ବ୍ରହ୍ମପୁର ମୁ୍ନିସିପାଲ୍ କର୍ପୋରେସନ୍ ଦ୍ୱାରା କରୋନା ମୃତକଙ୍କ ଶବଦାହ ପାଇଁ ଏକ ସ୍ୱତନ୍ତ୍ର ଉପଯୁକ୍ତ ସ୍ଥାନ

4

ବ୍ରହ୍ମପୁର,୨୯/୦୮(ଡ଼ିଏଚ): ବ୍ରହ୍ମପୁର ମୁ୍ନିସିପାଲ୍ କର୍ପୋରେସନ୍ ଦ୍ୱାରା ଗତ ଦୁଇମାସ ତଳେ ସ୍ଥାପିତ ହୋଇଥିବା ନୀଳକଣ୍ଠେଶ୍ୱର ଶ୍ମଶାନ ଏବେ କରୋନା ମୃତକଙ୍କ ଶବଦାହ ପାଇଁ ଏକ ଉପଯୁକ୍ତ ସ୍ଥାନ ପାଲଟି ପାରିଛି ।
କରୋନାରେ ମୃତ ହୋଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ଖୋଲା ସ୍ଥାନରେ ଶବଦାହ ପାଇଁ ସ୍ଥାନୀୟ ଲୋକମାନେ ଆପତ୍ତି ଉଠାଇଥିବା ବେଳେ ନୀଳକଣ୍ଠେଶ୍ୱର ଶ୍ମଶାନ ଜିଲ୍ଲା ପ୍ରଶାସନ ପାଇଁ କାମରେ ଆସିଥିଲ । ନୂଆ କରି ବ୍ରହ୍ମପୁର ପୌରପାଳିକା ଦ୍ୱାରା ସ୍ଥାପିତ ହୋଇଥିବା ଏହି ଶ୍ମଶାନରେ ବର୍ତ୍ତମାନ ସୁଦ୍ଧା ୯୬ଟି ଶବଦାହ ହୋଇଥିବା ବେଳେ ସେମାନଙ୍କ ଭିତରୁ ୭୧ ଜଣ କରୋନା ପଜିଟିଭ୍ ହୋଇ ପ୍ରାଣ ହରାଇଥିଲେ ।
ମିଳିଥିବା ସୂଚନା ଅନୁସାରେ ଅଶ୍ୱିନୀ, ଏମକେସିଜି ମେଡିକାଲ୍ କଲେଜ୍ ଓ ସିଟି ହସ୍ପିଟାଲରେ କରୋନରେ ପ୍ରାଣ ହରାଇଥିବା ଲୋକଙ୍କ ମରଶରୀରକୁ ନୂତନ ଭାବେ ତିଆରି କରାଯାଇଥିବା ନୂତନ କାଠ ଶବଦାହ ଚୂଲାରେ ଶେଷକୃତ୍ୟ କରାଯାଇଛି । ଏ ବାବଦରେ ବ୍ରହ୍ମପୁର ପୌରପାଳିକା କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ନୂଆ କରି କରାଯାଇଥିବା କାଠ ତିଆରି ଶବଦାହ ସ୍ଥାନ ଇକୋ ଫ୍ରେଣ୍ଡଲି । ଏହା ପରିବେଶ ଅନୁକୂଳ ହେବା ସହ ଏଥିରେ କମ୍ ଜାଳେଣି ଖର୍ଚ୍ଚ ହେଉଛି ।
ତା ଛଡ଼ା ଏଥିରେ ଅନ୍ତ୍ୟେଷ୍ଟି କ୍ରିୟା କଲେ ଖର୍ଚ୍ଚ ବି କମ୍ ଆସୁଛି । କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଆହୁରି କହିଛନ୍ତି ଯେ; ନୂଆ କରି କରାଯାଇଥିବା ଏହି ଶବଦାହ ସ୍ଥଳ ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି କରାଯାଇଛି । ଏହା କୋଭିଡ ଆରମ୍ଭ ହେବା ପୂର୍ବରୁ ହିଁ ଏହା ତିଆରି ହୋଇଥିଲା । ମାତ୍ର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଓ କରୋନା ସାରା ରାଜ୍ୟକୁ ଆତଙ୍କିତ କଲା ପରେ ହିଁ ଏହା କାର୍ଯ୍ୟକ୍ଷମ ହେବା ଆରମ୍ଭ ହୋଇଛି ।