୨୦୧୯ ଖାଉଟି ସୁରକ୍ଷା ଆଇନ ଖାଉଟିଙ୍କ ଅଧିକାରର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ; ଏହାଦ୍ୱାରା ଖାଉଟି ବିବାଦ ସମାଧାନ ପ୍ରକ୍ରିୟା ସରଳ ହେବା ସହିତ ଉତ୍ପାଦ ନିମନ୍ତେ ଉତ୍ତର ଦାୟିତ୍ୱ ବହନ ନୀତି ମଧ୍ୟ ପ୍ରବର୍ତ୍ତିତ ହେବ: ରାମବିଳାସ ପାଶୱାନ

16

ନୂଆଦିଲ୍ଲୀ, ୨୦-୦୭(ଡିଏଚ): ଖାଉଟି ସୁରକ୍ଷା ଆଇନ ୨୦୧୯ ଆଜିଠାରୁ ସମଗ୍ର ଦେଶରେ କାର୍ୟ୍ୟକାରୀ ହୋଇଛି । ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ୨୦୨୦ ଜୁଲାଇ ୨୦ ଅର୍ଥାତ୍‌ ଆଜିଠାରୁ କାର୍ୟ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ । ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧିବିଧାନ ରହିଛି । ସେଥିମଧ୍ୟରେ ଖାଉଟି ସୁରକ୍ଷା ପରିଷଦ, ଖାଉଟି ବିବାଦ ସମାଧାନ ଆୟୋଗ ବା କମିସନ, ମଧ୍ୟସ୍ଥ ବ୍ୟବସ୍ଥା, ଉତ୍ପାଦ ବା ଜିନିଷପତ୍ର ପାଇଁ ଉତ୍ପାଦନକାରୀଙ୍କୁ ଉତ୍ତରଦାୟୀ କରିବା ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ କୌଣସି ଭେଜାଲ ବା ବିଷାକ୍ତ ସାମଗ୍ରୀ ପ୍ରସ୍ତୁତି ଏବଂ ଏହାର ବିକ୍ରିବଟା କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ସେମାନେ ନୂଆ ଆଇନ ଅନୁସାରେ ସାମଗ୍ରୀର ଗୁଣ ଓ ମାନ ପାଇଁ ଉତ୍ତରଦାୟୀ ରହିବେ ।

ଶ୍ରୀ ପାଶୱାନ କହିଛନ୍ତି ଯେ ଏହି ଆଇନ ଅନୁସାରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ବା ସିସିପିଏ ଗଠନ କରାଯିବ । ଏହି ପ୍ରାଧିକରଣ ଖାଉଟିଙ୍କ ଅଧିକାରର ସୁରକ୍ଷାକୁ କାର୍ୟ୍ୟକାରୀ କରିବା ସହ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦିଗରେ ଧ୍ୟାନ ଦେବ । ସିସିପିଏ ଖାଉଟି ସୁରକ୍ଷା ଅଧିକାରର ଉଲ୍ଲଂଘନ ମାମଲାର ତଦନ୍ତ କରିବ । ଆବଶ୍ୟକସ୍ଥଳେ ଏସବୁ ମାମଲାର ବିଚାର କରି ଅଭିଯୁକ୍ତ ପକ୍ଷଙ୍କ ବିରୋଧରେ ଦଣ୍ଡବିଧାନ କରିପାରିବ । ଦ୍ରବ୍ୟର ଗୁଣମାନ ନେଇ ଆପତ୍ତି ଅଭିଯୋଗ ମିଳିଲେ ତାହାର ତଦନ୍ତ କରି ସତ୍ୟାସତ୍ୟ ଭିତ୍ତିରେ ଏହି ସଂସ୍ଥା ଅସୁରକ୍ଷିତ ସଂପୃକ୍ତ ସାମଗ୍ରୀ ବା ସେବାକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇପାରିବେ । ଯେଉଁମାନେ ଅସାଧୁ ବାଣିଜ୍ୟ କାରବାର କରୁଥିବେ କିମ୍ବା ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବେ ସେମାନଙ୍କ ବେପାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ମଧ୍ୟ ଏହି ସଂସ୍ଥାର ଅଧିକାର ରହିଛି । ଯେଉଁସବୁ ଉତ୍ପାଦକ ପ୍ରଚାରକ ଓ ପୃଷ୍ଠପୋଷକ ଅଥବା ପ୍ରକାଶକ ବିଭ୍ରାନ୍ତିକର ବିଜ୍ଞାପନ ଛାପୁଥିବେ ସେମାନଙ୍କ ଉପରେ ସିସିପିଏ ଜୋରିମାନା ଲଗାଇପାରିବେ । ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକରେ ଅସାଧୁ ବାଣିଜ୍ୟ କାରବାରର ନିରାକରଣ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ ଏବଂ ଇ-କମର୍ସରେ ଅସାଧୁ ବାଣିଜ୍ୟ କାରବାର ନିରାକରଣ ଆଇନ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

