ଆସନ୍ତା ୨୭ରେ ପାଇକ ବିଦ୍ରୋହ ନାମରେ ରାଷ୍ଟ୍ରପତି ଦ୍ୱାରା ଶିଳାନ୍ୟାସ ! ସ୍ମାରକୀ ସ୍ଥାନ ପରିଦର୍ଶନ କଲେ ଧର୍ମେନ୍ଦ୍ର

64

ଭୁବନେଶ୍ବର,୧୫/o୯(କୁନା ପ୍ରଧାନ) : ଆସନ୍ତା ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ବରୁଣେଇ ନିକଟରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି। ଯଦି ଅନୁମତି ମିଳେ, ତେବେ ୨୭ ତାରିଖରେ ହିଁ ରାଷ୍ଟ୍ରପତି ଏହାର ଶିଳାନ୍ୟାସ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବରୁଣେଇ ନିକଟରେ ଏକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ। ଏଥି ପାଇଁ ରାଜ୍ୟ ସରକାରଙ୍କୁ ବରୁଣେଇ ନିକଟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ୫୦ ଏକର ଜାଗା ମାଗିଥିଲେ। ଜମି ଦେବା ନେଇ ବିଳମ୍ବ ହୋଇଥିବାରୁ ଅତୀତରେ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ବି ହୋଇଥିଲା। ତେବେ ଗତ ମାସରେ ରାଜ୍ୟ ସରକାର ସେଠାରେ ଉପଲବ୍ଧ ଥିବା ୧୦ ଏକର ଜମି ଦେଇଥିଲେ। ଏବେ ସେହି ୧୦ ଏକର ଜମି ଉପରେ ସ୍ମାରକୀ ନିର୍ମାଣ ହେବ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଓ ଇଣ୍ଡିଆନ୍ ଅଏଲ୍‌ ୯୦ କୋଟି ଟଙ୍କା ଦେବାକୁ ପୂର୍ବରୁ ଘୋଷଣା କରିସାରିଛନ୍ତି । ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ମାରକୀ ସ୍ଥାନ ପରିଦର୍ଶନ କରିଥିଲେ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥଲେ। କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଓଡ଼ିଆ ଜାତିର ପ୍ରେରଣାର କେନ୍ଦ୍ର ତଥା ପାଇକ ବିଦ୍ରୋହର ସ୍ଥାନ ବରୁଣେଇ ପାହାଡ଼ ପାଦ ଦେଶରେ ଭବିଷ୍ୟତ ପିଢ଼ି ପାଇଁ ନୂଆ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ବନାଯିବ। ଯେଉଁ ସ୍ମୃତିସ୍ଥଳୀର କଳ୍ପନା ରହିଛି, ତାହା ଓଡ଼ିଆ ଜନଜୀବନ ଓ ଓଡ଼ିଆ ବୀରଗାଥାର ଏକ ଅନନ୍ୟ ତୀର୍ଥ କ୍ଷେତ୍ର ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଦେଶବାସୀଙ୍କୁ ପ୍ରେରଣା ଦେବ।

ADVERTISEMENT