ନୂଆକରି ପ୍ରସ୍ତୁତ କରାଯାଇଥିବା ଏହି ଶବଦାହ ବାକ୍ସ ବାବଦରେ ସୂଚନା ଦେଇ ସେ କହିଛନ୍ତି ଶବଦାହ ବାକ୍ସ ଭିତରେ ମୃତକଙ୍କ ଶବକୁ ରଖାଯିବା ସଙ୍ଗେ ସଙ୍ଗେ ଏହା ମୃତ ଶରୀରକୁ ଗ୍ୟାସ୍ ଚାମ୍ବର ଭିତରକୁ ଟାଣି ନେବ । ଥରେ ଶବଦାହ ହେବା ପରେ ଏଥିରୁ ବାହାରୁଥିବା ଗ୍ୟାସ୍ ୨୦ ଫୁଟ୍ ଉପରେ ବାୟୂ ମଣ୍ଡଳରେ ମିଶିଯିବ । ସବୁଠାରୁ ବଡ଼ କଥା ଏହି ନୂତନ ଶବ ଦାହ ଚାମ୍ବର ମୃତକଙ୍କ ଶେଷକୃତ୍ୟ ପରେ ଏହାର ରୀତିନୀତି କରିବା ବେଳେ ସମସ୍ତ ପ୍ରକାର ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସର ଯତ୍ନ ନେଉଛି ।
ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓ ସାଧାରଣ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ଶବଦାହ କେନ୍ଦ୍ର ଲୋକଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରିଛି । କରୋନାରେ ମୃତୁ୍ୟ ହେଉଥିବା ଲୋକଙ୍କ ଶବଦାହ ପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ସ୍ଥାନରେ ଆପତ୍ତି ଉଠାଉଥିବା ବେଳେ ବିଇଏମସିର ଏହି ନୂତନ ଶବଦାହ କେନ୍ଦ୍ର କରୋନା ମୃତକଙ୍କ ଶେଷକୃତ୍ୟ କରିବାରେ ସାହାଯ୍ୟ କରୁଛି ।
ବିଇଏମସି କମିଶନର କହିଛନ୍ତି, ସେମାନେ ଏହି ଶବଦାହ କେନ୍ଦ୍ରକୁ ଚଳାଇବାକୁ ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଶବଦାହର ଉତ୍ତମ ପରିଚାଳନା ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି । ଏହି ବ୍ୟକ୍ତିମାନେ କରୋନା ମୃତକଙ୍କ ଶବକୁ କିପରି ପରିଚାଳନା କରିବେ ସେ ନେଇ ତାଲିମ୍ ଦିଆଯାଇଛି । ତେବେ କରୋନା ମୃତକଙ୍କ ଶବଦାହ ପାଇଁ ଉପରୋକ୍ତ ଏଜେନ୍ସିକୁ ସରକାରୀ ସୂତ୍ରରୁ ଅର୍ଥ ଦିଆଯାଉଛି ।ତେବେ ଅଣ କରୋନା ମୃତକଙ୍କ ଶବଦାହ ପାଇଁ ସଂପୃକ୍ତ ପରିବାରକୁ ଅର୍ଥ ଦେବାକୁ ପଡୁଛି । ଏ ବାବଦରେ ଶବଦାହ କାର୍ଯ୍ୟରେ ନିୟୋଜିତ ଥିବା ପ୍ରଫୁଲ୍ଲ ବେହେରା କହିଛନ୍ତି ଆମକୁ ଶବଦାହ କାମ ପାଇଁ ବିଇଏମସି ପକ୍ଷରୁ ବ୍ୟକ୍ତିଗତ ପ୍ରତିରକ୍ଷ ଉପକରଣ (ପିପିପି) କିଟ୍ ପ୍ରଦାନ କରାଯାଇଛି ।ଏହି କାମରେ ଦୁଇଜଣ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ନିୟମିତ ବ୍ୟବଧାନରେ ଉପସ୍ଥିତ ରହିବେ ।

ADVERTISEMENT