ବାରାହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ୨ ଭାଇଙ୍କ ମୃତ୍ୟୁ

4

ହିଞ୍ଜିଳିକାଟୁ, ୬/୯ (ଡ଼ି.ଏଚ): ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା । ବାରାହା ଶୀକାର କରିବା ପାଇଁ ଚାଷ ଜମି ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ସଂପୃକ୍ତ ଗ୍ରାମର ରମେଶ ମୁନି(୫୫) ଓ ତାଙ୍କ ସାନ ଭାଇ ମଙ୍ଗୁଳୁ ମୁନି (୫୦) । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଚାଷ ଜମି ନିକଟସ୍ଥ ଏକ ଲଟାବୁଦା ମୂଳରୁ ୨ ଭାଇଙ୍କ ମୃତଦେହକୁ ଉଦ୍ଧାର କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଲାଇଥିବା ଥାନା ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମର ୨ଭାଇ ରମେଶ ଓ ମଙ୍ଗୁଳୁ ଶୁକ୍ରବାର ରାତି ପ୍ରାୟ ୯ଟାରେ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ୨ଭାଇଙ୍କ ସନ୍ଧାନ ମିଳିନଥିଲା । ଶନିବାର ଅପରାହ୍ନରେ ଗ୍ରାମର କିଛି ଚାଷୀ ଚାଷ ଜମିକୁ ଯାଇଥିବା ବେଳେ ଚାଷ ଜମି ନିକଟସ୍ଥ ଏକ ଲଟାବୁଦା ମୂଳରୁ ରମେଶଙ୍କ ଉଲଗ୍ନ ମୃତଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ରମେଶଙ୍କ ପୁଅ କାଳୁ ଘଟଣା ନେଇ ହିଞ୍ଜିଳି ଥାନାକୁ ଖବର ଜଣାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଥିଲା । ପରେ ଗ୍ରାମବାସୀଙ୍କ ସହାୟତାରେ ଅନ୍ୟ ଏକ ଚାଷ ଜମିରୁ ମଙ୍ଗୁଳୁଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ବାରାହା ଶୀକାର କରିବା ସକାଶେ ବିଦ୍ୟୁତ ତାର ବିଛାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ଏ ନେଇ ହିଞ୍ଜିଳି ଥାନା ରେ କେଶ ନମ୍ବର ୩୧୦/୨୦ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଲାଇଛି |

ADVERTISEMENT