହୋଇପଡ଼ିଥିବା ଏହି କ୍ଷେତ୍ରକୁ ସ୍ୱାଧୀନତା ମିଳିଲା । ଏହାଦ୍ୱାରା ଆତ୍ମନିର୍ଭର ଭାରତର ଅଭିଯାନ କେବଳ ଯେ ଗତିଶୀଳ ହେବ ତାହାନୁହେଁ, ବରଂ ଦେଶ, କାରିଗରୀ କୌଶଳ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେବ । ଆମ କୃଷିକ୍ଷେତ୍ର ଉପରେ ଦୃଷ୍ଟିନିକ୍ଷେପ କଲେ ଜାଣିପାରିବା ଯେ, ଏହି କ୍ଷେତ୍ରରେ ମଧ୍ୟ ଅନେକ ଜିନିଷ ଦଶନ୍ଧି ଦଶନ୍ଧି ଧରି ଲକଡାଉନରେ ଫସିରହିଥିଲା । ଏହି କ୍ଷେତ୍ରକୁ ମଧ୍ୟ ଏବେ ଅନଲକ କରିଦିଆଯାଇଛି । ଏହାଦ୍ୱାରା ଗୋଟିଏ ପଟେ ଚାଷୀମାନଙ୍କୁ ନିଜର ଫସଲ ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତିକୁ ବିକ୍ରି କରିବାର ସ୍ୱାଧୀନତା ମିଳିଛି । ଅନ୍ୟପଟେ ସେମାନଙ୍କୁ ଅଧିକ ଋଣ ମିଳିବା ମଧ୍ୟ ସୁନିଶ୍ଚିତ ହୋଇଛି । ଏଭଳି ଅନେକ କ୍ଷେତ୍ର ରହିଛି, ଯେଉଁଠି ଆମ ଦେଶ ଏହିସବୁ ସଙ୍କଟ ମଧ୍ୟରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ପ୍ରଗତିର ନୂତନ ମାର୍ଗ ଉନ୍ମୁକ୍ତ କରୁଛି ।

ମୋର ପ୍ରିୟ ଦେଶବାସୀଗଣ ପ୍ରତି ମାସରେ ଆମେ ଏଭଳି ଖବର ପଢ଼ୁଛୁଁ ଆଉ ଦେଖୁଛୁଁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି । ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର ।

ଅରୁଣାଚଳ ପ୍ରଦେଶର ଗୋଟିଏ ଏଇଭଳି ପ୍ରେରଣାଦାୟୀ କଥା ମୋତେ ଗଣମାଧ୍ୟମରୁ ପଢ଼ିବାର ସୁଯୋଗ ମିଳିଲା । ଏଠାକାର, ସିୟାଙ୍ଗ ଜିଲ୍ଲା ମିରେମ୍ ଗାଁ ଏଭଳି ଏକ ଅନନ୍ୟ କାମ କରି ଦେଖାଇଲା ଯାହାକି ସାରା ଭାରତବର୍ଷ ପାଇଁ ଏକ ଉଦାହରଣ ପାଲଟିଛି । ଏହି ଗାଁର କେତେକ ଲୋକ ବାହାରେ ରହି ଚାକିରି କରନ୍ତି । ଗ୍ରାମବାସୀମାନେ ଦେଖିଲେ ଯେ କରୋନା ମହାମାରୀ ସମୟରେ ଏହି ପ୍ରବାସୀ ଚାକିରିଆମାନେ ଗାଁକୁ ଫେରୁଛନ୍ତି । ଏମିତିରେ, ଗ୍ରାମବାସୀମାନେ ପ୍ରଥମରୁ ଗାଁ ବାହାରେ କ୍ୱାରେଂଟାଇନର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି କରିଥିଲେ । ତେଣୁ ସେମାନେ ସମସ୍ତେ ମିଳିମିଶି ଗାଁଠୁ କିଛି ଦୂରରେ, ଚଉଦଟି ଛୋଟ ଛୋଟ କୁଡ଼ିଆଘର ତିଆରି କରିଦେଲେ, ଆଉ ସ୍ଥିର କଲେ ଯେ ପ୍ରବାସରେ ଚାକିରି କରୁଥିବା ଗାଁ ଲୋକେ ଯେତେବେଳେ ଫେରିବେ ତା’ହେଲେ ସେମାନଙ୍କୁ ସେହି କୁଡ଼ିଆ ଘରଗୁଡ଼ିକରେ କିଛିଦିନ ପାଇଁ କ୍ୱାରେଂଟାଇନରେ ରହିବାକୁ ହେବ । ସେସବୁ କୁଡ଼ିଆଗୁଡ଼ିକରେ ଶୌଚାଳୟ, ବିଜୁଳି-ପାଣି ସମେତ, ପ୍ରତିଦିନର ଆବଶ୍ୟକତା ମୁତାବକ ସବୁ ସୁବିଧା ଉପଲବ୍ଧ କରାଯାଇଥିଲା । ଏଥିରୁ ପ୍ରମାଣିତ ଯେ, ମିରେମ୍ ଗ୍ରାମବାସୀଙ୍କ ଏହି ସାମୁହିକ ପ୍ରୟାସ ଆଉ ସଚେତନତା ସମସ୍ତଙ୍କର ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରିପାରିଛି ।

