ଏସ୍‌ସି/ଏସ୍‌ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ସମୀକ୍ଷା କରିବ ୩ ଜଣିଆ ଖଣ୍ଡପୀଠ

8

ନୂଆଦିଲ୍ଲୀ,୧୪/o୯(ରବି ଦାସ ): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଉପରେ ସୁପ୍ରିମକୋର୍ଟଙ୍କ ୨୦୧୮ ମାର୍ଚ୍ଚ ୨୦ ତାରିଖ ରାୟକୁ ୩ ଜଣିଆ ଖଣ୍ଡପୀଠ ସମୀକ୍ଷା କରିବେ। ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ରିଭ୍ୟୁ ପିଟିଶନ ଦାଏର କରିଥିବାବେଳେ ଶୁକ୍ରବାର ଅଦାଲତ ଏହାକୁ ୩ ଜଣିଆ ଖଣ୍ଡପୀଠକୁ ପଠାଇଛନ୍ତି। ଆସନ୍ତା ସପ୍ତାହରେ ଉକ୍ତ ଖଣ୍ଡପୀଠରେ ମାମଲା ଉପସ୍ଥାପନ କରିବା ପାଇଁ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ୟୁ.ୟୁ. ଲଲିତଙ୍କ ଖଣ୍ଡପୀଠ କହିଛନ୍ତି। ଗତ ମେ ୧ରେ ସୁପ୍ରିମକୋର୍ଟ କେନ୍ଦ୍ରର ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏସ୍‌ସି/ଏସ୍‌ଟି ଆଇନର ଅପବ୍ୟବହାର ହେଉଥିବା ଅନୁଭବ କରି ଏହି ଆଇନରେ ଅଭିଯୋଗ ଆସିଲେ ତୁରନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ୨୦୧୮ ମାର୍ଚ୍ଚରେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ। ଅନେକ କ୍ଷେତ୍ରରେ ନିରୀହ ନାଗରିକଙ୍କୁ ଅଭିଯୁକ୍ତ କରାଯାଉଛି ଓ ସରକାରୀ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡୁଛି। ତେଣୁ ଯଥେଷ୍ଟ ପ୍ରମାଣ ନ ଥିଲେ ଆଗୁଆ ଜାମିନ ପ୍ରଦାନରେ ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି ଅଦାଲତ ମତ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ନେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଉତ୍ତେଜନା ଓ ହିଂସାକାଣ୍ଡ ଘଟିବାରୁ କେନ୍ଦ୍ର ସରକାର ରାୟର ସମୀକ୍ଷା ପାଇଁ ରିଭ୍ୟୁ ପିଟିଶନ ଦାଏର କରିଥିଲେ।

ADVERTISEMENT