ସେ ଆହୁରି କହିଛନ୍ତି ଯେ ଏହି ଆଇନ ଅନୁସାରେ ପ୍ରତ୍ୟେକ ଇ-କମର୍ସ ସଂସ୍ଥାକୁ ନିଜର ରିଟର୍ଣ୍ଣ, ରିଫଣ୍ଡ, ଏକ୍ସଚେଞ୍ଜ, ୱାରେଣ୍ଟି, ଗ୍ୟାରେଣ୍ଟି, ଡେଲିଭରି, ସିପ୍‌ମେଣ୍ଟ, ପେମେଣ୍ଟର ମାଧ୍ୟମ, ଅଭିଯୋଗ ନିରାକରଣ ବ୍ୟବସ୍ଥା, ପେମେଣ୍ଟ ମେଥଡ, ପେମେଣ୍ଟ ମେଥଡର ନିରାପତ୍ତା, ଚାର୍ଜବ୍ୟାକ୍‌ ଅପ୍‌ସନ ଆଦି ସଂପର୍କରେ ସୂଚନା ଦେବାକୁ ପଡିବ । କେଉଁ ଦେଶରୁ ବା କେଉଁ ସ୍ଥାନରୁ ସେମାନେ ସାମଗ୍ରୀ ଓ ସେବା କିଣୁଛନ୍ତି ସେ କଥା ମଧ୍ୟ ସେମାନଙ୍କୁ ଦର୍ଶାଇବାକୁ ହେବ । ଏହା ଫଳରେ ଜିନିଷ କିଣିବା ପୂର୍ବରୁ ଗ୍ରାହକ ନିଜ ପସନ୍ଦ ଅନୁସାରେ ତାହା କିଣିପାରିବେ । ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକୁ ଖାଉଟିଙ୍କ ଅଭିଯୋଗ ଉପରେ ରସିଦ ଦେବା ବାଧ୍ୟତାମୂଳକ ହେବ । ସେମାନେ ୪୮ ଘଣ୍ଟା ମଧ୍ୟରେ ଏହି ଅଭିଯୋଗର ପ୍ରାପ୍ତିସ୍ୱୀକାର କରିବେ ଏବଂ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ଓ ସେବା ପାଇଁ ପ୍ରାପ୍ତିସ୍ୱୀକାରର ଏକମାସ ମଧ୍ୟରେ ପ୍ରତିକାର ବ୍ୟବସ୍ଥା କରିବାକୁ ବାଧ୍ୟ । ନୂଆ ଆଇନରେ ସାମଗ୍ରୀର ଉତ୍ତରଦାୟିତ୍ୱ ବା ପ୍ରଡକ୍ଟ ଲାଏବଲିଟି ଭଳି ନୂଆ ନୀତି ସ୍ଥାନ ପାଇଛି । ତଦନୁସାରେ ସାମଗ୍ରୀ ବା ସେବା ତ୍ରୁଟିପୂର୍ଣ୍ଣ ହେଲେ ଏହାର ଉତ୍ପାଦକ, ସେବା ପ୍ରଦାନକାରୀ, ବିକ୍ରେତା ଓ ଏଥିସହ ସଂପୃକ୍ତ ପକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ ।

ମନ୍ତ୍ରୀ ଶ୍ରୀ ପାଶୱାନ ଆହୁରି କହିଛନ୍ତି ଯେ ନୂଆ ଆଇନରେ ଖାଉଟି ବିବାଦ ସମାଧାନ ପ୍ରକ୍ରିୟାକୁ ସରଳ କରାଯାଇଛି । ଏହା ଫଳରେ ଖାଉଟି ଆୟୋଗଗୁଡିକର କାର୍ୟ୍ୟ ପରିସର ଓ କ୍ଷମତା ବଢିଛି । ଏହି ବ୍ୟବସ୍ଥାରେ ରାଜ୍ୟ ଏବଂ ଜିଲା ଖାଉଟି ଆୟୋଗଗୁଡିକୁ ନିଜ ନିର୍ଦ୍ଦେଶର ସମୀକ୍ଷା କରିବା ପାଇଁ ଅଧିକାର ପାଇଛନ୍ତି । ଜଣେ ଖାଉଟି ମଧ୍ୟ ଏହି ଆୟୋଗକୁ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ନିଜର ଅଭିଯୋଗ ପଠାଇପାରିବେ । ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ହୋଇପାରିବ । ଅଭିଯୋଗ ଦାଖଲର ୨୧ ଦିନ ମଧ୍ୟରେ ଏହାର ଗ୍ରହଣଯୋଗ୍ୟତା ନେଇ କୌଣସି ନିଷ୍ପତ୍ତି ହୋଇନପାରିଲେ ତାହାକୁ ଆୟୋଗ ଗ୍ରହଣ କରିଛନ୍ତି ବୋଲି ବିଚାର କରାଯିବ ।