ବନ୍ଧୁଗଣ, ଆମର ଏଠି କୁହାଯାଏ –

“ସ୍ୱଭାବଂ ନ ଯହାତି ଏବ, ସାଧୁଃ ଆପଦ୍ରତୋପୀସନ ।

କର୍ପୂରଃ ପାବକ ସ୍ପୃଷ୍ଟଃ ସୌରଭଂ ଲଭତେତରାମ ।

ଅର୍ଥାତ୍, କର୍ପୂର ଯେଭଳି ନିଅଁରେ ଜଳିବା ସତ୍ୱେ ବି ନିଜର ସୁଗନ୍ଧ ହରାଏନି, ସେହିଭଳି ଉତ୍ତମ ବ୍ୟକ୍ତି ବିପଦରେ ପଡ଼ିଲେ ବି ଆପଣା ଗୁଣ, ଆପଣା ସ୍ୱଭାବ ଛାଡ଼ନ୍ତି ନାହିଁ । ଆଜି ଆମ ଦେଶରେ ଯେଉଁ ଶ୍ରମଶକ୍ତି ରହିଛନ୍ତି, ଯେଉଁ ଶ୍ରମିକ ସାଥୀ ରହିଛନ୍ତି, ସେମାନେ ହିଁ ଏହି କଥାର ଜୀବନ୍ତ ଉଦାହରଣ । ଆପଣ ଦେଖୁଥିବେ, ଏବେ ଆମର ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କେତେ କଥା ନଜରକୁ ଆସୁଛି ଯାହାକି ପୁରା ଦେଶକୁ ପ୍ରେରଣା ଯୋଗାଉଛି । ଉତ୍ତରପ୍ରଦେଶର ବାରାବାଙ୍କୀ ଗାଁକୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କଲ୍ୟାଣୀ ନଦୀର ପ୍ରାକୃତିକ ସ୍ୱରୂପ ଫେରାଇଆଣିବା ଦିଗରେ କାର୍ୟ୍ୟ ଆରମ୍ଭ କରିଦେଇଛନ୍ତି । ନଦୀର ପୁନରୁଦ୍ଧାର ହେବାଦେଖି ଆଖପାଖର ଚାଷୀ ଏବଂ ଲୋକେ ବେଶ୍ ଉତ୍ସାହିତ ହୋଇଛନ୍ତି । ଗାଁକୁ ଫେରିବା ପରେ କ୍ୱାରେଂଟାଇନ୍ ସେଂଟର କିମ୍ବା ଆଇସୋଲେସନ୍ ସେଂଟରରେ ରହିବା ସତ୍ୱେ ବି ଆମର ଶ୍ରମଜୀବି ସାଥୀମାନେ ଯେଉଁଭଳି ନିଜ ନିଜର କୌଶଳକୁ ଉପଯୋଗ କରି ନିଜ ଆଖପାଖର ସ୍ଥିତିରେ ପରିବର୍ତ୍ତନ ଆଣିପାରିଛନ୍ତି, ଇଏ ଅଦ୍ଭୁତ, ଅନନ୍ୟ । ହେଲେ ବନ୍ଧୁଗଣ! ଏହିଭଳି କେତେ କେତେ ଘଟଣା ଦେଶର ଲକ୍ଷ ଲକ୍ଷ ଗାଁରେ ଘଟୁଛି, ଅଥଚ ଆମ ନିକଟରେ ପହଂଚିପାରୁନି । ଆମ ଦେଶର ସ୍ୱଭାବ ଯେପରି, ମୋର ବିଶ୍ୱାସ ବନ୍ଧୁଗଣ! ଆପଣଙ୍କ ଗାଁରେ ବି, ଆପଣଙ୍କ ଆଖପାଖରେ ବି, ଏଭଳି ଅନେକ ଘଟଣା ଘଟିଥିବ । ଯଦି ଏଭଳି କିଛି କଥା ଆପଣଙ୍କ ନଜରକୁ ଆସିଥିବ, ତା’ହେଲେ ଆପଣ ଏଭଳି ପ୍ରସଙ୍ଗ ସମ୍ପର୍କରେ ମୋତେ ନିଶ୍ଚୟ ଲେଖିବେ । ସଂକଟର ଏଇ ମୁହୂର୍ତ୍ତରେ, ଏ ସକାରାତ୍ମକ ଘଟଣାଗୁଡ଼ିକ, ଏସବୁ କଥାଗୁଡ଼ିକ ଅନ୍ୟମାନଙ୍କୁ ବି ପ୍ରେରଣାଦୀପ୍ତ କରିବ ।

