ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ : ଶ୍ରୀ ପିକେ ସିହ୍ନା

24

ନୂଆଦିଲ୍ଲୀ,୧୪/o୯(ରବି ଦାସ ) : ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଓଏସଡି ଭାବେ କାର୍ୟ୍ୟ କରୁଥିବା ଶ୍ରୀ ପିକେ ସିହ୍ନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଜୁନ ୧୩, ୨୦୧୫ରୁ ଅଗଷ୍ଟ ୩୦, ୨୦୧୯ ମଧ୍ୟରେ ଶ୍ରୀ ସିହ୍ନା କ୍ୟାବିନେଟ ସଚିବ ଭାବେ କାର୍ୟ୍ୟ କରିଥିଲେ । ସେ ଉତ୍ତର ପ୍ରଦେଶ କ୍ୟାଡରର ୧୯୭୭ ବ୍ୟାଚର ଆଇଏଏସ ଅଧିକାରୀ । ତାଙ୍କ ଉଜ୍ଜ୍ୱଳ କ୍ୟାରିଅରରେ ଶ୍ରୀ ସିହ୍ନା ଶକ୍ତି ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ କାର୍ୟ୍ୟ କରିଛନ୍ତି । ସେ ମଧ୍ୟ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ୟ୍ୟ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଂଟ ଷ୍ଟିଫେନ୍ସ କଲେଜରେ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ଚାକିରିରେ ଥିବା ସମୟରେ ସେ ମଧ୍ୟ ପବ୍ଲିକ ଆଡମିନଷ୍ଟ୍ରେସନରେ ମାଷ୍ଟର୍ସ ଡିପ୍ଲୋମା ଏବଂ ସମାଜ ବିଜ୍ଞାନରେ ଏମଫିଲ ଡିଗ୍ରୀ ହାସଲ କରିଥିଲେ । ଆଇଏଏସ ଭାବେ ତାଙ୍କ ଦୀର୍ଘ କ୍ୟାରିଅରରେ ଶ୍ରୀ ସିହ୍ନା ଉଭୟ ଉତର ପ୍ରଦେଶ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦ-ପଦବୀରେ ସଫଳତାର ସହ କାର୍ୟ୍ୟ କରିଛନ୍ତି । ଶ୍ରୀ ସିହ୍ନା ଜଉନପୁର, ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ, ବାରାଣସୀର କମିଶନର, ସଚିବ (ପ୍ଲାନିଂ) ଓ ପ୍ରମୁଖ ସଚିବ (ଜଳସେଚନ) ଆଦି ପଦରେ ସଫଳତାର ସହ କାର୍ୟ୍ୟ କରିଛନ୍ତି । କେନ୍ଦ୍ର ସରକାରରେ ମୁଖ୍ୟତଃ ଶକ୍ତି ଓ ଭିତ୍ତିଭୂମି କ୍ଷେତ୍ରରେ ଯେପରିକି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି ମନ୍ତ୍ରଣାଳୟ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ସେ ଅନେକ ବର୍ଷ ଧରି କାର୍ୟ୍ୟ କରିଛନ୍ତି । ଶକ୍ତି, ଭିତ୍ତିଭୂମି ଓ ଆର୍ଥିକ କ୍ଷେତ୍ରରେ ତାଙ୍କର ବିଶେଷ ଅନୁଭବ ରହିଛି ।

ADVERTISEMENT