ମଧ୍ୟସ୍ଥତା ମାଧ୍ୟମରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଶ୍ରୀ ପାଶୱାନ କହିଛନ୍ତି ଯେ ନୂଆ ଆଇନରେ ଏ ସଂପର୍କରେ ସ୍ପଷ୍ଟ ନୀତିନିୟମ ରହିଛି । ମଧ୍ୟସ୍ଥତା ମାଧ୍ୟମରେ ମଧ୍ୟ ମାମଲାର ସମାଧାନ ହୋଇପାରିବ । ଖାଉଟି କମିସନ ଚାହିଁଲେ ଏକ ଅଭିଯୋଗକୁ ମଧ୍ୟସ୍ଥତା ଜରିଆରେ ସମାଧାନ କରିବାକୁ ସୁପାରିସ କରିପାରିବେ । ତେବେ ଯେଉଁଠି ଉଭୟ ପକ୍ଷ ଏଥିପାଇଁ ରାଜି ଏବଂ କମ୍‌ ସମୟ ମଧ୍ୟରେ ବିବାଦ ସମାଧାନର ସମ୍ଭାବନା ଥିବ କେବଳ ସେହି କ୍ଷେତ୍ରରେ ଏହି ମଧ୍ୟସ୍ଥତା ବ୍ୟବସ୍ଥା କାର୍ୟ୍ୟକାରୀ ହୋଇପାରିବ । ଖାଉଟି କମିସନଗୁଡିକରେ ମଧ୍ୟସ୍ଥତା ସେଲ୍‌ ପ୍ରତିଷ୍ଠା କରାଯିବ । ମଧ୍ୟସ୍ଥତା ମାଧ୍ୟମରେ ହୋଇଥିବା ସମାଧାନ ଉପରେ ଆଉ ଅପିଲ କରିହେବ ନାହିଁ । ଶ୍ରୀ ପାଶୱାନ କହିଛନ୍ତି ଯେ ଖାଉଟି ବିବାଦ ସମାଧାନ କମିସନ ନିୟମ ଅନୁସାରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାମଲାରେ କୌଣସି ଫି ଲାଗିବ ନାହିଁ । ଚିହ୍ନଟ ହୋଇନଥିବା ଖାଉଟି ଯିଏ କି ଅବସ୍ଥାଚକ୍ରରେ କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବେ, ସେ ପାଇବାକୁ ଥିବା ଅର୍ଥ ଖାଉଟି କଲ୍ୟାଣ ପାଣ୍ଠିକୁ ଯିବ । ରାଜ୍ୟ କମିସନ କେନ୍ଦ୍ର ସରକାରଙ୍କୁ ନିଜର ରିକ୍ତପଦ, ଶୁଣାଣି ହୋଇଥିବା ମାମଲାର ସଂଖ୍ୟା, ବିଚାରାଧୀନ ମାମଲା ସଂଖ୍ୟା ଏବଂ ଅନ୍ୟାନ୍ୟ ବିଷୟରେ ନିୟମିତ ତଥ୍ୟ ପ୍ରଦାନ କରିବେ ।