ମୋର ପ୍ରିୟ ଦେଶବାସୀଗଣ, କରୋନା ଭୂତାଣୁ ନିଶ୍ଚିତ ଭାବେ ଆମ ଜୀବନ ଜୀଇଁବାର ଶୈଳୀରେ ପରିବର୍ତ୍ତନ ଆଣିଦେଇଛି । ମୁଁ ଲଣ୍ଡନରୁ ପ୍ରକାଶିତ ଫାଇନାନ୍ସିଆଲ୍ ଟାଇମ୍ସରେ ଗୋଟିଏ ହୃଦୟସ୍ପର୍ଶୀ ଲେଖା ପଢ଼ୁଥିଲି । ସେଥିରେ ଲେଖାଯାଇଥିଲା ଯେ କରୋନା ସମୟରେ ଅଦା, ହଳଦୀ ସମେତ ଅନ୍ୟ ମସଲାଗୁଡ଼ିକର ଚାହିଦା ଏସିଆ ବ୍ୟତୀତ ଆମେରିକାରେ ମଧ୍ୟ ବଢ଼ିଯାଇଛି । ସମଗ୍ର ପୃଥିବୀର ଧ୍ୟାନ ଏବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏସବୁ ଦ୍ରବ୍ୟର ସମ୍ପର୍କ ଆମ ଦେଶ ସହିତ ରହିଛି । ଆମକୁ ଏହାର ବିଶେଷତ୍ୱ ପୃଥିବୀର ଲୋକଙ୍କୁ ଏପରି ସହଜ ଓ ସରଳ ଭାଷାରେ ବତାଇବା ଦରକାର, ଯେପରିକି ସେମାନେ ସହଜରେ ବୁଝିପାରିବେ ଓ ଆମେ ଏକ ସୁସ୍ଥ ପୃଥିବୀ ନିର୍ମାଣରେ ନିଜର ଯୋଗଦାନ ଦେଇପାରିବା ।

ମୋର ପ୍ରିୟ ଦେଶବାସୀଗଣ, କରୋନା ଭଳି ସଂକଟ ଯଦି ଆସିନଥା’ନ୍ତା, ତେବେ ବୋଧେ ଜୀବନ କ’ଣ, ଜୀବନ କାହିଁକି ଅଛି, ଜୀବନ କେମିତି, ବୋଧହୁଏ ଏହା ଆମର ମନେ ପଡ଼ିନଥା’ନ୍ତା । ଅନେକ ଲୋକ ଏହି କାରଣରୁ ମାନସିକ ଚାପରେ ରହୁଛନ୍ତି ତ ଅନ୍ୟପଟେ ଲୋକେ ମୋତେ ଏହା ବି ଜଣାଇଛନ୍ତି ଯେ ଲକଡାଉନ ସମୟରେ ସେମାନେ କିପରି ନିଜ ଜୀବନରେ ଛୋଟଛୋଟ ଖୁସିକୁ ଆବିଷ୍କାର କରିପାରିଛନ୍ତି । ଅନେକ ଲୋକ ନିଜର ପରିବାର ସହ ପାରମ୍ପରିକ ଇନଡୋର୍ ଗେମ୍ ଖେଳି ଆନନ୍ଦ ଉଠାଇବାର ଅନୁଭୂତି ମୋତେ କହିଛନ୍ତି ।

ବନ୍ଧୁଗଣ, ଆମ ଦେଶରେ ପାରମ୍ପରିକ ଖେଳର ଏକ ସମୃଦ୍ଧ ଇତିହାସ ରହିଛି । ଯେପରିକି, ଆପଣ ଗୋଟିଏ ଖେଳର ନାଁ ଶୁଣିଥିବେ- ପଚିଶି । ଏହି ଖେଳ ତାମିଲନାଡୁରେ ‘ପଲ୍ଲାଂଗୁଲି’, କର୍ଣ୍ଣାଟକରେ ‘ଅଲି ଗୁଲି ମଣେ’ ଓ ଆନ୍ଧ୍ରପ୍ରଦେଶରେ ‘ବାମନ ଗୁଂଟୁଲୁ’ ନାମରେ ଖେଳାଯାଏ । ଏହା ଏକ ପ୍ରକାରର ଷ୍ଟ୍ରାଟେଜି ଗେମ୍ ବା କୌଶଳର ଖେଳ, ଯେଉଁଥିରେ ଏକ ବୋର୍ଡ ବ୍ୟବହାର କରାଯାଏ । ସେଥିରେ କେତେକ ଖୋପ ଥାଏ, ଯେଉଁଠି ଥିବା ଗୁଳା ବା ମଞ୍ଜିକୁ ଖେଳାଳିକୁ ଧରିବାକୁ ହୋଇଥାଏ । କୁହାଯାଏ ଯେ ଏହି ଖେଳ ଦକ୍ଷିଣ ଭାରତରୁ ଦକ୍ଷିଣ-ପୂର୍ବ ଏସିଆ ଓ ତା’ପରେ ସାରା ପୃଥିବୀକୁ ବ୍ୟାପିଛି ।

