ବିଧାୟକଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ :

8

ଭୁବନେଶ୍ବର,୧୫/o୯(କୁନା ପ୍ରଧାନ) : ବିଧାନସଭାରେ କିପରି ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଇଁ କହିହେବ, ନିଜର ବୁଦ୍ଧି ବିବେକ ଖଟାଇ ରାଷ୍ଟ୍ରର ସ୍ବାର୍ଥ ପାଇଁ ସ୍ବର ଉଠାଇହେବ, ତାହାର କୌଶଳ ଶିଖିଛନ୍ତି ବିଧାୟକ। ବିଧାୟକ ଓ ବିଧାୟିକାଙ୍କ ପାଇଁ ଅନୁଷ୍ଠିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସବୁ ସଦସ୍ୟ ଓ ସଦସ୍ୟାମାନଙ୍କୁ ଏପରି କୌଶଳ ଶିକ୍ଷା ଦିଆଯାଇଛି। ବିଧାନସଭା ଓ ଲୋକସଭା ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥେଷ୍ଟ ଉପାଦେୟ ହେବ ବୋଲି ବାଚସ୍ପତି ଓ ନବନିର୍ବାଚିତ ବିଧାୟକମାନେ ମତ ରଖିଛନ୍ତି। ଶନିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ବିଧାୟକମାନଙ୍କୁ ଗୃହ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର କୌଶଳ ଶିକ୍ଷା ଦିଆଯାଇଥିଲା। ଥରେ ନିର୍ବାଚିତ ହୋଇ ଆସିବା ପରେ ଲୋକଙ୍କ ଆସ୍ଥା କିପରି ବଜାୟ ରଖିହେବ ସେ ନେଇ ସଦସ୍ୟ ଓ ସଦସ୍ୟାମାନଙ୍କୁ ତାଲିମ ଦେଇଥିଲେ ଲୋକସଭା ସଚିବାଳୟର ନିର୍ଦ୍ଦେଶକ (ପି.ଆର.ଆଇ.ଡି.ଇ) ପୁଲିନ୍ ଭୂତିଆ। ସେ କହିଥିଲେ, ଜଣେ ପ୍ରଭାବୀ ବିଧାୟକ ହେବାକୁ ହେଲେ ପ୍ରତିଟି ସଦସ୍ୟଙ୍କୁ ସମ୍ମାନ ଦେବାକୁ ପଡ଼ିବ। ନିଜ ବ୍ୟବହାରରେ ଶାଳୀନତା ଆଣିବା ସହ ଅନ୍ୟର ମନ୍ତବ୍ୟକୁ ଶୁଣିବାର କୌଶଳ ଶିଖିବାକୁ ହେବ। ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ପଡ଼ିବ। ଜଣେ ହେଲେ ବି ସଦସ୍ୟ ଗୃହ ଭିତରେ କାହାରି ମାନସିକତାକୁ ଆଘାତ ଦେବା ଭଳି ଆଚରଣ କରିବେ ନାହିଁ। ଗୃହ ଭିତରେ ପ୍ରଶ୍ନକାଳ ହେଉ କି ସ୍ବତନ୍ତ୍ର ଆଲେଖ୍ୟ, କହିବା ପୂର୍ବରୁ ଜଣେ ଭଲ ସଦସ୍ୟ ସମ୍ପୃକ୍ତ ବିଷୟ ଉପରେ ଗବେଷଣା କରିଥିବା ଦରକାର। କେବଳ ପ୍ରଶ୍ନ କାଳରେ ଉପସ୍ଥିତ ନ ରହି ବିଧେୟକ ଆଲୋଚନାରେ ଭାଗ ନେବା ସହ ଗୃହ ଭିତରେ କେଉଁ ସଦସ୍ୟ କିପରି ନିଜର ଅଭିମତ ରଖୁଛନ୍ତି ତାକୁ ଅନୁଧ୍ୟାନ କରିବା ଉଚିତ। ଏପରିକି ବଜେଟ୍‌ ଆଲୋଚନାରେ ଭାଗ ନେବା ବେଳେ ନିର୍ଦ୍ଦିଷ୍ଟ ବିଭାଗ ସଂକ୍ରାନ୍ତରେ ତଥ୍ୟ ମହଜୁଦ୍ ରଖିବା ସହ ଜାତୀୟସ୍ତରରେ କେନ୍ଦ୍ର ଓ ଅନ୍ୟ ରାଜ୍ୟସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ଉପରେ ବି ଉଦାହରଣ ଦେଇହେବ। ବଜେଟ୍‌ ଆଲୋଚନା ବେଳେ ପରିସଂଖ୍ୟାନ ଦେବା ବେଳେ ଯେପରି ଠିକ୍ ପରିସଂଖ୍ୟାନ ଦିଆଯାଇପାରିବ ତା ଉପରେ ସଦସ୍ୟମାନେ ଯତ୍ନବାନ ହେବା ଉଚିତ ବୋଲି ଶ୍ରୀ ଭୂତିଆ ପରାମର୍ଶ ଦେଇଥିଲେ। କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରଭାବୀ ବିଧାୟକ ହେବା ପାଇଁ ସଦସ୍ୟ ଓ ସଦସ୍ୟାମାନଙ୍କୁ ନିଜ ଅନୁଭୂତି ବାଣ୍ଟିଥିଲେ।

ADVERTISEMENT