ସେ କହିଛନ୍ତି ଯେ ଉତ୍ପାଦ ଉତ୍ତରଦାୟିତ୍ୱ ବା ପ୍ରଡକ୍ଟ ଲାଏବଲିଟି ବ୍ୟବସ୍ଥାରେ ସାମଗ୍ରୀର ଉତ୍ପାଦକ, ସାମଗ୍ରୀ ସେବା ପ୍ରଦାନକାରୀ ଏବଂ ବିକ୍ରେତା ତ୍ରୁଟିବିଚ୍ୟୁତି ତଥା ଗୁଣମାନ ପ୍ରସଙ୍ଗରେ କ୍ରେତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ । ସେହିଭଳି ନକଲି, ଅପମିଶ୍ରିତ କିମ୍ବା ବିଷାକ୍ତ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉତ୍ପାଦକ କିମ୍ବା ବିକ୍ରେତାଙ୍କ ବିଚାର ଯଥାଯୋଗ୍ୟ ଅଦାଲତରେ କରାଯାଇ ସେମାନଙ୍କୁ ଦଣ୍ଡିତ କରିବାର ନିୟମ ରହିଛି । ଅଦାଲତ ଚାହିଁଲେ ପ୍ରଥମ ଥର ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ କାରବାରକୁ ନିଲମ୍ବିତ ପାରିପାରିବେ କିମ୍ବା ତାଙ୍କ ଲାଇସେନ୍ସକୁ ଦୁଇବର୍ଷ ପର୍ୟ୍ୟନ୍ତ ରଦ୍ଦ କରିପାରିବେ । ଦ୍ୱିତୀୟଥର ବା ଏକାଧିକ ବାର ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କର ଲାଇସେନ୍ସ ସ୍ଥାୟୀଭାବେ ରଦ୍ଦ ହେବ । ଏହି ନୂଆ ଆଇନ ବଳରେ ସାଧାରଣ ନିୟମ ବ୍ୟତୀତ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ନିୟମ, ଖାଉଟି ବିବାଦ ସମାଧାନ କମିସନ ନିୟମ, ରାଜ୍ୟ, ଜିଲା କମିସନର ଅଧ୍ୟକ୍ଷ ଓ ସଭ୍ୟ ନିଯୁକ୍ତି ଏବଂ ସେଗୁଡିକର ନୀତିନିର୍ଦ୍ଧାରଣ ନିୟମ, ମଧ୍ୟସ୍ଥ ଆଇନ ନିୟମ, ଆଦର୍ଶ ଆଇନ, ଇ-କର୍ମସ ଆଇନ, ଖାଉଟି କମିସନ ପ୍ରସିଡ୍ୟୁୟର ନିୟନ୍ତ୍ରଣ ବ୍ୟବସ୍ଥା, ମେଡିଏସନ ରେଗୁଲେସନ ଏବଂ ରାଜ୍ୟ କମିସନ ଓ ଜିଲା କମିସନ ରେଗୁଲେସନ ଉପରେ ପ୍ରଶାସନିକ ନିୟନ୍ତ୍ରଣ ଆଦି ଧାର୍ୟ୍ୟ ହୋଇଛି ।

ଶ୍ରୀ ପାଶୱାନ କହିଛନ୍ତି ଯେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ଆଇନ ଅନୁସାରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ଗଠିତ ହେବ । ଏହା ଖାଉଟି ବ୍ୟାପାରର ଏକ ପରାମର୍ଶଦାତା ମଣ୍ଡଳୀଭାବେ କାର୍ୟ୍ୟ କରିବ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଏହାର ମୁଖ୍ୟଭାବେ କାର୍ୟ୍ୟ କରିବେ । ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏହି ପରିଷଦର ଉପାଧ୍ୟକ୍ଷ ହେବେ । ସମାଜର ବିଭିନ୍ନ କ୍ଷେତ୍ରରୁ ୩୪ ଜଣ ଏହି ପରିଷଦର ସଦସ୍ୟଭାବେ ଅବସ୍ଥାପିତ ହେବେ । ପରିଷଦର କାର୍ୟ୍ୟକାଳ ୩ବର୍ଷ ରହିବ । ଏଥିରେ ମଧ୍ୟ ଦେଶର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉତ୍ତର ପୂର୍ବାଞ୍ଚଳ ଏହି ୫ଟି ଭାଗରୁ ଦୁଇଜଣ ଲେଖାଏଁ ପ୍ରାଦେଶିକ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଦସ୍ୟଭାବେ ରହିବେ । କୌଣସି ଏକ ନିର୍ଦ୍ଦିଷ୍ଟ କାର୍ୟ୍ୟ ପାଇଁ ପରିଷଦର ସଦସ୍ୟମାନଙ୍କୁ ନେଇ କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇପାରିବ ।

ଶ୍ରୀ ପାଶୱାନ କହିଛନ୍ତି ଯେ ୧୯୮୬ରେ ପ୍ରଣୀତ ଖାଉଟି ସୁରକ୍ଷା ଆଇନରେ ନ୍ୟାୟ ପାଇଁ କେବଳ ଗୋଟିଏ ବାଟ ଥିଲା । ତାହା ବାହାରେ ଖାଉଟିମାନଙ୍କୁ ଅନ୍ୟ ବାଟରେ ନ୍ୟାୟ ମିଳିବା ବ୍ୟବସ୍ଥା ନଥିଲା । ପୁରୁଣା ବ୍ୟବସ୍ଥାରେ ବିବାଦ ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଥିଲା । ବହୁ ପରୀକ୍ଷା ନିରୀକ୍ଷା ଓ ସଂଶୋଧନ ପରେ ଏହି ନୂଆ ଆଇନ ପ୍ରସ୍ତୁତ କରାଯାଇଛି । କେବଳ ପାରମ୍ପରିକ ବିକ୍ରେତା ନୁହନ୍ତି, ନୂଆ ଇ-କମର୍ସ ବେପାରୀ ଓ ପ୍ଲାଟଫର୍ମ କବଳରୁ ଖାଉଟିଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ । ସେ କହିଛନ୍ତି ଯେ ଏହି ଆଇନ ଦେଶରେ ଖାଉଟିଙ୍କ ଅଧିକାର ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିବ ।

ADVERTISEMENT