ବନ୍ଧୁଗଣ, ଆଜି ପ୍ରତ୍ୟେକ ଶିଶୁ ସାପ-ଶିଡ଼ି ଖେଳ ସମ୍ପର୍କରେ ଜାଣିଛି; କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଏହା ମଧ୍ୟ ଭାରତୀୟ ପାରମ୍ପରିକ ଖେଳର ଏକ ରୂପ, ଯାହାକୁ ମୋକ୍ଷପାଟମ୍ ବା ପରମପଦମ୍ କୁହାଯାଏ । ଆମର ଏଠାକାର ଆଉ ଏକ ପାରମ୍ପରିକ ଖେଳ ହେଉଛି – ଗୁଟ୍ଟା । ବଡ଼ମାନେ ବି ଏହାକୁ ଖେଳନ୍ତି ଓ ସାନମାନେ ବି ଖେଳନ୍ତି । କେବଳ ଗୋଟିଏ ଆକାରର ପାଞ୍ଚଟି ଛୋଟ ପଥର ଉଠାନ୍ତୁ ଆଉ ଗୁଟ୍ଟା ଖେଳିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଗୋଟିଏ ପଥର ଉପରକୁ ଫିଙ୍ଗନ୍ତୁ ଆଉ ଯେପର୍ୟ୍ୟନ୍ତ ପଥରଟି ଶୂନ୍ୟରେ ରହିଛି ଆପଣଙ୍କୁ ତଳେ ଥିବା ବାକି ପଥରକୁ ଉଠାଇବାକୁ ପଡ଼ିବ । ସାଧାରଣତଃ ଆମ ଏଠାକାର ଇନଡୋର୍ ଖେଳଗୁଡ଼ିକରେ କୌଣସି ବଡ଼ ଜିନିଷର ଆବଶ୍ୟକତା ପଡ଼େ ନାହିଁ । କିଏ ଗୋଟିଏ ଚକ୍ ବା ପଥର ନେଇଆସେ, ତାକୁ ଧରି ମାଟିରେ ଗାର ଟାଣିଦିଏ ଆଉ ଖେଳ ଆରମ୍ଭ ହୋଇଯାଏ । ଯେଉଁ ଖେଳରେ ‘ଡାଇସ୍’ର ଆବଶ୍ୟକତା ରହିଥାଏ, ସେଠାରେ କଉଡ଼ି ବା ତେନ୍ତୁଳି ମଞ୍ଜିରେ ମଧ୍ୟ କାମ ଚଳିଯାଏ ।

ବନ୍ଧୁଗଣ, ମୁଁ ଜାଣିପାରୁଛି, ଆଜି ଯେତେବେଳେ ମୁଁ ଏହି କଥା କହୁଛି, ସେତେବେଳେ ଅନେକ ଲୋକ ନିଜର ଶୈଶବକୁ ଫେରିଯାଇଥିବେ; ଅନେକଙ୍କୁ ନିଜ ପିଲାଦିନର ସ୍ମୃତି ମନେପଡିଯାଇଥିବ । ମୁଁ ଏକଥା କହିବାକୁ ଚାହୁଁଛି ଯେ ଆପଣ ସେସବୁ ଦିନକୁ କାହିଁକି ଭୁଲିଯାଇଛନ୍ତି? ସେହି ଖେଳଗୁଡ଼ିକୁ ଆପଣ କାହିଁକି ଭୁଲିଯାଇଛନ୍ତି? ଘରର ଅଜା-ଆଈ, ଦାଦା-ଦାଦି, ଘରର ବୟୋଜ୍ୟେଷ୍ଠଙ୍କୁ ମୁଁ କହିବାକୁ ଚାହୁଛି ଯେ ଯଦି ନୂଆପିଢ଼ିକୁ ଏ ଖେଳ ଶିଖାଇବେ ନାହିଁ, ତେବେ କିଏ କରିବ! ଯେତେବେଳେ ଅନଲାଇନ୍ ପାଠପଢ଼ା କଥା ଆସୁଛି, ସେତେବେଳେ ଭାରସାମ୍ୟ ରକ୍ଷାପାଇଁ, ଅନଲାଇନ୍ ଖେଳରୁ ମୁକ୍ତି ପାଇବାପାଇଁ ମଧ୍ୟ ଆମକୁ ଏପରି କରିବାକୁ ହିଁ ପଡ଼ିବ । ଆମର ଯୁବପିଢ଼ି ପାଇଁ ମଧ୍ୟ, ଆମର ଷ୍ଟାର୍ଟଅପ୍ସ ପାଇଁ ମଧ୍ୟ, ଏହା ଏକ ନୂଆ ମାଧ୍ୟମ, ମଜଭୁତ ମାଧ୍ୟମ । ଆମେ ଭାରତର ପାରମ୍ପରିକ ଇନଡୋର୍ ଗେମଗୁଡ଼ିକୁ ନୂଆ ଓ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିପାରିବା । ସେଥିସହିତ ସଂପୃକ୍ତ ଜିନିଷ ପ୍ରସ୍ତୁତକାରୀ, ଯୋଗାଣକାରୀ ଷ୍ଟାର୍ଟଅପଗୁଡ଼ିକ ବହୁତ ଲୋକପ୍ରିୟ ହୋଇଯିବ; ଏବଂ ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମର ଭାରତୀୟ ଖେଳ ବି ତ ଲୋକାଲ୍, ଆଉ ଆମେ ଲୋକାଲ୍ ପାଇଁ ଭୋକାଲ୍ ହେବାକୁ ପୂର୍ବରୁ ପ୍ରତିଜ୍ଞା କରିସାରିଛୁ; ଏବଂ ମୋର ଶିଶୁସଖା ସାଥୀ, ପ୍ରତ୍ୟେକ ଘରର ପିଲାମାନଙ୍କୁ, ମୋର କୁନିକୁନି ସାଥିମାନଙ୍କୁ ମଧ୍ୟ ଆଜି ଏକ ବିଶେଷ କଥା କହିବାର ଅଛି । ପିଲାମାନେ, ତୁମେମାନେ ମୋର ଏ କଥାକୁ ମାନିବ ନା? ଦେଖ, ମୁଁ ଚାହଁଛି ଯେ ମୁଁ ଯାହା କହୁଛି ତୁମେ ନିଶ୍ଚିତ ଭାବେ କର । ଗୋଟିଏ କଥା କର- ଯେତେବେଳେ ଟିକିଏ ବି ସମୟ ମିଳୁଛି, ବାପାମାଆଙ୍କୁ ପଚାରି ମୋବାଇଲ୍ ଉଠାଅ ଆଉ ନିଜର ଜେଜେବାପା-ଜେଜେମା’, ଅଜାଆଈ ବା ଘରେ ଯେଉଁ ବୟୋଜ୍ୟେଷ୍ଠମାନେ ଅଛନ୍ତି ସେମାନଙ୍କର ସାକ୍ଷାତକାର ରେକର୍ଡ କର; ନିଜ ମୋବାଇଲ୍ ଫୋନରେ ରେକର୍ଡ କର । ତୁମେମାନେ ଟିଭିରେ ଦେଖିଥିବ ସାମ୍ବାଦିକମାନେ କେମିତି ସାକ୍ଷାତକାର ନିଅନ୍ତି, ଠିକ୍ ସେହିପରି ତୁମେ ସାକ୍ଷାତକାର ନିଅ; ଆଉ ତୁମେ ସେମାନଙ୍କୁ କି ପ୍ରଶ୍ନ ପଚାରିବ ସେ ସମ୍ପର୍କରେ ମୁଁ ତୁମମାନଙ୍କୁ କିଛି ପରାମର୍ଶ ଦେଉଛି । ତୁମେ ତାଙ୍କୁ ନିଶ୍ଚିତ ଭାବେ ପଚାରିବ ଯେ ସେମାନଙ୍କର ବାଲ୍ୟଜୀବନ କିପରି କଟିଥିଲା, ସେମାନେ କି କି ଖେଳ ଖେଳୁଥିଲେ, କେବେ ନାଟକ ଦେଖିବାକୁ ଯାଉଥିଲେ, ସିନେମା ଦେଖିବାକୁ ଯାଉଥିଲେ, କେବେ ଛୁଟିରେ ମାମୁଘରକୁ ଯାଉଥିଲେ, କେବେ ଖେତବାଡ଼ିକୁ ଯାଉଥିଲେ, ପର୍ବପର୍ବାଣି କିପରି ପାଳୁଥିଲେ, ବହୁତ କଥା ପଚାରିପାରିବ । ସେମାନଙ୍କୁ ମଧ୍ୟ, ୪୦-୫୦ ବର୍ଷ, ୬୦ ବର୍ଷ ପୁରୁଣା ନିଜ ଅତୀତ ଜୀବନକୁ ଫେରିବା ବହୁତ ଆନନ୍ଦ ଦେବ, ଏବଂ ତୁମମାନଙ୍କୁ ୪୦-୫୦ ବର୍ଷ ତଳେ ଭାରତ କିପରି ଥିଲା, ତୁମେ ଯେଉଁଠି ରହୁଛ, ସେହି ଅଂଚଳ କିପରି ଥିଲା, ସେଠିକାର ପରିବେଶ କିପରି ଥିଲା, ଲୋକଙ୍କ ଜୀବନଶୈଳୀ କିପରି ଥିଲା- ସବୁକିଛି ବହୁତ ସହଜରେ ଶିଖିବାକୁ ମିଳିବ, ଜାଣିବାକୁ ମିଳିବ, ଏବଂ ତୁମେ ଦେଖିବ, ତୁମକୁ ବହୁତ ମଜା ଲାଗିବ ଆଉ ପରିବାର ପାଇଁ ଇଏ ହେବ ଏକ ବହୁତ ବଡ଼ ଅମୂଲ୍ୟ ସମ୍ପଦ, ଗୋଟିଏ ଭଲ ଭିଡିଓ ଆଲବମ୍ ମଧ୍ୟ ତିଆରି ହୋଇଯିବ ।

ବନ୍ଧୁଗଣ, ଏହା ସତ ଯେ ଆତ୍ମକଥା ବା ଜୀବନୀ, ଅଟୋବାଇଓଗ୍ରାଫି ବା ବାଇଓଗ୍ରାଫି, ଇତିହାସର ସତ୍ୟ ନିକଟରେ ପହଂଚିବା ପାଇଁ ଏକ ସୁନ୍ଦର ଉପଯୋଗୀ ମାଧ୍ୟମ । ଆପଣ ବି, ନିଜର ବୟସ୍କ ଗୁରୁଜନଙ୍କ ସହ କଥା ହେଲେ ସେମାନଙ୍କ ସମୟର କଥା, ସେମାନଙ୍କ ପିଲାଦିନ, ସେମାନଙ୍କ ଯୁବାବେଳର କଥାକୁ ଆହୁରି ସହଜରେ ବୁଝିପାରିବେ । ବୟୋଜ୍ୟେଷ୍ଠମାନେ ମଧ୍ୟ ନିଜର ପିଲାଦିନ କଥା, ସେହି ସମୟର କଥା ନିଜ ଘରର ଛୋଟପିଲାମାନଙ୍କୁ କହିବାର ଏହା ଏକ ସୁନ୍ଦର ଅବସର ।

ବନ୍ଧୁଗଣ, ଦେଶର ଅଧିକାଂଶ ଅଂଚଳରେ ଏବେ ମୌସୁମି ପହଂଚିସାରିଛି । ଏଥର ବର୍ଷାକୁ ନେଇ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି, ବହୁତ ଆଶା ଦେଖାଇଛନ୍ତି । ବର୍ଷା ଯଦି ଭଲ ହେବ, ତେବେ ଆମର ଚାଷୀଙ୍କ ଫସଲ ଭଲ ହେବ, ପରିବେଶ ମଧ୍ୟ ହସିଉଠିବ । ବର୍ଷାଋତୁରେ ପ୍ରକୃତି ମଧ୍ୟ ସତେଯେପରି ନିଜକୁ ପୁନର୍ଜୀବିତ କରିଦିଏ । ମଣିଷ ପ୍ରାକୃତିକ ସମ୍ପଦକୁ ଯେପରି ଦୋହନ କରିଥାଏ, ପ୍ରକୃତି, ବର୍ଷାଦିନେ ଏକ ପ୍ରକାର ତାହା ଫେରିପାଇଥାଏ, ରିଫିଲିଂ କରିଥାଏ । କିନ୍ତୁ ଏହି ରିଫିଲିଂ ସେତେବେଳେ ହୋଇପାରିବ, ଯେତେବେଳେ ଆମେ ମଧ୍ୟ ଧରିତ୍ରୀ ମାତାକୁ ସହଯୋଗ କରିବା, ନିଜର ଦାୟିତ୍ୱ ତୁଲାଇବା । ଆମଦ୍ୱାରା କରାଯାଇଥିବା କ୍ଷୁଦ୍ର ପ୍ରୟାସ, ପ୍ରକୃତିକୁ, ପରିବେଶକୁ ବହୁ ସାହାଯ୍ୟ କରିଥାଏ । ଆମର ଅନେକ ଦେଶବାସୀ ଏ ନେଇ ବହୁତ ବଡ଼ କାମ କରୁଛନ୍ତି ।

କର୍ଣ୍ଣାଟକର ମଣ୍ଡାବଲିରେ ଜଣେ ୮୦-୮୫ ବର୍ଷର ବୃଦ୍ଧ ରହନ୍ତି, କାମେଗୌଡ଼ା । କାମେଗୌଡ଼ା ଜୀ ଜଣେ ସାଧାରଣ ଚାଷୀ, କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ବହୁତ ଅସାଧାରଣ । ସେ ଏଭଳି ଏକ କାମ କରିଛନ୍ତି ଯେ ସେକଥା ଶୁଣିଲେ ଯେ କେହି ଆଶ୍ଚର୍ୟ୍ୟ ହେବେ । ୮୦-୮୫ ବର୍ଷର କାମେଗୌଡ଼ା ଜୀ ନିଜର ଗୃହପାଳିତ ପଶୁଙ୍କୁ ଚରାନ୍ତି, କିନ୍ତୁ ତା’ସହିତ ନିଜ ଅଂଚଳରେ ନୂଆ ନୂଆ ପୋଖରୀ ଖୋଳିବା ପାଇଁ ଅଣ୍ଟା ଭିଡିଛନ୍ତି । ସେ ନିଜ ଅଂଚଳରେ ଜଳସଙ୍କଟ ଦୂର କରିବାକୁ ଚାହାନ୍ତି, ସେଥିପାଇଁ ଜଳ-ସଂରକ୍ଷଣ କାମ ପାଇଁ ଛୋଟଛୋଟ ପୋଖରୀ ତିଆରି କାମରେ ଲାଗିପଡ଼ିଛନ୍ତି । ଆପଣ ଆଶ୍ଚର୍ୟ୍ୟ ହେବେ ଯେ ୮୦-୮୫ ବର୍ଷର କାମେଗୌଡ଼ା ଜୀ, ଏ ପର୍ୟ୍ୟନ୍ତ ନିଜ ଚେଷ୍ଟାରେ, ନିଜର ପରିଶ୍ରମରେ ୧୬ଟି ପୋଖରୀ ଖୋଳିସାରିଛନ୍ତି । ସେ ଯେଉଁ ପୋଖରୀ ଖୋଳିଛନ୍ତି, ତାହା ବହୁତ ବଡ଼ ହୋଇନପାରେ, କିନ୍ତୁ ତାଙ୍କ ପ୍ରୟାସ ବହୁତ ବଡ଼ । ଆଜି ସମଗ୍ର ଅଂଚଳରେ ଏହି ପୋଖରୀଗୁଡ଼ିକ ଯୋଗୁଁ ନୂଆ ଜୀବନ ମିଳିଛି ।

ବନ୍ଧୁଗଣ, ଗୁଜରାଟ ବଦୋଦରାର ଗୋଟିଏ ଉଦାହରଣ ମଧ୍ୟ ବହୁତ ପ୍ରେରଣାଦାୟକ । ଏଠାରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ମିଶି ଏକ ସୁନ୍ଦର ଆନେ୍ଦାଳନ ଚଳାଇଛନ୍ତି । ଏହି ଆନେ୍ଦାଳନ ଯୋଗୁଁ ଆଜି ବଦୋଦରାର ହଜାରେ ସ୍କୁଲରେ ବର୍ଷାଜଳ ସଂରକ୍ଷଣ କରାଯାଇପାରିଛି । ଏହି କାରଣରୁ ଆନୁମାନିକ ବାର୍ଷିକ ପ୍ରାୟ ନଷ୍ଟ ହୋଇଯାଉଥିବା ୧୦ କୋଟି ଲିଟର ପାଣି ସଂରକ୍ଷିତ ହୋଇପାରୁଛି ।

ବନ୍ଧୁଗଣ, ଏହି ବର୍ଷାଋତୁରେ ପ୍ରକୃତିର ସୁରକ୍ଷା ପାଇଁ, ପରିବେଶର ସୁରକ୍ଷା ପାଇଁ ଆମକୁ ମଧ୍ୟ ଏପରି କିଛି ଭାବିବାକୁ, କିଛି କରିବାକୁ ଚେଷ୍ଟା କରିବାକୁ ପଡ଼ିବ । ଯେପରିକି କେତେକ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଆମେ କ’ଣ ଏଥର ଏଭଳି ପ୍ରୟାସ ଆରମ୍ଭ କରିପାରିବା, ପରିବେଶ-ଅନୁକୂଳ ଗଣେଶ ମୂର୍ତ୍ତି ତିଆରି କରି ପୂଜା କରିବା! ଆମେ ଏପରି ପ୍ରତିମା ପୂଜାରୁ ବିରତ ହୋଇପାରିବାନି, ଯାହାକୁ ନଦୀପୋଖରୀରେ ବିସର୍ଜନ କଲାପରେ ପାଣି ପାଇଁ, ପାଣିରେ ରହୁଥିବା ଜୀବଜନ୍ତୁଙ୍କ ପାଇଁ ଏହା ସଙ୍କଟ ପାଲଟିଥାଏ । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତଭାବେ ଏପରି କରିବେ ଏବଂ ଏସବୁ କଥା ମଧ୍ୟରେ ଆମକୁ ଏହା ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ଯେ ବର୍ଷାଋତୁରେ ଅନେକ ରୋଗ ଆସିଥାଏ । କରୋନା କାଳରେ ଆମକୁ ସେଥିରୁ ମଧ୍ୟ ରକ୍ଷା ପାଇବାକୁ ହେବ । ଆୟୁର୍ବେଦିକ ଔଷଧ, କାଢ଼ା, ଗରମ ପାଣି, ଏସବୁକୁ ବ୍ୟବହାର କରୁଥାନ୍ତୁ, ସୁସ୍ଥ ରହନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ୨୮ ଜୁନରେ ଭାରତ ନିଜର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ଏକ ସମ୍ବେଦନଶୀଳ ସମୟରେ ଦେଶର ନେତୃତ୍ୱ ନେଇଥିଲେ । ଆମର ଏଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି ଭି ନରସିଂହରାଓ ଜୀଙ୍କର ଆଜି ଜନ୍ମ-ଶତାବ୍ଦୀର ପ୍ରାରମ୍ଭିକ ଦିବସ । ଯେତେବେଳେ ଆମେ ପି ଭି ନରସିଂହରାଓ ଜୀଙ୍କ ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ସ୍ୱାଭାବିକ ଭାବେ ରାଜନେତା ରୂପରେ ତାଙ୍କର ଛବି ଆମ ମନରେ ଉଦ୍ଭାସିତ ହୁଏ, କିନ୍ତୁ ଏହା ମଧ୍ୟ ସତ ଯେ ସେ ବହୁତ ଭାଷା ଜାଣିଥିଲେ । ଅନେକ ଭାରତୀୟ ଏବଂ ବିଦେଶୀ ଭାଷା କହିପାରୁଥିଲେ । ସେ ଗୋଟିଏ ପଟେ ଭାରତୀୟ ମୂଲ୍ୟବୋଧର ଉପାସକ ଥିଲେ ତ ଅନ୍ୟପଟେ ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ଓ ବିଜ୍ଞାନରେ ମଧ୍ୟ ଜ୍ଞାନ ରହିଥିଲା । ସେ ଭାରତର ସବୁଠୁ ବେଶି ଅନୁଭୂତିସଂପନ୍ନ ନେତାଙ୍କ ଭିତରୁ ଜଣେ ଥିଲେ । କିନ୍ତୁ ତାଙ୍କ ଜୀବନର ଅନ୍ୟ ଏକ ଦିଗ ମଧ୍ୟ ରହିଛି, ଏବଂ ତାହା ଉଲ୍ଲେଖନୀୟ । ଆମେ ତାହା ଜାଣିବା ଉଚିତ । ବନ୍ଧୁଗଣ, ନରସିଂହ ରାଓ ଜୀ ନିଜର କିଶୋରାବସ୍ଥାରେ ହିଁ ସ୍ୱାଧୀନତା ଆନେ୍ଦାଳନରେ ଯୋଗ ଦେଇଥିଲେ । ଯେତେବେଳେ ହାଇଦ୍ରାବାଦର ନିଜାମ ବନେ୍ଦ ମାତରମ୍ ଗାଇବା ପାଇଁ ଅନୁମତି ଦେବାକୁ ମନା କରିଦେଲେ, ତା’ ବିରୋଧରେ ହୋଇଥିବା ଆନେ୍ଦାଳନରେ ମଧ୍ୟ ସେ ସକ୍ରିୟ ଭାଗ ନେଇଥିଲେ, ଆଉ ତାଙ୍କୁ ସେତେବେଳେ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । କମ୍ ବୟସରୁ ହିଁ ଶ୍ରୀମାନ ନରସିଂହ ରାଓ ଅନ୍ୟାୟ ବିରୋଧରେ ସ୍ୱର ଉତୋଳନ କରିବାରେ ଆଗୁଆ ଥିଲେ । ନିଜର ସ୍ୱର ଉଠାଇବାକୁ ସେ ସବୁ ପ୍ରକାରର ଉଦ୍ୟମ କରୁଥିଲେ । ନରସିଂହ ରାଓ ଜୀ ଇତିହାସକୁ ମଧ୍ୟ ଭଲଭାବେ ବୁଝିଥିଲେ । ଏକ ଅତି ସାଧାରଣ ପୃଷ୍ଠଭୂମିରୁ ଉଠି ନିଜକୁ ଆଗକୁ ବଢ଼ାଇବା, ଶିକ୍ଷା ଉପରେ ତାଙ୍କର ଗୁରୁତ୍ୱ, ଶିଖିବାର ତାଙ୍କର ପ୍ରବୃତି, ଏବଂ ଏଥିସହ ତାଙ୍କର ନେତୃତ୍ୱ ନେବା କ୍ଷମତା- ସବୁକିଛି ସ୍ମରଣୀୟ । ମୁଁ ଚାହୁଁଛି ଯେ ନରସିଂହ ରାଓ ଜୀଙ୍କ ଜନ୍ମ-ଶତାବ୍ଦୀ ବର୍ଷରେ ଆପଣମାନେ ସମସ୍ତେ ତାଙ୍କ ଜୀବନ ଓ ବିଚାର ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ । ମୁଁ ପୁଣିଥରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ କି ବାତ’ରେ ଅନେକ ବିଷୟ ଆଲୋଚନା ହେଲା । ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ଆହୁରି କିଛି ନୂଆ ବିଷୟ ନେଇ କଥା ହେବା । ଆପଣମାନେ ନିଜର ସନେ୍ଦଶ, ନିଜର ସୃଜନଶୀଳ ବିଚାର ମୋ ପାଖକୁ ନିଶ୍ଚିତ ଭାବେ ପଠାନ୍ତୁ । ଆମେ ସମସ୍ତେ ମିଶି ଆଗକୁ ବଢ଼ିବା ଓ ଆଗାମୀ ଦିନ ଆହୁରି ଅଧିକ ସକାରାତ୍ମକ ହେବ, ଯେପରିକି ଆଜି ମୁଁ ଆରମ୍ଭରୁ କହିଥିଲି, ଏବର୍ଷ ଅର୍ଥାତ ୨୦୨୦ରେ ହିଁ ଭଲ କରିବା, ଆଗକୁ ବଢ଼ିବା ଓ ଦେଶ ମଧ୍ୟ ନୂଆ ଶିଖରକୁ ଛୁଇଁବ । ମୋର ବିଶ୍ୱାସ ଯେ ୨୦୨୦ ଭାରତକୁ ଏହି ଦଶକରେ ଏକ ନୂତନ ଦିଶା ଦେବାର ବର୍ଷ ପ୍ରମାଣିତ ହେବ । ଏହି ବିଶ୍ୱାସକୁ ନେଇ ଆପଣ ମଧ୍ୟ ଆଗକୁ ବଢ଼ନ୍ତୁ, ସୁସ୍ଥ ରହନ୍ତୁ, ସକାରାତ୍ମକ ରହନ୍ତୁ । ଏହି ଶୁଭକାମନା ସହ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ସ୍ରୋତ: ପିଆଇବି

ADVERTISEMENT